ନୂଆଦିଲ୍ଲୀ,୦୬/୦୪: ମେମୋରୀ ଚିପ୍ ଦରବୃଦ୍ଧିକୁ ନେଇ ପୂର୍ବରୁ ଚିନ୍ତାରେ ଥିବା ଟେଲିଭିଜନ ଶିଳ୍ପ ଏବେ ବିକ୍ରି କମିବା ନେଇ ଆଶଙ୍କିତ ଅବସ୍ଥାରେ ରହିଛି । ପଶ୍ଚିମ ଏସିଆରେ ବଢୁଥିବା ଭୁ-ରାଜନୈତିକ ଅସ୍ଥିରତା ଏବଂ ସାମୁଦ୍ରିକ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ପ୍ଲାଷ୍ଟିକ ଦର ବଢ଼ିବା ଫଳରେ ଟିଭି ବିକ୍ରି କମିପାରେ ବୋଲି ଶିଳ୍ପ ଅନୁମାନ କରୁଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ଟିଭି ଦର ବୃଦ୍ଧି ପାଇଛି । ଫଳରେ କ୍ରେତାମାନେ ଛୋଟ ସ୍କ୍ରିନ୍ ଟିଭି ପ୍ରତି ଏବେ ଢଳୁଛନ୍ତି । ଏଭଳି ସ୍ଥିତିରେ କିଛି ନିର୍ମାତା ଟିଭି ବିକ୍ରି କମିବା ନେଇ ଆଶଙ୍କା କରୁଛନ୍ତି ।

ଅଧିକ ପଢ଼ନ୍ତୁ :- ଆଜିଠୁ ତିନିଦିନିଆ ମୁଦ୍ରାନୀତି ବୈଠକ: ବିଶ୍ୱ ବଜାରରେ ଅନିଶ୍ଚିତତା, ବଦଳି ନ ପାରେ ସୁଧ ହାର

ପ୍ରକାଶଯୋଗ୍ୟ, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଫଳରେ ଟିଭିର ରିଟେଲ ଦର ବଢ଼ିଯାଇଛି । ବଡ଼ ବଡ଼ ବ୍ରାଣ୍ଡଗୁଡ଼ିକ କିଛିଟା ଚାପ ସହ୍ୟ କରିଛନ୍ତି । ପ୍ରତିଯୋଗିତାମୂଳକ ଭାରତୀୟ ଟିଭି ବଜାରରେ ବଜାର ଅଂଶକୁ ବଜାୟ ରଖିବା ପାଇଁ କେତେକ କମ୍ପାନି ସମ୍ପୂର୍ଣ୍ଣ ଆର୍ଥିକ ବୋଝକୁ ଗ୍ରାହକଙ୍କ ଉପରେ ପକାଇନାହାନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ଗ୍ରାହକ ସେମାନଙ୍କ କ୍ରୟ ଯୋଜନାକୁ ବିଳମ୍ବ କରୁଛନ୍ତି । ବର୍ଷର ଦ୍ୱିତୀୟ ଭାଗରେ ପାର୍ବଣ ଥିବାରୁ ଉକ୍ତ ସମୟରେ କିଛିଟା ସୁଧାର ଦେଖିବାକୁ ମିଳିପାରେ ବୋଲି ଶିଳ୍ପ ଆଶା ରଖିଛି ।

ଅଧିକ ପଢ଼ନ୍ତୁ :- ଯୁଦ୍ଧ ଯୋଗୁ ଆମେରିକାରେ ମହଙ୍ଗା ମାଡ଼, ଇ-କମର୍ସଠୁ ଏୟାରଲାଇନ୍ସ ଯାଏଁ ସବୁ କ୍ଷେତ୍ରକୁ ଝଟ୍‌କା

ଶିଳ୍ପ ବିଶେଷଜ୍ଞଙ୍କ କହିବାନୁସାରେ, ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି । ଏହା ଶିଳ୍ପ ପାଇଁ ଅତ୍ୟନ୍ତ କଠିନ ସମୟ । ଲୋକେ ଟିଭି କିଣିବା ବେଳେ ଛୋଟ ସ୍କ୍ରିନ୍ ଆଡ଼କୁ ଢଳିପାରନ୍ତି । ୫୫ ଇଞ୍ଚ ସ୍କ୍ରିନ ପାଇଁ ଯୋଜନା କରିଥିବା ଗ୍ରାହକ ୫୦ ଇଞ୍ଚକୁ ମନ ପରିବର୍ତ୍ତନ କରିପାରନ୍ତି । ସେହିଭଳି ୬୫ ଇଞ୍ଚ ସ୍କ୍ରିନ ପାଇଁ ଯୋଜନା କରିଥିବା ଗ୍ରାହକ ୫୫ ଇଞ୍ଚକୁ ମନ ବଦଳାଇପାରନ୍ତି । ଗତ ୬ ମାସରେ ଟିଭି ଦର ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ଏକ ଏଣ୍ଟ୍ରି ଲେବୁଲ ୩୨ ଇଞ୍ଚ ଟିଭି, ଯାହାକି ୯,୦୦୦ ଟଙ୍କାକୁ ଖସିଯାଇଥିଲା ତାହା ଏବେ ୧୧,୦୦୦ ଟଙ୍କାକୁ ବଢ଼ିଯାଇଛି।