ନୟାଗଡ,୧୫।୧୦: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାସ୍ତାରେ ଦୁଇ ଯୁବକଙ୍କ ମଧ୍ୟରେ ମାରପିଟ୍‌ ଏବଂ କାମୁଡାକାମୁଡି । ଏଥିରେ  ଜଣଙ୍କର କାନ ଛିଣ୍ଡିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଅନ୍ୟଜଣଙ୍କର ହାତ ଏବଂ ମୁହଁରେ ଆଘାତ ଲାଗିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ ଟାଉନ୍‌ ଥାନା ମାଛିପଡା ଗାଁରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି । 

ମାଛିପଡା ଗାଁର ଦୟାନିଧୀ ବେହେରା ଏବଂ ସୁଶା ବେହେରାଙ୍କ ମଧ୍ୟରେ ରାଜନୈତିକ କାରଣରୁ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଏପରିକି ଏଥିପାଇଁ ଉଭୟଙ୍କ ମଧ୍ୟରେ ପୂର୍ବରୁ ମାରପିଟ୍‌ ହୋଇଥିଲା ।  ମଙ୍ଗଳବାର ମଧ୍ୟାହ୍ନରେ ସୁଶା ବଜାର ନିକଟରେ ଯାଉଥିଲେ। ସମୟରେ ଦୟାନିଧୀ ଏବଂ ସୁଶାଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାରପିଟ୍‌ ହୋଇଥିଲା । ଦୟାନିଧୀ ସୁଶାଙ୍କ ଡାହାଣପଟ କାନକୁ କାମୁଡି ଛିଣ୍ଡାଇଦେବା ସହ ତାଙ୍କ ମୁଣ୍ଡକୁ ମଧ୍ୟ କାମୁଡି ଦେଇଛି । ସେହିପରି ସୁଶା ମଧ୍ୟ ଦୟାନିଧୀଙ୍କ ହାତ ଏବଂ ମୁହଁକୁ କାମୁଡି ରକ୍ତାକ୍ତ କରିଦେଇଥିଲେ । ଉଭୟଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୁଶାଙ୍କ ଛିଣ୍ଡିଯାଇଥିବା କାନକୁ  ବରଫରେ ରଖି ପଠାଯାଇଛି । ଟାଉନ୍‌ ଥାନା ପୋଲିସ ମେଡିକାଲକୁ ଆସି ତଦନ୍ତ କରିଛି।