କେରଳ ୦୪/୦୮: କେରଳର କନ୍ନୁରରେ ‘ଜନତା ଡାକ୍ତର’ ଭାବେ ପରିଚିତ ଡାକ୍ତର ଏକେ ରାଇରୁ ଗୋପାଳ (୮୦)ଙ୍କର ରବିବାର ପରଲୋକ ହୋଇଛି । ଦୀର୍ଘ ପ୍ରାୟ ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ କନ୍ନୁରସ୍ଥିତ ନିଜ ଘରେ ଏକ ଛୋଟ କ୍ଲିନିକ୍ ଚଳାଉଥିଲେ । ସେଠାରେ ଗରିବ, ଅବହେଳିତ ଲୋକଙ୍କର ଚିକିତ୍ସା କରୁଥିଲେ । ସେମାନଙ୍କଠାରୁ ରୋଗୀଦେଖା ବାବଦକୁ ମାତ୍ର ୨ ଟଙ୍କା ନେଉଥିଲେ । ସେଥିଯୋଗୁ ସ୍ଥାନୀୟ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘୨ ଟଙ୍କିଆ ଡାକ୍ତର’, ‘ଜନତାଙ୍କ ଡାକ୍ତର’ ଭାବେ ସମ୍ବୋଧନ କରୁଥିଲେ ।

ଯଦିଓ ବିଗତ କିଛି ବର୍ଷ ହେଲା ସେ ତାଙ୍କର ଫି’କୁ ବଢ଼ାଇ ୪୦-୫୦ ଟଙ୍କା କରିଥିଲେ ତେବେ ତାହା ଅନ୍ୟ କ୍ଲିନିକ୍ ତୁଳନାରେ ଉଲ୍ଲେଖନୀୟ ଭାବେ କମ୍ ଥିଲା । ସକାଳୁ କାମକୁ ଯିବାକୁ ଥିବା ଦିନ ମଜୁରିଆ, ଛାତ୍ରଛାତ୍ରୀମାନଙ୍କର ସୁବିଧା ଲାଗି ଡାକ୍ତର ଗୋପାଳ ଭୋର୍ ୩ଟାରୁ ରୋଗୀ ଦେଖା ଆରମ୍ଭ କରୁଥିଲେ । ଖାସ୍ ସେଥିପାଇଁ ସକାଳ ହେବା ପୂର୍ବରୁ ତାଙ୍କ କ୍ଲିନିକ୍ ବାହାରେ ରୋଗୀଙ୍କର ଲାଇନ୍ ଲାଗି ଯାଉଥିଲା । ଦିନସାରା ସେ ୩୦୦ରୁ ଅଧିକ ରୋଗୀଙ୍କୁ ଦେଖୁଥିଲେ । ଏପରିକି ଅର୍ଥାଭାବରୁ ଔଷଧ କିଣିବାରେ ଅକ୍ଷମ ଥିବା ଲୋକଙ୍କୁ ମାଗଣାରେ ଔଷଧ ବି ଦେଉଥିଲେ । ତାଙ୍କର ଏହି କର୍ତ୍ତବ୍ୟ ନିଷ୍ଠା ଲାଗି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।