ନୂଆଦିଲ୍ଲୀ ୨୬/୦୫: ଭାରତ ସମେତ ବିଶ୍ୱର ବହୁ ଦେଶ ଏବେ ମୋଟାପଣ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି କ୍ଷେତ୍ରରେ ଏହି ସମସ୍ୟାର ମୁକାବିଲା ଲାଗି ତୁର୍କୀ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି । ସେ ଅନୁସାରେ, ସାରା ଦେଶରେ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍, ଫୁଟ୍ବଲ ଷ୍ଟାଡିୟମ୍, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀମାନେ ଓଜନ ମାପିବାର ମେସିନ୍ ସହ ଛିଡ଼ା ହେଉଛନ୍ତି । ଲୋକେ ସେଠାକୁ ଆସି ମାଗଣାରେ ଓଜନ ମାପିବା ସହିତ ଉଚ୍ଚତା ଅନୁସାରେ ପ୍ରକୃତରେ ସେମାନଙ୍କର ଓଜନ କେତେ ରହିବା କଥା ତାହା ଜାଣିବାକୁ ପାଉଛନ୍ତି । ସେହିପରି ମୋଟା ଲୋକଙ୍କୁ ପତଳା ହେବାକୁ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ବତାଯାଉଛି ।
ଚଳିତ ମାସ ୧୦ ତାରିଖରୁ ମୋଟାପଣ ବିରୋଧରେ ସେଠାରେ ଏହି ସଚେତନଧର୍ମୀ ଅଭିଯାନ ଆରମ୍ଭ କରାଯାଇଛି । ଜୁଲାଇ ୧୦ ତାରିଖ ସୁଦ୍ଧା ତୁର୍କୀର ୧ କୋଟି ନାଗରିକଙ୍କର ବଡି ମାସ୍ ଇଣ୍ଡେକ୍ସ(ବିଏମ୍ଆଇ) ମାପିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି । ତୁର୍କୀର ସ୍ୱାସ୍ଥ୍ୟ କର୍ମୀ କେମଲ ମେମିସଓଗ୍ଲୁ ଏକ ନର୍ସିଂ ସମ୍ମିଳନୀରେ ଭାଗ ନେବା ସମୟରେ ଅଭିଯାନକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, ଆମ ସମାଜରେ ପ୍ରାୟ ୫୦ ପ୍ରତିଶତ ଲୋକେ ମୋଟାପଣର ଶିକାର । ସେମାନେ ଯେ ଭବିଷ୍ୟତରେ ବିଭିନ୍ନ ପ୍ରକାର ରୋଗର ଶିକାର ହେବେ ଏହା ତା’ର ସଙ୍କେତ । ବିଶେଷ କରି ସେମାନେ ହୃଦ୍ରୋଗର ଶିକାର ହେବାର ଅଧିକ ଆଶଙ୍କା ରହିଛି । ସେ ନିଜେ ମଧ୍ୟ ଏହି ସମସ୍ୟାର ଶିକାର ହୋଇଥିବା ମେମିସ୍ଓଗଲୁ ପ୍ରକାଶ କରିଛନ୍ତି ।

ତେବେ ଏହି ଅଭିଯାନ ଲାଗି ସ୍ଲୋଗାନ୍ ରହିଛି, ‘ନୋ ୟୋର ୱେଟ୍, ଲିଭ୍ ହେଲ୍ଦି’ । ଅଭିଯାନକ୍ରମେ ଯେଉଁ ନାଗରିକମାନଙ୍କର ବିଏମ୍ଆଇ ଆବଶ୍ୟକତାଠାରୁ ଅଧିକ ରହୁଛି ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ଡାଏଟ୍ କାଉନ୍ସେଲିଂ ଓ ଫଲୋ ଅପ୍ ଲାଗି ପଠାଯାଉଛି । ସୋସିଆଲ୍ ମିଡିଆରେ ଅନେକ ଏହି ଅଭିଯାନକୁ ସମର୍ଥନ କରିଛନ୍ତି ।