ନୂଆଦିଲ୍ଲୀ,୨୧/୦୮:ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁକୁ ବିରୋଧ କରି ଟ୍ରମ୍ପ ପ୍ରଶାସନକୁ ଚେତାବନୀ।ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି  ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି ।  ଯଦି ଆମେରିକା ଚୀନକୁ ଲଗାମ ଲଗାଇବାକୁ ଚାହିଁ ତେବେ ଭାରତ ସହିତ ସମ୍ପର୍କକୁ ଆଗ ପ୍ରାଥମିକତା ଦେବାକୁ ପଡିବ। 

ନ୍ୟୁଜୱିକ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ହେଲି ଲେଖିଛନ୍ତି  ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରୁଛି । ଯେଉଁଠିକି ଆମର ଟାର୍ଗେଟ ହେଉଛି ଚୀନ୍। ଚୀନ୍‌କୁ ମାତ ଦେବାକୁ ହେଲେ ଆମେରିକାର ଭାରତ ରୂପରେ  ବନ୍ଧୁ ରହିବା ଉଚିତ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ରୁଷିଆ ତେଲ ଏବଂ ଶୁଳ୍କ ବିବାଦ ପ୍ରସଙ୍ଗକୁ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ଶକ୍ତି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ।"ଯୁକ୍ତରାଷ୍ଟ୍ର ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯିବା ଉଚିତ୍ ନୁହେଁ । ଚୀନ୍‌ର ମୁକାବିଲା କରିବା ପାଇଁ, ଆମେରିକାକୁ ଭାରତ ଭଳି ବନ୍ଧୁର ଆବଶ୍ୟକତା ଅଛି ବୋଲି ସେ ଲେଖିଛନ୍ତି। 

ସେ ଆହୁରି ବି ଲେଖିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ତୈଳ କିଣିବା ଜାରି ରଖିବା ପାଇଁ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଓ ଅତିରିକ୍ତ ୨୫ ପ୍ରତିଶତ ଲାଗୁ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ-ପାକିସ୍ତାନ ଯୁଦ୍ଧବିରତି ଆଲୋଚନାରେ ଆମେରିକାର ଭୂମିକା ଉପରେ ଦାବି ସମେତ ମାସ ମାସ ଧରି ଚାଲିଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନିଆଯାଇଛି। ହେଲି ଟ୍ରମ୍ପଙ୍କ ଚାପ ଅଭିଯାନକୁ ସମର୍ଥନ କରି କହିଛନ୍ତି ଯେ ଭାରତର ଶକ୍ତି କ୍ରୟ 'ୟୁକ୍ରେନ ବିରୁଦ୍ଧରେ ଭ୍ଲାଦିମିର ପୁଟିନଙ୍କ ନିଷ୍ଠୁର ଯୁଦ୍ଧକୁ ଆର୍ଥିକ ସହାୟତା କରୁଛି'।  ସେ ଭାରତକୁ ଶତ୍ରୁ ଭାବରେ ବ୍ୟବହାର କରିବା ବିରୋଧରେ ସତର୍କ କରାଇଛନ୍ତି।