ନୂଆଦିଲ୍ଲୀ,୦୫/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ହ୍ୱାଇଟ୍ ହାଉସ୍‌ରେ 'ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌' ଉପରେ ହସ୍ତାକ୍ଷର କରିଛନ୍ତି । ଏବେ ଏହି ବିଲ୍ ଆଇନ୍‌ରେ ପରିଣତ ହୋଇଛି । ବିଲ୍‌ ଟ୍ୟାକ୍ସ କମ୍‌ ସହ ଖର୍ଚ୍ଚ କମ କରିବା ସହିତ ଜଡ଼ିତ । ଗୋଟିଏ ଦିନ ପୂର୍ବରୁ ରିପବ୍ଲିକ ପାର୍ଟି ସାହାଯ୍ୟରେ ସଂସଦର ପାସ୍‌ ହୋଇଥିଲା ବିଲ୍ । ଏବେ ଟ୍ରମ୍ପଙ୍କ ସାଇନ୍ ପରେ ଆଇନ୍‌ରେ ପରିଣତ ହୋଇଛି ବିଲ୍‌ । ଏହାକୁ ଟ୍ରମ୍ପଙ୍କର ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ବିଲ୍‌ରେ ସାଇନ୍ କରିବା ସମୟରେ ଟ୍ରମ୍ପ କହିଛନ୍ତି,'' ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ମୁଁ କେବେ ଲୋକଙ୍କୁ ଆମ ଦେଶରେ ଏତେ ଖୁସି ଦେଖି ନଥିଲି । କାରଣ ଏହି ବିଲ୍‌ରେ ଅନେକ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି । ଯେପରିକି ସେନା, ସାଧାରଣ ନାଗରିକ ଏବଂ  ସବୁ ପ୍ରକାର ଚାକିରିକୁ ଫୋକସ୍ କରାଯାଇଛି । ଏହି ବିଲ୍‌ର ଆମେରିକା ଇତିହାସରେ ସବୁଠୁ ବଡ଼ ଟ୍ୟାକ୍ସ ଛାଡ଼ ହୋଇଛି । ସବୁଠୁ ବଡ଼ ଖର୍ଚ୍ଚ କମିବା ଏବଂ ସୀମା ସୁରକ୍ଷା ନିବେଶ ସାମିଲ ହୋଇଛି ।''

କ'ଣ ଟ୍ରମ୍ପଙ୍କ 'ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌' ? ଏହି ବିଲ୍‌ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟାଳୟର ସବୁଠୁ ବଡ଼  ମହତ୍ତ୍ବପୂର୍ଣ୍ଣ ଯୋଜନା ବୋଲି କୁହାଯାଉଛି । ଏଥିରେ ୨୦୧୭ରେ ଟ୍ୟାକ୍ସ ହ୍ରାସକୁ ସ୍ଥାୟୀ ଭାବରେ କାର୍ଯ୍ୟକାରୀ କରିବା, ସରକାରୀ ଖର୍ଚ୍ଚ କମାଇବା ଏବଂ କଠୋର ଇମିଗ୍ରେସନ୍‌ ଆଇନ୍ ଲାଗୁ କରିବା  ସାମିଲ ରହିଛି । ଆମେରିକା- ମେକ୍ସିକୋ ସୀମାରେ ପ୍ରାଚୀର ବିସ୍ତାର ପାଇଂ ୪୬ ବିଲିୟନ ଡଲାର,  ୧୦ ହଜାର ନୂଆ ପ୍ରବାସୀ ଅଫିସରଙ୍କ ନିଯୁକ୍ତି ସହ ୧୦,୦୦୦ ଡଲାର ବୋନସ୍‌ ମଧ୍ୟ ଦିଆଯିବ ।

ଏହି ବିଲ୍‌କୁ ନେଇ ବିବାଦ ମଧ୍ୟ ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିରେ ଲକ୍ଷ ଲକ୍ଷ ଆମେରିକାବାସୀ ସ୍ୱାସ୍ଥ୍ୟ ବୀମା ହରାଇ ପାରନ୍ତି । ଏହି ବିଲ୍ ଆମେରିକାରେ ମୋଟ ଋଣରେ ୩ ଟ୍ରିଲିୟନ ଡଲାର ଅଧିକ ଯୋଡିବ । ଏବେ ଆମେରିକା ଉପରେ ୩୬.୨ ଟ୍ରିଲିୟନ ଡଲାର ଋଣ ଅଛି ।

ବିଲ୍ ସପକ୍ଷରେ ୨୧୮ ଭୋଟ ପଡ଼ିଥିଲା- ହ୍ୱାଇଟ୍ ହାଉସରେ ବିଲ୍ ସପକ୍ଷରେ ୨୧୮ ଓ ବିରୋଧରେ ୨୧୪ ଭୋଟ ପଡ଼ିଥିଲା । ରିପବ୍ଲିକ ପାର୍ଟିର ଦୁଇ ସାଂସଦ ବିଲ୍କୁ ବିରୋଧ କରିଥିଲେ । ବାକି ସମସ୍ତ ୨୧୨ ଡେମୋକ୍ରାଟିକ ସାଂସଦ  ବିଲ୍ ବିରୋଧରେ ଥିଲେ । ଡେମୋକ୍ରାଟିକ ନେତା ହକିମ ଜେଫ୍ରିଜ ବିଲ୍ ବିରୋଧରେ ୮ ଘଣ୍ଟା ୪୬ ମିନିଟ୍ ଲମ୍ବା ଭାଷଣ ଦେଇଥିଲେ । ସେ କହିଥିଲେ ଏହି ଆଇନ୍ ଧନୀଙ୍କୁ ଲାଭ ଦେବ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇବ ।