ଓ୍ଵାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ନୂଆ ଟାରିଫ ନୀତି ଘୋଷଣା କରିଛି। ଏହା ଇଉରୋପୀୟ ସଂଘ, ଜାପାନ, ଦକ୍ଷିଣ କୋରିଆ ଏବଂ ଅନ୍ୟ ଦେଶରୁ ଆମେରିକାକୁ ରପ୍ତାନୀ ହେଉଥିବା ପଣ୍ୟ ଉପରେ ପ୍ରଭାବ ପକାଇବ। ବର୍ଦ୍ଧିତ ଟାରିଫ ୧୦%ରୁ ୫୦% ମଧ୍ୟରେ ରହିଛି। ଏହା “ଆମେରିକା ଫାର୍ଷ୍ଟ” ନୀତିର ଅଂଶ ଭାବେ ବାଣିଜ୍ୟ ଅସନ୍ତୁଳନ ହ୍ରାସ ଓ ଆମେରିକୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଲାଗୁ ହୋଇଛି।
ଇଉରୋପୀୟ ସଂଘ(ଇଉ) ଉପରେ ୧୫% ଟାରିଫ ଲାଗୁ ହେବ, ଯାହା ଅଟୋମୋବାଇଲ ଓ ଫାର୍ମାସୁଟିକାଲ ଶିଳ୍ପକୁ ପ୍ରଭାବିତ କରିବ। ଇଉ ୭୫୦ ବିଲିୟନ ଡଲାରର ଆମେରିକୀୟ ଶକ୍ତି କ୍ରୟ ଓ ୬୦୦ ବିଲିୟନ ଡଲାର ନିବେଶ ବୃଦ୍ଧି ପାଇଁ ରାଜି ହୋଇଛି। ଜାପାନ ଉପରେ ୧୫% ଟାରିଫ ଲାଗୁ ହେବ, ଯାହା ପୂର୍ବରୁ ଘୋଷିତ ୨୫%ରୁ କମ ରହିଛି। ଜାପାନ ଆମେରିକାରେ ୫୫୦ ବିଲିୟନ ଡଲାର ନିବେଶ କରିବ। ଦକ୍ଷିଣ କୋରିଆ ଉପରେ ୧୫% ଟାରିଫ ଲାଗୁ ହେବ। ଯେଉଁଠାରେ କୋରିଆ ଆମେରିକାରେ ୩୫୦ ବିଲିୟନ ଡଲାର ନିବେଶ ଓ ୧୦୦ ବିଲିୟନ ଡଲାରର ଶକ୍ତି କ୍ରୟ କରିବାକୁ ରାଜି ହୋଇଛି। ଅନ୍ୟ ଦେଶ ମଧ୍ୟରେ ସୁଇଜରଲ୍ୟାଣ୍ଡ ଉପରେ ୩୯%, କାମ୍ବୋଡିଆ ଓ ମାଲେସିଆ ଉପରେ ୧୯% ଏବଂ ଶ୍ରୀଲଙ୍କା ଉପରେ ୨୦% ଟାରିଫ ଲାଗୁ ହେବ।
ଏହି ଟାରିଫ ଆମେରିକୀୟ ଗ୍ରାହକଙ୍କ ପାଇଁ ମୂଲ୍ୟବୃଦ୍ଧିର କାରଣ ହୋଇପାରେ। କାରଣ ଅନେକ ଦେଶ ପ୍ରତିଶୋଧମୂଳକ ଟାରିଫ ଲଗାଇବା ପାଇଁ ଯୋଜନା କରୁଛନ୍ତି, ଯାହା ବାଣିଜ୍ୟ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଚୀନ ଏହାକୁ “ସମସ୍ତଙ୍କ ସ୍ୱାର୍ଥକୁ କ୍ଷତିଗ୍ରସ୍ତ” ବୋଲି କହିବା ସହ ପ୍ରତିଶୋଧ ନେବା ପାଇଁ ଚେତାବନୀ ଦେଇଛି। ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଏହାକୁ “ଦୁଃଖଦାୟକ” କହି ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୁଇଜରଲ୍ୟାଣ୍ଡରେ ୩୯% ଟାରିଫ ଫାର୍ମାସୁଟିକାଲ ଶିଳ୍ପକୁ ପ୍ରଭାବିତ କରିବ। ଏହା ପରେ ସୁଇସ ରାଜନେତାମାନେ ୬ ବିଲିୟନ ଫ୍ରାଙ୍କର ଏଫ-୩୫ଏ ଯୁଦ୍ଧବିମାନ ଚୁକ୍ତି ବାତିଲ କରିବାକୁ ଦାବି କରିଛନ୍ତି।
ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ ହେବ, ଯାହା ରୁଷିଆ ସହ ବାଣିଜ୍ୟ ଓ ବ୍ରିକ୍ସ ସଦସ୍ୟତାକୁ ନେଇ ଟ୍ରମ୍ପଙ୍କ ଟିପ୍ପଣି ପରେ ସାମ୍ନାକୁ ଆସିଛି। ଏହା ୪୦ ବିଲିୟନ ଡଲାରର ଟେକ୍ସଟାଇଲ ଓ ଫାର୍ମାସୁଟିକାଲ ରପ୍ତାନୀ ଉପରେ ପ୍ରଭାବ ପକାଇପାରେ। ଭାରତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଜାରି ରଖିଛି। କିନ୍ତୁ ଟାରିଫ ଯୋଗୁଁ ବୋଇଙ୍ଗ ପି-୮ଆଇ ବିମାନ କ୍ରୟ ସ୍ଥଗିତ ହୋଇଛି।
ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଏହି ଟାରିଫ ମୁଦ୍ରାସ୍ଫୀତି ବଢ଼ାଇ ବିଶ୍ୱ ଅର୍ଥନୀତିକୁ କ୍ଷତି ପହଞ୍ଚାଇପାରେ। ଇଉରୋପୀୟ ଷ୍ଟକ ମାର୍କେଟ ଚାରି ସପ୍ତାହର ନିମ୍ନତମ ସ୍ତରକୁ ଖସି ଆସିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଏହା ଆମେରିକୀୟ ଉତ୍ପାଦନକୁ ପୁନର୍ଜନ୍ମ ଦେବ, କିନ୍ତୁ ବିଶେଷଜ୍ଞମାନେ ଏହାର ବିପରୀତ ପ୍ରଭାବ ବିଷୟରେ ଚେତାବନୀ ଦେଇଛନ୍ତି।
ଅଗଷ୍ଟ ୧୨ ତାରିଖ ପରେ ଚୀନ ସହ ଟାରିଫ ବୃଦ୍ଧି ବାଣିଜ୍ୟ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଏହି ଟାରିଫ ବିଶ୍ୱ ବାଣିଜ୍ୟରେ ନୂଆ ଅଧ୍ୟାୟ ଆରମ୍ଭ କରିପାରେ। ଯାହା ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ଦୀର୍ଘମିଆଦୀ ପ୍ରଭାବ ଫେଲାଇବ।