ଚେନ୍ନାଇ, ୧୦/୦୫: ସଦ୍ୟ ସମାପ୍ତ ତାମିଲନାଡୁ ବିଧାନସଭା ନିର୍ବାଚନରେ ତାମିଲଗା ଭେଟ୍ରି କାଝଗମ (ଟିଭିକେ) ଇତିହାସ ସୃଷ୍ଟି କରିଛି । ଏହାର ଝଡ଼ରେ ଧୂଳିସାତ୍ ହୋଇଯାଇଛି ଶାସକ ଡିଏମ୍‌କେର ମଜଭୁତ ସଙ୍ଗଠନ । ଟିଭିକେ ଏକାକୀ ୧୦୮ଟି ଆସନ ହାସଲ କରିଥିବାବେଳେ ଅନ୍ୟ ଦଳଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛି । ଏଥିସହ ଦଳର ମୁଖ୍ୟ ଥଲାପତି ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

ବିଜୟଙ୍କ ପୂରା ନାମ ହେଉଛି ଜୋସେଫ୍ ବିଜୟ ଚନ୍ଦ୍ରଶେଖରନ୍ । ୧୯୭୪ ମସିହା ଜୁନ୍ ୨୨ରେ ଚେନ୍ନାଇରେ ତାଙ୍କର ଜନ୍ମ । ଅତି ସାନବେଳୁ ସେ ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବାବେଳେ ୧୯୮୪ରେ ‘ଭେଟ୍ରି’ ଫିଲ୍ମରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ସେହି ଫିଲ୍ମକୁ ତାଙ୍କ ପିତା ଏସ୍.ଏ ଚନ୍ଦ୍ରଶେଖରନ୍ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ଆହୁରି କିଛି ଫିଲ୍ମରେ ତାଙ୍କୁ ଛୋଟମୋଟ ଭୂମିକାରେ ଦେଖିବାକୁ ମିଳିଥିଲା । ୧୯୯୨ରେ ବିଜୟ ‘ନଲାୟା ଥିରପୁ’ରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବେ ଅଭିନୟର ସୁଯୋଗ ପାଇଥିଲେ । କିନ୍ତୁ ସେହି ଫିଲ୍ମ କୌଣସି ସଫଳତା ପାଇନଥିଲା ।

ତେବେ ୨୦୦୦ ମସିହା ଆରମ୍ଭରେ ବିଜୟଙ୍କ କ୍ୟାରିୟର ଗାଡି ଆଗକୁ ବଢ଼ିଥିଲା । ଦର୍ଶକଙ୍କୁ ସେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମ ଭେଟି ଦେଇଥିଲେ । ଏଥିସହ ପ୍ରଶଂସକମାନେ ତାଙ୍କୁ ଧୀରେ ଧୀରେ ‘ଥଲାପତି’ ବା ‘ଜନନେତା’ ଭାବେ ସମ୍ବୋଧନ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ‘ମାର୍ଶଲ’, ‘ମାଷ୍ଟର’, ‘ବିଷ୍ଟ’ ଏବଂ ‘ଲିଓ’ ଭଳି ଫିଲ୍ମ ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ପ୍ରମୁଖ ଅଭିନେତାଙ୍କ ମଧ୍ୟରେ ସାମିଲ କରାଇଥିଲା । ଏହି ସବୁ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ବ୍ୟବସାୟ କରିଥିଲା । ଏହାସତ୍ତେ୍ୱ ରାଜନୀତି ଲାଗି ସେ ସିନେମାକୁ ଅଲ୍‌ବିଦା କହିଥିଲେ ।

ଆହୁରି ପଢ଼ନ୍ତୁ...କାଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ, ରାଜ୍ୟପାଳଙ୍କଠୁ ମିଳିଲା ଅନୁମତି

ମାତ୍ର ୨ ବର୍ଷ ପୂର୍ବରୁ ସେ ରାଜନୈତିକ ଦଳ ଗଠନ କରିଥିଲେ । କିନ୍ତୁ ତାର ବହୁ ପୂର୍ବରୁ ଫ୍ୟାନ୍ କ୍ଲବ୍ ଜରିଆରେ ସାମାଜିକ କଲ୍ୟାଣ କାର୍ଯ୍ୟ କରିଆସୁଥିଲେ ବିଜୟ । ୨୦୦୯ରେ ସେହି ଫ୍ୟାନ୍ କ୍ଲବ୍ ଥଲାପତି ବିଜୟ ମକ୍କଲ ଇୟକ୍କମ(ଟିଭିଏମ୍‌ଆଇ) ଏକ ବିକାଶମୂଳକ ସଙ୍ଗଠନ ପାଲଟିଥିଲା । ଏହାପରେ ରାଜନୈତିକ ଦଳ ଭଳି କାମ କରିବା ଆରମ୍ଭ କରିଥିଲା । ଏହି ଅନୁଶାସିତ ଏବଂ ସମର୍ପିତ ସଙ୍ଗଠନର ସବୁ ଜିଲ୍ଲା, ତହସିଲ ଏବଂ ବ୍ଲକ୍ ସ୍ତରରେ ପଦାଧିକାରୀ ଅଛନ୍ତି । ୨୦୨୧ରେ ପୌର ନିର୍ବାଚନରେ ଟିଭିଏମ୍‌ଆଇର ୧୩୦ ସଦସ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ସେଥର ଟିଭିଏମଆଇ ୧୧୫ଟି ଆସନ ଜିତିଲା । ସେଥିରୁ ବିଜୟ ନିଜ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଯାଇଥିଲେ । ଏହାପରେ ୨୦୨୪ରେ ସେ ଟିଭିକେ ଗଠନ କରିଥିଲେ । ଚଳିତ ନିର୍ବାଚନରେ ଜେନ୍-ଜି, ମହିଳାଙ୍କୁ ଟାର୍ଗେଟ୍ କରି ସେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି ।