ମାଲକାନଗିରି,୧୫/୧୧ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ଡାଘାଟୀ ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡପଡ଼ା ଗ୍ରାମର ବଣ୍ଡା ଜନଜାତି ପରିବାରର ଛାତ୍ର ବିନୋଦ ଚଲାନ(୧୩)। ସେହିପରି ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ସୋମାକୁଣ୍ଡ ଗ୍ରାମର ଆଦିବାସୀ ପରିବାରର ମହେଶ ହନ୍ତାଳ(୧୩) । ଦୁହେଁ ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ କୁମୁଟିଗୁଡ଼ା ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର । ଏବେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ସାଜିଛନ୍ତି ।
ଏହି ଦୁହେଁ ବାପା ମା’ଛେଉଣ୍ଡ । ପିଲାଦିନୁ ନିଜ ବାପା ମା’ଙ୍କୁ ଦେଖି ନାହାଁନ୍ତି । ବିଭିନ୍ନ ଅଭାବ ଅନାଟନରୁ ବାହାରି ବିନୋଦ ଏବଂ ମହେଶ ନିଜ ଜୀବନରେ କିଛି ଅଲଗା କରି ଦେଖାଇବାକୁ ଦୃଢ ସଂକଳ୍ପ ନେଇଛନ୍ତି । ତାଙ୍କ ସ୍ବପ୍ନକୁ ଡେଣା ଦେଇ ସାକାର କରିବାରେ ଆଓମା ଗୁରୁକୁଳ ଓ ଜୁଡ଼ୋ ଏସୋସିଏସନର ସମସ୍ତ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଏହି ଦୁଇ ଅନାଥ ପିଲା ଆଓମା ଗୁରୁକୁଳ ରହି ପାଠପଢ଼ା ସହ ଖେଳ ଓ ବିଭିନ୍ନ କାର୍ଯ୍ୟକଳାପରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିନୋଦ ଏବଂ ମହେଶ ଚଳିତ ବର୍ଷ ରାଜ୍ୟସ୍ତରୀୟ ସବ ଜୁନିୟର ଚାମ୍ପିୟନଶିପରେ ସ୍ଵର୍ଣ୍ଣ ପଦକ ଅର୍ଜନ କରି ଜିଲ୍ଲା ଓ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଛନ୍ତି।
ଏବେ ଜୁଡୋ ଖେଳରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମଠାରେ ଚଳିତ ମାସ ୧୬ତାରିଖ ରୁ ୨୦ତାରିଖ ପର୍ଯ୍ୟନ୍ତ ଜୁଡୋ ଫେଡରେଶନ ଅଫ ଇଣ୍ଡିଆର ତତ୍ତ୍ବାବଧାନରେ ଆୟୋଜିତ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଜୁଡୋ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ। ଓଡ଼ିଶା ସବଜୁନିୟର ବିଭାଗର ଅନ୍ୟ ଖେଳାଳୀଙ୍କ ସହ ବିନୋଦ ନିଜର-୪୦ ଏବଂ ମହେଶ-୩୦ଓଜନ କ୍ୟାଟେଗୋରୀରେ ଖେଳିବେ। ମାଲକାନଗିରି ଅଞ୍ଚଳର ଗର୍ବ ହୋଇଥିବା ବିନୋଦ ଚାଲାନ୍ ଏବଂ ମହେଶ ହନ୍ତାଳ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ସମସ୍ତଙ୍କ ଆଶା।
ଏହି ଦୁଇ ଖେଳାଳୀ ଏବଂ ସହଯୋଗୀ ଆଜି ହାଇଦ୍ରାବାଦ ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ଲାଗି ନବକୃଷ୍ଣ ସରକାର ସହଯୋଗ ପ୍ରଦାନ କରିଥିଲେ। ଏହି ଖୁସି ଖବର ଶୁଣି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଏବଂ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଆଓମା ଗୁରୁକୁଳ ଓ ଜୁଡୋ ଏସୋସିଏସନର ରତ୍ନାକର ଦାଶ, ଚିନା ରାଓ, ବିନାଶ ମିଶ୍ର ଏବଂ ସମସ୍ତ ସଦସ୍ୟ ଶୁଭ କାମନା ଜଣାଇବା ସହ ସଫଳତା କାମନା କରିଛନ୍ତି।