ନୂଆଦିଲ୍ଲୀ : ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ମଧ୍ୟରେ ଆମେରିକା ନିଜର ନ୍ୟାସନାଲ ସିକ୍ୟୁରିଟି ଷ୍ଟାଟେଜି ଜାରି କରିଛି। ଏହି ଷ୍ଟ୍ରାଟେଜିରେ ଭାରତ ସହ ସମ୍ୱନ୍ଧକୁ ମଜବୁତ୍‌ କରିବା ଉପରେ ଜୋର ଦେଇଛି। ଏହାସହ ସାଉଥ୍‌ ଚାଇନା ସି’ରେ ଚୀନ ବିରୋଧରେ ଏକୁଟିଆ ମୋର୍ଚ୍ଚା ସମ୍ଭାଳିବା ବଦଳରେ ଭାରତ ଓ ଜାପାନା ଭଳି ଦେଶ ସହ ସହଯୋଗ କରିବାକୁ କୁହାଯାଇଛି।

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ୩୩ ପୃଷ୍ଠାର ନ୍ୟାସନାଲ ସିକ୍ୟୁରିଟି ଷ୍ଟ୍ରାଟେଜିରେ ୟୁରୋପୀୟ ଦେଶ ଗୁଡ଼ିକ ଉପରେ ଟାର୍ଗେଟ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ୟୁରୋପୀୟ ଦେଶ ଗଣତନ୍ତ୍ରକୁ ନଷ୍ଟ କରୁଛି ଏବଂ ୟୁକ୍ରେନରେ ଶାନ୍ତିକୁ ଅବରୋଧ କରୁଛି। ୟୁକ୍ରେନରେ ଯୁଦ୍ଧକୁ ବନ୍ଦ କରିବାକୁ ଆମେରିକାର ପ୍ରୟାସକୁ ଏଠାର ଅଧିକାରୀ ବିଫଳ କରୁଛନ୍ତି।

ସିକ୍ୟୁରିଟି ଡକ୍ୟୁମେଣ୍ଟ ଅନୁସାରେ ,ୟୁରୋପୀୟ ଅର୍ଥବ୍ୟବସ୍ଥା ଗୁଡ଼ିକୁ ସ୍ଥିର କରିବା, ୟୁକ୍ରେନ ଯୁଦ୍ଧକୁ ରୋକିବା ଓ ରୁଷ୍‌ ସହ ରଣନୀତିକ ସ୍ଥିରତାକୁ ପୁଣି ଥରେ ସ୍ଥାପିତ କରିବା ପାଇଁ ଆମକୁ ଶତ୍ରୁକୁ ନିପାତ କରିବାକୁ ହେବ। ଏଥିରେ ଏସିଆ ଓ ମିଡିଲ ଇଷ୍ଟ ସହ ଆମେରିକାର ସମ୍ୱନ୍ଧକୁ ମଧ୍ୟ ସାମିଲ କରାଯାଇଛି।

ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସେ ବର୍ଡନ –ସିଫ୍ଟିଂର ନୀତି ଆପଣାଇବେ, ଯାହାର ଉଦ୍ଦେଶ୍ୟ ୟୁରୋପକୁ ନିଜ ଗୋଡ଼ରେ ଠିଆ କରେଇବା ଏବଂ ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ଏକ ଗୋଷ୍ଠୀ ଭାବେ ମିଳିତ ରୂପେ କାର୍ଯ୍ୟ କରିବା। ଏଥିରେ ଦେଶର ସାମରିକ ଉପସ୍ଥିତିକୁ ପୁଣି ଥରେ ସମାୟୋଜିତ କରିବାକୁ ମଧ୍ୟ ଉଲ୍ଲେଖ ରହିଛି, ଯାହାକି ତତ୍କାଳୀନ ବିପଦ ଗୁଡ଼ିକର ସମାଧାନ କରାଯାଇ ପାରିବ ଏବଂ ସେହି ସବୁ କ୍ଷେତ୍ର ଗୁଡ଼ିକରୁ ଦୂରେଇ ରଖା ଯାଇ ପାରିବ, ଯାହାର ଆମେରିକୀୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସାମ୍ପ୍ରତିକ ଦଶନ୍ଧି କିମ୍ୱା ବର୍ଷ ଗୁଡ଼ିକରେ ଆପେକ୍ଷିତ ଗୁରୁତ୍ୱ ହ୍ରାସ ପାଇଛି।

ନ୍ୟାସନାଲ ସିକ୍ୟୁରିଟି ଷ୍ଟ୍ରାଟେଜ୍‌ରେ ଚୀନ୍‌କୁ ଆର୍ଥିକ ଚ୍ୟାଲେଞ୍ଜ ଭାବେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ୱାଂଶିଟନ ଚୀନ ସହ ଆମେରିକାର ଆର୍ଥିକ ସମ୍ୱନ୍ଧକୁ ପୁନଃ ସନ୍ତୁଳିତ କରିବ ଏବଂ ଆମେରିକୀୟ ଆର୍ଥିକ ସ୍ୱାଧୀନତାକୁ ଫେରାଇ ଆଣିବା ପାଇଁ ପାରସ୍ପରିକ ସଂପର୍କ ଓ ନିରପେକ୍ଷତାକୁ ପ୍ରାଥମିକତା ଦେବ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ , ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ରୋକିବା ପାଇଁ ପଦକ୍ଷେପ ଉପରେ ମଧ୍ୟ ଏକ ଦୃଢ ଓ ନିରନ୍ତର ଧ୍ୟାନ ଦିଆଯିବା ଉଚିତ୍‌।