ବାରିପଦା ୨୬/୧୨: ପିକନିକ୍ ଆସି ଝରଣାରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଲେ ଦୁଇ ଭାଇ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ। ସୂଚନା ମୁତାବକ ଶୁକ୍ରବାର ଭଦ୍ରକ ଜିଲ୍ଲା ଅନ୍ଧେଇପାଲ୍ଲି ଅଞ୍ଚଳରୁ ୪ ଜଣ ସାଙ୍ଗ ସୀତାକୁଣ୍ଡକୁ ପିକନିକ୍ ପାଇଁ ଆସିଥିଲେ। ତେବେ ପିକନିକ୍ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା କାରଣରୁ ଦୁଇଜଣ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ଅନ୍ଧେଇପାଲ୍ଲିର ସତ୍ୟବ୍ରତ ନାୟକ (୨୩) ଓ ଅଭିଷେକ ନାୟକ(୧୭)। ଖବର ପାଇ ଅଗ୍ନିଶମ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ଉଦ୍ଧାର କରିଥିଲା l ଉଭୟଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଛି। ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।