ନୂଆଦିଲ୍ଲୀ,୨୮/୦୬: ଇରାନ ଉପରେ ଲାଗୁ ହୋଇଥିବା କଠୋର ତେଲ କଟକଣା କୋହଳ ହୋଇପାରେ ।  ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ କହିଥିଲେ, ଇରାନ ଉପରେ ଅତିରିକ୍ତ ଚାପ ଦିଆଯିବନି । ଏହା ମଧ୍ୟରେ ତେଲ ବିକ୍ରି କଟକଣା ସାମିଲ ରହିଛି । ତେବେ  ଏହି ଦେଶର ଅର୍ଥନୀତି ଯେଭଳି ପୁଣି ଥରେ ଚଳଚଞ୍ଚଳ ହେବ ତାକୁ ଧ୍ୟାନରେ ରଖି କଟକଣା କିଛିଟା କୋହଳ  ହୋଇପାରେ । ଅର୍ଥନୀତିକୁ ସୁଧାରିବା ଲାଗି  ସେମାନେ ଅର୍ଥ ଆବଶ୍ୟକ କରୁଛନ୍ତି । ଆମେ ସେଥିରେ କିଛି ପ୍ରତିବନ୍ଧକ ସୃଷ୍ଟି  କରିବୁନି । ଯୁଦ୍ଧ ବିରତି ନେଇ ଇରାନ ରାଜି ହେବା ପରେ ଚୀନ ଏହି ଦେଶରୁ ତେଲ  କିଣି ସହାୟତା କରିପାରିବ ବୋଲି ମଧ୍ୟ  ଦିନକ ଆଗରୁ କହିଥିଲେ ଟ୍ରମ୍ପ । ତେବେ ଏହା ପରେ ହ୍ୱାଇଟ ହାଉସ ପକ୍ଷରୁ  ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା ।  ଏହାର ଅର୍ଥ ଇରାନ ଉପରୁ ସମ୍ପୂର୍ଣ୍ଣ  ଭାବେ କଟକଣା ହଟିବା ନୁହେଁ ବୋଲି କହିଥିଲା ହ୍ୱାଇଟ ହାଉସ । ତେବେ  ଏଭଳି ସ୍ଥିତିରେ ୨୦୨୩ ମାର୍ଚ୍ଚ ପରଠୁ ତେଲ ଦର ସପ୍ତାହର ସର୍ବାଧିକ ହ୍ରାସ ହୋଇଛି ।

 ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ  ହେବା ଯୋଗୁ ତେଲ ଯୋଗାଣ ବାଧାପ୍ରାପ୍ତ  ହେବା ନେଇ ରହିଥିବା ସମସ୍ୟା ଟଳିଛି ।  ଉଭୟ ବ୍ରେଣ୍ଟ ଏବଂ ଡବ୍ଲୁଟିଆ ବର୍ଗରେ  ଅଶୋଧିତ ତେଲ ୧୨% ହ୍ରାସ ହୋଇଛି । ବ୍ୟାରେଲ ପିଛା ବ୍ରେଣ୍ଟ ୬୮.୦୯  ଡଲାର ଏବଂ ଡବ୍ଲ୍ୟୁଟିଆଇ ୬୫.୫୭  ଡଲାର ସ୍ତରରେ ରହିଛି । ଜୁନ ୧୩ରେ  ଇସ୍ରାଏଲ ଇରାନର ସାମରିକ ଏବଂ  ଆଣବିକ କେନ୍ଦ୍ର ଗୁଡ଼ିକ ଉପରେ ଆକ୍ରମଣ  କରିଥିଲା । ଏହା ପରେ ଆମେରିକା  ଇରାନର ଆଣବିକ ଫାସିଲିଟି ଉପରେ  ଆକ୍ରମଣ କରିବା ପରେ ଅଶୋଧିତ ତେଲ  ରେକର୍ଡ ବୃଦ୍ଧି ହୋଇଥିଲା । ମାତ୍ର ତେବେ  ଯୁଦ୍ଧ ସ୍ଥିତି ଟଳିବା ଯୋଗୁ ଏବେ ତେଲ  ପୂର୍ବ ସ୍ଥିତିକୁ ଫେରିଛି । ଏପଟେ ଜୁନ  ମାସରେ ଇରାନରୁ ଚୀନର ତେଲ କିଣା  ରେକର୍ଡ ଛୁଇଁଛି ।