ନୂଆଦିଲ୍ଲୀ,୨୧/୦୨; ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବାର ମାତ୍ର ୩ ଘଣ୍ଟା ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ବିଶ୍ୱବ୍ୟାପୀ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲାଗୁ କରିବାକୁ ସେ ଧମକ ଦେଇଛନ୍ତି । ଧାରା ୧୨୨ର ଉଦାହରଣ ଦେଇ ଟ୍ରମ୍ପ ଏହି ଟାରିଫ ଲାଗୁ କରିବେ ବୋଲି କହିଛନ୍ତି । ରାୟ ଦେଇଥିବା ବିଚାରପତିଙ୍କୁ କଲେ ସମାଲୋଚନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ ସହ ବାଣିଜ୍ୟ ବୁଝାମଣା ବଳବତ୍ତର ରହିବ । ୬-୩ ରାୟରେ ଟାରିଫକୁ ରଦ୍ଦ କରିଥିଲେ ଆମେରିକା ସୁପ୍ରିମକୋର୍ଟ ।

ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ସୁପ୍ରିମକୋର୍ଟଙ୍କ ଟାରିଫ ରାୟ ଅତ୍ୟନ୍ତ ନିରାଶାଜନକ । କିଛି ବିଚାରପତିଙ୍କ ଯୋଗୁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି । ବିଦେଶୀ ରାଷ୍ଟ୍ରର ସ୍ୱାର୍ଥ ଲାଗି ସେମାନେ କାମ କରିଛନ୍ତି । ଏଭଳି ବିଚାରପତିମାନେ ଦେଶ ପାଇଁ କଳଙ୍କ । ତାଙ୍କ ପାଇଁ ଆହୁରି ଶକ୍ତିଶାଳୀ ବିକଳ୍ପ ବ୍ୟବସ୍ଥା ରହିଛି । ରାୟ ତାଙ୍କ ବିପକ୍ଷରେ ଯାଇଥିଲେ ମଧ୍ୟ ସେ ଅତିରିକ୍ତ ଟାରିଫ ଲାଗୁ କରିବେ । ସେ ଧାରା ୧୨୨ ଅନୁସାରେ ବିଶ୍ୱର ସବୁ ଦେଶ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲଗାଇବା ଆଦେଶରେ ଖୁବଶୀଘ୍ର ସ୍ୱାକ୍ଷର କରିବେ । ବର୍ତ୍ତମାନ ଯେଉଁ ଦେଶ ଉପରେ ଯେତିକି ଟାରିଫ ଲାଗୁ ହେଉଛି ତାହା ଉପରେ ଅତିରିକ୍ତ ଭାବେ ଏହି ୧୦ ପ୍ରତିଶତ ଟାରିଫ ଲାଗୁ କରାଯିବ । ଅବୈଧ ଭାବେ ଚାଲିଥିବା ବାଣିଜ୍ୟ କାରବାରରୁ ଦେଶକୁ ସୁରକ୍ଷିତ ରଖିବାକୁ ସମସ୍ତ ପଦକ୍ଷେପ ସେ ଗ୍ରହଣ କରିବେ । ସେ ଯାହା ଚାହିଁବେ କରିପାରିବେ ବୋଲି କହିଛନ୍ତି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ ହୋଇଥିବା ବାଣିଜ୍ୟ ବୁଝାମଣା ବଳବତ୍ତର ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ଭଲ ବନ୍ଧୁ । ସେହିଭଳି ଅଧିକ ଟାରିଫ ମାଧ୍ୟମରେ ଯେଉଁ ଦେଶଠାରୁ ଅଧିକ ଅର୍ଥ ଆଦାୟ ହୋଇଛି ତାକୁ ଫେରସ୍ତ କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଲେ ଏହା ଉପରେ କୌଣସି କଥାବାର୍ତ୍ତା ହୋଇନାହିଁ । ଲାଗୁଛି ଏହି ମାମଲା କୋର୍ଟରେ ହିଁ ରହିବ । ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତି ତାଙ୍କର ୬-୩ ରାୟରେ ଟ୍ରମ୍ପଙ୍କ ପକ୍ଷରୁ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ଟାରିଫକୁ ଅବୈଧ ବୋଲି ଦର୍ଶାଇବା ସହ ରଦ୍ଦ କରିଥିଲେ । ପ୍ରଧାନ ବିଚାରପତି ଜନ୍ ରବର୍ଟସ କହିଥିଲେ ଯେ ସମ୍ବିଧାନା ନିର୍ମାତାମାନେ କର ଲଗାଇବାର ଶକ୍ତିର କ୍ଷମତା କାର୍ଯ୍ୟପାଳିକାକୁ ଦେଇନାହାନ୍ତି । ୧୯୭୭ରେ ବନିଥିବା ଆଇଇଇପିଏ ଆଇନ ରାଷ୍ଟ୍ରପତିଙ୍କୁ ଜାତୀୟ ଜରୁରିକାଳୀନ ସ୍ଥିତିରେ ବାଣିଜ୍ୟ ପରିଚାଳନା ନିମନ୍ତେ ଅନୁମତି ଦେଇଛି । କିନ୍ତୁ ଏଥିରେ ଟାରିଫ୍ର ସ୍ପଷ୍ଟ ଉଲ୍ଲେଖ କରାଯାଇନାହିଁ । ଯଦି ଅନ୍ୟ ଦେଶ ତରଫରୁ ଆମେରିକାକୁ ବିପଦ ରହିଛି ତେବେ ସରକାର ତୁରନ୍ତ ଏପରି ଆର୍ଥିକ ପଦକ୍ଷେପ ନେଇପାରିବେ । କିନ୍ତୁ ସେଭଳି ସ୍ଥିତି ଉପୁଜିନି ।

ଟାରିଫ୍ ଲଗାଇବାକୁ ଯୁକ୍ତିଯୁକ୍ତ ଦର୍ଶାଇବା ଲାଗି କଂଗ୍ରେସରୁ ସ୍ପଷ୍ଟ ଭାବେ ମଞ୍ଜୁରି ମିଳିବା ଜରୁରି । ଟାରିଫ ଲଗାଇବାର ଅଧିକାର କେବଳ ସଂସଦର ରହିଛି, ରାଷ୍ଟ୍ରପତିଙ୍କର ନାହିଁ । ଆମେରିକା ସୁପ୍ରିମକୋର୍ଟଙ୍କ ଏହି ଫଇସଲାର ବ୍ୟାପକ ପ୍ରଭାବ ସାରା ବିଶ୍ୱରେ ରହିବ । ବିଶେଷଜ୍ଞଙ୍କ ମତରେ ଏବେ ଟ୍ରମ୍ପ୍ଙ୍କ ଦ୍ୱାରା ଲଗାଯାଇଥିବା ଶୁଳ୍କ ହଟାଯିବ । ଆମେରିକୀୟ କମ୍ପାନୀଗୁଡ଼ିକୁ ଅର୍ଥ ଫେରାଇବାକୁ ପଡ଼ିପାରେ । ଦୁନିଆର ଅନେକ ଦେଶ ଆମେରିକାରେ ନିଜ ନିଜ ସାମଗ୍ରୀ ଅପେକ୍ଷାକୃତ କମ୍ ଦରରେ ବିକ୍ରି କରିପାରିବେ ।

ଏହା ବି ପଢନ୍ତୁ...ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟଙ୍କ ବଡ ଝଟକା, ବୈଶ୍ବିକ ଶୁଳ୍କକୁ ଅବୈଧ ଘୋଷଣା କରି ରଦ୍ଧ କଲେ…

ଭାରତ, ଚୀନ୍ ସମେତ ଅନ୍ୟ ରପ୍ତାନୀକାରୀଙ୍କୁ ଲାଭ ମିଳିବ । ଅନେକ ଜିନିଷର ଦରଦାମ କମିବ । ସେୟାର ବଜାର ଦ୍ରୁତଗତିରେ ବଢ଼ିବାର ସମ୍ଭାବନା ରହିଛି । ଦୁନିଆରେ ବାଣିଜ୍ୟ ବ୍ୟବସ୍ଥା ଅଧିକ ସ୍ଥିର ହେବାର ଆଶା ଉଜ୍ଜ୍ୱଳ ହୋଇଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ସମସ୍ତ ଟାରିଫ୍ ଶେଷ ହେବନାହିଁ । ଷ୍ଟିଲ, ଆଲୁମିନିୟମ, ଲମ୍ବର, ଅଟୋମୋବାଇଲ ଆଦି ଶିଳ୍ପ ଉପରେ ଟ୍ରେଡ୍ ଏକ୍ସପାନ୍ସନ୍ ଆକ୍ଟ-୧୯୬୨ ଅନୁସାରେ ଟାରିଫ୍ ଲଗାଯାଇଥିବାରୁ ତାହା ଏବେ ବି ଲାଗୁ ରହିବ । ତେବେ ରେସିପ୍ରୋକାଲ ଟାରିଫ୍ ଉପରେ ରୋକ ଲାଗିବ, ଯାହାକୁ ଟ୍ରମ୍ପ୍ ବିଭିନ୍ନ ଦେଶ ପାଇଁ ପୃଥକ ଭାବେ ଲାଗୁ କରିଥିଲେ ।