ୱାଶିଂଟନ ଡିସି, ୨୪/୦୪ : ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ୍ ପ୍ରଶାସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିର୍ଦ୍ଦେଶକ୍ରମେ ହ୍ୱାଇଟ ହାଉସ ନାଟୋ ଦେଶଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି । ଏଥିରେ ଭଲ ଓ ଖରାପ ଦେଶ ଚିହ୍ନଟ କରାଯାଇଛି । ଇରାନ ବିରୋଧରେ ଯୁଦ୍ଧ ବେଳେ କେଉଁ ଦେଶ ଆମେରିକାର ସାଥ୍ ଦେଇଥିଲା ଏବଂ କିଏ ନକାରାତ୍ମକ ବୟାନବାଜି କରି ସହଯୋଗ ପାଇଁ ମନା କରିଦେଇଥିଲା, ସେଗୁଡ଼ିକର ଚିହ୍ନଟ ହୋଇଛି । ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ବ୍ୟୟ ଏବଂ ଆମେରିକାକୁ କରିଥିବା ସହଯୋଗ ଆଧାରରେ ପୃଥକ ପୃଥକ ଶ୍ରେଣୀରେ ନାଟୋ ଦେଶଗୁଡ଼ିକୁ ଚିହ୍ନଟ କରାଯାଇଛି ।
ନାଟୋର ମହାସଚିବ ମାର୍କ ରୁଟ୍ଙ୍କ ୱାଶିଂଟନ ଗସ୍ତ ପୂର୍ବରୁ ଏହି ତାଲିକା ପ୍ରସ୍ତୁତ ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ୍ ପୂର୍ବରୁ ବି ୟୁରୋପୀୟ ଦେଶଗୁଡ଼ିକୁ ସମାଲୋଚନା କରିଥିଲେ । ତାଙ୍କ କହିବା କଥା ହେଉଛି ସହଯୋଗୀ ହୋଇଥିବା ସତ୍ତ ଅନେକ ରାଷ୍ଟ୍ର ଇରାନ ଯୁଦ୍ଧରେ ସାଥ୍ ଦେଲେନି କିମ୍ବା ହୋର୍ମୁଜ ପ୍ରଣାଳୀକୁ ଖୋଲିବାରେ ସହାୟତା କଲେନି । ଏହି କାରଣରୁ ତୈଳ ଦର ବୃଦ୍ଧି ପାଇଲା ଏବଂ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଲା । ଆମେରିକାର ଏହି ତାଲିକା ଯୋଗୁ ପୋଲାଣ୍ଡ ଓ ରୋମାନିଆ ଭଳି ଦେଶଙ୍କୁ ଫାଇଦା ମିଳିପାରେ । କାରଣ ସେମାନେ ଆମେରିକାକୁ ସମର୍ଥନ କରିଥିଲେ । ସ୍ପେନ, ବ୍ରିଟେନ ଏବଂ ଫ୍ରାନ୍ସ ଭଳି କିଛି ପ୍ରମୁଖ ଦେଶ ଟ୍ରମ୍ପ୍ଙ୍କ ନୀତି ଉପରେ ଅଙ୍ଗୁଳି ଉଠାଇଥିଲେ । ଯୁଦ୍ଧରେ ସେମାନେ ଆମେରିକାର ସାଥ୍ ଦେବେନାହିଁ ବୋଲି ସିଧାସଳଖ କହିଥିଲେ । ଏବେ ଆମେରିକା ‘ଖରାପ’ ନାଟୋ ଦେଶଗୁଡ଼ିକ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବେ, ତାହା ଜଣାପଡ଼ି ନାହିଁ । ପୂର୍ବରୁ ସେ ନାଟୋର ସାମଗ୍ରିକ ଖର୍ଚ୍ଚକୁ ନେଇ ଆପତ୍ତି ଉଠାଇଥିଲେ। ବିଶେଷଜ୍ଞଙ୍କ ମୁତାବକ, ସୈନ୍ୟ ମୁତୟନ, ମିଳିତ ସାମରିକ ଅଭ୍ୟାସ ଏବଂ ଅସ୍ତ୍ରଶସ୍ତ୍ର ବିକ୍ରି ଭଳି ନିଷ୍ପତ୍ତିରେ ପରିବର୍ତ୍ତନ ଆସିପାରେ।
ଏହି ଖବରଟିକୁ ପଢନ୍ତୁ- ଅଧା ବାଟରେ ନୌସେନାର ହାତ ଛାଡ଼ିଲେ ସଚିବ ! ଟ୍ରମ୍ପ ପ୍ରଶାସନରେ ଜାରି ରହିଛି ବରଖାସ୍ତ ଓ ଇସ୍ତଫାର ‘ସୁନାମି’