ନୂଆଦିଲ୍ଲୀ, ୧୬/୦୩ : ଇରାନ ସହ ଯୁଦ୍ଧ ଆରମ୍ଭ କରି ଫସିଯାଇଛନ୍ତି ଆମେରିକା ରାଷ୍ଟ୍ରପତି। ନିଜ ଦେଶରେ ବିରୋଧର ଶିକାର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। କାରଣ ଯୁଦ୍ଧକୁ ସମର୍ଥନ କରୁ ନାହାଁନ୍ତି ଆମେରିକୀୟ। ଟ୍ରମ୍ପଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି ତୈଳ ଦର ବୃଦ୍ଧି। ଯୁଦ୍ଧ କରିବାର ଉଦ୍ଦେଶ୍ୟ ଏବଂ ଇସ୍ରାଏଲ୍ ର ହସ୍ତକ୍ଷେପକୁ ନାପସନ୍ଦ କରୁଛନ୍ତି ଆମେରିକା ଜନତା। ଦୀର୍ଘ ଦିନ ପାଇଁ ଏଭଳି ସ୍ଥିତି ଜାରି ରହିଲେ ବଦଳିପାରେ ଜନତାଙ୍କ ମୁଡ୍। ୱାଶିଂଟନରେ ହୋଇପାରେ ବଡ଼ ରାଜନୈତିକ ସଙ୍କଟ।
ଇରାନ ସହ ଯୁଦ୍ଧ ଆରମ୍ଭ କରି ଡୋନାଲ୍ଡ ଟ୍ରମ୍ପ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଯୁଦ୍ଧକୁ ଆମେରିକୀୟ ସମର୍ଥନ କରୁନାହାଁନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଟ୍ରମ୍ପ ବିନା ଜନସମର୍ଥନରେ ଯୁଦ୍ଧକୁ ଓହ୍ଲାଇଛନ୍ତି। ଯାହାକି ଆମେରିକା ଇତିହାସରେ ପ୍ରଥମ। ପୂର୍ବରୁ କୌଣସି ଆମେରିକା ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇ ନଥିଲେ। ତେଣୁ ଯୁଦ୍ଧର ସମୟ ଯେତିକି ଲମ୍ଵିବ ଟ୍ରମ୍ପଙ୍କ ସମର୍ଥନ ସେତିକି ଖସିବ। ରାଜନୀତିଜ୍ଞ ବ୍ରୁସ୍ ଜେଣ୍ଟଲସନ ଏନେଇ କହିଛନ୍ତି ଯେ, କୌଣସି ଆକ୍ରମଣାତ୍ମକ ଶକ୍ତିକୁ ନିୟନ୍ତ୍ରଣ ପାଇଁ କରାଯାଉଥିବା ଯୁଦ୍ଧକୁ ଆମେରିକୀୟ ପସନ୍ଦ କରନ୍ତି। ଅନ୍ୟ ଦେଶରେ ରାଜନୈତିକ ବ୍ୟବସ୍ଥା କିମ୍ବା ଶାସନ ପରିବର୍ତ୍ତନ ପାଇଁ କରାଯାଇଥିବା ଯୁଦ୍ଧକୁ ଆମେରିକାରେ ସମର୍ଥନ ମିଳେ ନାହିଁ।
ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାର ଏହି ଯୁଦ୍ଧ ପଛର ଉଦ୍ଦେଶ୍ୟ ହେଉଛି ଇରାନରେ ଶାସନ ପରିବର୍ତ୍ତନ। ଏନେଇ ପୂର୍ବରୁ ଟ୍ରମ୍ପ ବହୁଥର ଆଲୋଚନା ମଧ୍ୟ କରିଛନ୍ତି। ଏବେବି ମଧ୍ୟ ଟ୍ରମ୍ପ ଏନେଇ ବୟାବବାଜି କରୁଛନ୍ତି। ତେଣୁ ଟ୍ରମ୍ପ ଏବେ ଯେତେ ଆତ୍ମରକ୍ଷାର ଆଳ ଦେଖାଇଲେ ମଧ୍ୟ ତାହାକୁ ଆମେରିକାବାସୀ ବିଶ୍ଵାସ କରୁନାହାଁନ୍ତି। ସେପଟେ ଅଧିକାଂଶ ଆମେରିକା ବାସୀ ପାଲେଷ୍ଟିନୀୟଙ୍କୁ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଯୁଦ୍ଧରେ ଆମେରିକା ସହ ଇସ୍ରାଏଲ୍ର ଦୋସ୍ତିକୁ ସେମାନେ ନାପସନ୍ଦ କରୁଛନ୍ତି। ଯାହାଦ୍ଵାରା ନିଜ ଦେଶରେ ଏବେ ଟ୍ରମ୍ପ ବିରୋଧର ସାମ୍ନା କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ୯/୧୧ ଭଳି ଆକ୍ରମଣ କରି ଇରାନକୁ ଫଶାଇବାର ଷଡଯନ୍ତ୍ର ? ଆମେରିକା ଉପରେ ତେହରାନର ବଡ଼ ଅଭିଯୋଗ