ନୂଆଦିଲ୍ଲୀ,୧୦/୦୫; ଅପେକ୍ଷାର ଅନ୍ତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଭିକେ ମୁଖ୍ୟ ବିଜୟ । ଆଜିଠୁ ତାମିଲନାଡୁରେ ବିଜୟ ସରକାର ଆରମ୍ଭ ହୋଇଛି । ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟରେ ବିଜୟ ଯୁଗ ଜାରି । ଟିଭିକେ ଚିଫ୍ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଚେନ୍ନାଇର ଜବାବାରଲାଲ୍ ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉପସ୍ଥିତ ଅଛନ୍ତି । ଟିଭିକେ ମୁଖ୍ୟଙ୍କ ସହ ୯ ଜଣଙ୍କ ବିଜୟଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସମର୍ଥକଙ୍କ ଉପସ୍ଥିତିରେ ଷ୍ଟାଡିୟମ ଉଛୁଳି ପଡିଛି । ବିଜୟଙ୍କ ବାପା, ମାଆ ଏବଂ ତାଙ୍କ ଲେଡି ଲକ୍ କୁହାଯାଉଥିବା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଉପସ୍ଥିତ ଅଛନ୍ତି । ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ତାମିଲନାଡୁ ରାଜନୀତିର ନୂତନ ଯୁଗରେ ପ୍ରବେଶ କରିଛି । ବ୍ଲାକ୍ ପ୍ୟାଣ୍ଟ ଏବଂ ହ୍ୱାଇଟ୍ ସାର୍ଟରେ ଜବରଦସ୍ତ ଲୁକ୍ରେ ନଜର ଆସିଛନ୍ତି ସିଏମ୍ ଜୋସେଫ୍ ବିଜୟ ।
ବିଜୟ ମନ୍ତ୍ରିମଣ୍ଡଳରେ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନ୍. ଆନନ୍ଦ. ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ, ସେଲଭି ଏସ୍. କୀର୍ତ୍ତନା । ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେଲ୍ଭି ଏସ୍. କୀର୍ତ୍ତନ ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଜୟ କହିଛନ୍ତି "ଏହା ଏକ ନୂତନ ଆରମ୍ଭ । ଧର୍ମନିରପେକ୍ଷ, ସାମାଜିକ ନ୍ୟାୟର ଏକ ନୂତନ ଯୁଗ ଏବେ ଆରମ୍ଭ ହେଉଛି ।" ଏହା ସହିତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ ୩ଟି ବଡ଼ ବିଷୟ ରହିଛି ।
୧. ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ।
୨. ନିଶା ନିବାରଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ।
୩. ମହିଳା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ।
#WATCH | Chennai: Tamil Nadu Governor Rajendra Vishwanath Arlekar administered the oath of office to Tamilaga Vettri Kazhagam (TVK) Chief C Joseph Vijay as the Tamil Nadu Chief Minister, at the Jawaharlal Nehru Stadium in Chennai. pic.twitter.com/ZWqm6tu8xH
— ANI (@ANI) May 10, 2026
ଏହା ବି ପଢନ୍ତୁ...ଭେଟ୍ରିରୁ ଜନନାୟକ…ଜାଣନ୍ତୁ କେମିତି ଥିଲା ଥଲାପତିଙ୍କ ‘ବିଜୟ ଯାତ୍ରା’
ତାମିଲନାଡୁର ବିଧାନସଭା ନିର୍ବାଚନ ଫଳ ମେ ୪ରେ ଆସିଥିଲା । ମୋଟ ୨୩୪ ଆସନ ମଧ୍ୟରୁ ସର୍ବାଧିକ ୧୦୮ଟି ଆସନ ଟିଭିକେ ଜିତିଥିଲା । ଡିଏମ୍କେକୁ ୫୯ ଏବଂ ଏଆଇଏଡିଏମ୍କେକୁ ୪୭ଟି ମିଳିଥିଲା । ତାମିଲନାଡୁରେ ସରକାର ଗଢ଼ିବାକୁ ନେଇ ରାଜ୍ୟ ରାଜନୀତି ନାଟକୀୟ ମୋଡ଼ରେ ପହଞ୍ଚିଥିଲା । ଟିଭିକେକୁ ଆଗରୁ କଂଗ୍ରେସ(୫), ସିପିଆଇ (୨) ଏବଂ ସିପିଆଇ(ଏମ୍) (୨) ଭଳି ଦଳର ସମର୍ଥନ ୮ ତାରିଖ ସୁଦ୍ଧା ମିଳିସାରିଥିଲା । ତଥାପି ବହୁମତ (୧୧୮) ଅଙ୍କ ଛୁଇଁପାରି ନଥିଲା ଦଳ । ଶନିବାର ଭିସିକେ ଏବଂ ଆଇୟୁଏମ୍ଏଲ୍ ନିଜ ସମର୍ଥନ ଜଣାଇଥିଲେ । ଉଭୟ ଦଳ ପାଖରେ ୨ଟି ଲେଖାଏଁ ଆସନ ଥିବାରୁ ମୋଟ ସଂଖ୍ୟା ୧୨୧ରେ ପହଞ୍ଚିଥିଲା । ଆଉ ବିଳମ୍ବ ନ କରି ବିଜୟ ରାଜ୍ୟପାଳଙ୍କୁ ଦେଖା କରିବାକୁ ସମୟ ମାଗିଥିଲେ । ସନ୍ଧ୍ୟା ସାଢ଼େ ୬ଟାରେ ଭେଟିବାକୁ ସମୟ ଦେଇଥିଲେ ରାଜ୍ୟପାଳ । ଏହା ପୂର୍ବରୁ ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଡିଏମ୍କେ ଏବଂ ଏଆଇଏଡିଏମ୍କେ ମିଶି ସରକାର ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଭିସିକେ ନେତା ମଧ୍ୟ ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ଙ୍କୁ ବାରମ୍ବାର ଭେଟିଥିଲେ । ଭିସିକେ ଉପରେ ସମସ୍ତଙ୍କ ନଜର ରହିଥିଲା । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ଝୁଲାଇ ରଖିଥିଲା ଦଳ ।
ଏହା ବି ପଢନ୍ତୁ...Nita Ambani Stunning Look : ବନାରସୀ ଶାଢୀରେ ଚମକିଲେ ନୀତା, ୫ ମାସ ଧରି ହାତରେ ହୋଇଛି ତିଆରି
ଦଳ ନିଃସର୍ତ୍ତ ସମର୍ଥନ ଜଣାଇବା ପରେ ସବୁ ଛକାପଞ୍ଝାର ସମାପ୍ତି ହୋଇଥିଲା ।ଦୀର୍ଘ ୬ ଦିନର କସରତ ପରେ ବିଜୟ ଶନିବାର ରାଜ୍ୟପାଳଙ୍କୁ ପୁନର୍ବାର ଭେଟି ୧୨୧ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ରାଜ୍ୟପାଳ ତୁରନ୍ତ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ତାଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ । ଆଜି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ବିଜୟ । ତେବେ ତାଙ୍କୁ ମେ ୧୩ କିମ୍ବା ତା’ ପୂର୍ବରୁ ବହୁମତ ପ୍ରମାଣ କରିବା ଲାଗି କୁହାଯାଇଛି ।