ନୂଆଦିଲ୍ଲୀ, ୨୧।୨: ଟ୍ରମ୍ପଙ୍କ ଅତିରିକ୍ତ ଟାରିଫ୍କୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ଘୋଷଣା ପରେ ଏବେ ସାରା ବିଶ୍ୱର ବ୍ୟବସାୟୀଙ୍କ ନଜର ଟ୍ରମ୍ପ ପ୍ରଶାସନ ଉପରେ ରହିଛି । ଟ୍ରମ୍ପ ସରକାର ଲଗାଇଥିବା ବିବାଦୀୟ ଟାରିଫ୍କୁ କୋର୍ଟ ରଦ୍ଦ କରିଦେଇଛନ୍ତି । କିନ୍ତୁ, ଏହି ନିଷ୍ପତ୍ତି ପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ, ଆମେରିକା ସରକାର ଆଦାୟ କରିଥିବା ପ୍ରାୟ ୧୭୦ ଅରବ ଡଲାର ଅର୍ଥାତ୍ ୧୫.୪୨ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରିବେ କି ? ଏଥିରୁ ଭାରତୀୟ ରପ୍ତାନିକାରୀଙ୍କୁ କିଛି ଲାଭ ମିଳିବ କି ?
କ’ଣ କହିଲେ ସୁପ୍ରିମକୋର୍ଟ ?
ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ପ୍ରଶାସନର ଟାରିଫ୍କୁ ବେଆଇନ ଘୋଷଣା କରିଛନ୍ତି । ବିଚାରପତି ଜଷ୍ଟିସ ବ୍ରେଟ୍ କଭାନୋ କହିଛନ୍ତି ଯେ, ଏତେ ବଡ଼ ଅଙ୍କର ଅର୍ଥ ଫେରସ୍ତ କରିବା ଦ୍ୱାରା ଆମେରିକା ରାଜକୋଷ ଉପରେ ବଡ଼ ପ୍ରଭାବ ପଡ଼ିବ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଟଙ୍କା ଫେରସ୍ତ କରିବା ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇପାରେ । ସରକାରଙ୍କ ପାଖରେ ରେକର୍ଡ ଥିଲେ ସୁଦ୍ଧା, ବ୍ୟବସାୟୀମାନଙ୍କୁ ନିଜ ଟଙ୍କା ପାଇବା ପାଇଁ ଅଲଗା ଭାବେ ଆଇନଗତ ଲଢ଼େଇ କରିବାକୁ ପଡ଼ିପାରେ ।
ଏହା ବି ପଢ଼ନ୍ତୁ... 'ସୁପ୍ରିମ୍' ଝଟକା ପରେ ବି ମାନିଲେନି ଟ୍ରମ୍ପ, ସବୁ ଦେଶ ଉପରେ ୧୦% ଗ୍ଲୋବାଲ ଟାରିଫ୍ ଲଦିବାକୁ କଲେ ଘୋଷଣା
ଭାରତୀୟ ରପ୍ତାନିକାରୀଙ୍କ ପାଇଁ କାହିଁକି ଏହା ନୈରାଶ୍ୟଜନକ ?
ଯଦିଓ ଟାରିଫ୍ ହଟିବା ଏକ ଭଲ ଖବର, କିନ୍ତୁ ଭାରତୀୟ ରପ୍ତାନିକାରୀଙ୍କୁ ସିଧାସଳଖ ରିଫଣ୍ଡ ମିଳିବା ସମ୍ଭାବନା କମ୍ । ଏହାର ମୁଖ୍ୟ କାରଣ କ’ଣ ଆସନ୍ତୁ ଜାଣିବା । ଯେତେବେଳେ ଭାରତରୁ କୌଣସି ସାମଗ୍ରୀ ଆମେରିକା ଯାଏ, ସେଠାକାର ଆମଦାନୀକାରୀ ଆମେରିକା କଷ୍ଟମ ବିଭାଗକୁ ଟାରିଫ୍ ଦେଇଥାନ୍ତି । ନିୟମ ଅନୁସାରେ, ଯଦି ଟଙ୍କା ଫେରସ୍ତ ହୁଏ ତେବେ ତାହା ଆମେରିକୀୟ କମ୍ପାନୀଙ୍କୁ ମିଳିବ, ଭାରତୀୟ ରପ୍ତାନିକାରୀଙ୍କୁ ନୁହେଁ । ଟାରିଫ୍ ଯୋଗୁଁ ଭାରତୀୟ ରପ୍ତାନିକାରୀଙ୍କ ବ୍ୟବସାୟ ପ୍ରଭାବିତ ହୋଇଥିଲେ ସୁଦ୍ଧା, ସେମାନଙ୍କ କ୍ଷତି ଭରଣା ପାଇଁ ଆମେରିକା ଆଇନରେ କୌଣସି ସ୍ପଷ୍ଟ ବ୍ୟବସ୍ଥା ନାହିଁ ।
ଟଙ୍କା ଫେରିବାକୁ ଲାଗିପାରେ ବର୍ଷ ବର୍ଷ ସମୟ:
ଏହା ପୂର୍ବରୁ ୧୯୯୮ ମସିହାରେ ମଧ୍ୟ ଏପରି ଏକ ସ୍ଥିତି ଉପୁଜିଥିଲା । ସେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆମେରିକା ସରକାରଙ୍କୁ ୭୩୦ ମିଲିୟନ ଡଲାର ଫେରସ୍ତ କରିବାକୁ ପଡ଼ିଥିଲା । କିନ୍ତୁ, ସେହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ଏଥର ଏହି ଅର୍ଥ ୧୭୦ ଅରବ ଡଲାର ହୋଇଥିବାରୁ ଏଥିପାଇଁ ଲମ୍ବା ସମୟ ଲାଗିବା ନିଶ୍ଚିତ । ଯଦିଓ ରିଫଣ୍ଡ ମିଳିବା କଷ୍ଟକର, କିନ୍ତୁ ଟାରିଫ୍ ହଟିବା ଫଳରେ ଆଗାମୀ ଦିନରେ ଭାରତୀୟ ଟେକ୍ସଟାଇଲ୍, ଷ୍ଟିଲ୍ ଏବଂ ଆଇଟି ସେକ୍ଟରର ରପ୍ତାନି ବୃଦ୍ଧି ପାଇବା ଆଶା କରାଯାଉଛି ।