ଅନୁଗୁଳ, ୧୨/୦୬ (ଜଗଦୀଶ ନାୟକ): ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ନତଡା ଗାଁରେ ଅଜୟ ବେହେରା (୧୯), ଅନୀଲ ବଂଥଲା ଏବଂ ଗୁରୁତର ସୁବ୍ରତ ପ୍ରଧାନ(୧୮), ସୁନୀଲ ବେହେରା (୨୦) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ନତଡା ଗ୍ରାମର ଅଜୟ ବେହେରା, ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରା ଏକ ବାଇକ ଯୋଗେ ଅନୁଗୁଳ ଆଡ଼କୁ ଆସୁଥିଲେ । ଅପର ପକ୍ଷରୁ ଅନୀଲ ବଂଥଲା ନାମକ ଯୁବକ ଆସୁଥିବା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ନତଡା ଗ୍ରାମର ଅଜୟ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଅନୀଲ ବଂଥଲାଙ୍କ ମୃତ୍ୟୁ ହୋଇଛି । ଅନୀଲଙ୍କ ଘର ତେଲେଙ୍ଗାନା ହୋଇଥିବା ବେଳେ ସେ ଏଠାରେ ଏକ କୋଇଲା ଖଣିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଗୁରୁତର ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରାଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।