ଭୁବନେଶ୍ୱର, ୧୪/୦୫ : ଯୁଦ୍ଧ ଯୋଗୁ ଏବେ ସାରା ବିଶ୍ୱରେ ଅଶୋଧିତ ତେଲ ଦର ଉପର ମୁହାଁ ହୋଇଛି । ତେଲ ଯୋଗାଣ ପ୍ରଭାବିତ ହେବା ନେଇ ଗ୍ରାହକ ଆଶଙ୍କାରେ ରହୁଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ମଧ୍ୟ ଚିନ୍ତାଜନକ ହେଉଛି । ପେଟ୍ରୋଲ-ଡିଜେଲ ବ୍ୟବହାର କମାଇବା ସହ ଇ-ଯାନ ବ୍ୟବହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଇ-ଯାନ ଚାହିଦା ଦ୍ରୁତ ହୋଇଛି । କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଇଭି କିଣିବା ନେଇ ଗ୍ରାହକ ବେଶ ଆଗ୍ରହ ଦେଖାଉଛନ୍ତି । ଦ୍ୱୈତ ନଗରୀରେ ଡିଲରଶିପ ଗୁଡ଼ିକରେ ଗତ କିଛି ଦିନ ହେବ ଇଭି କିଣା ନେଇ ଲୋକଙ୍କ ଅନୁସନ୍ଧାନ ପ୍ରାୟ ୨ ଗୁଣ ବଢ଼ିଛି । ଗତ ବର୍ଷ ଏପ୍ରିଲ ତୁଳନାରେ ୨ ଚକିଆ ଏବଂ ୪ ଚକିଆ ଇଭି ବର୍ଗରେ ବିକ୍ରି ଅଭିବୃଦ୍ଧି ୭୫% ବଢ଼ିଛି । ସେହିଭଳି ୩ ଚକିଆ ବର୍ଗରେ ବିକ୍ରି ୧୦୦% ଯାଏ ବଢ଼ିଥିବା ଅଟୋମୋବାଇଲ ଡିଲର ସଂଘ ଫାଡା ପକ୍ଷରୁ ସୂଚନା ମିଳିଛି ।
୨ ଚକିଆ ଏବଂ ୩ ଚକିଆ ବର୍ଗରେ ପ୍ରତି ମାସ ରାଜ୍ୟରେ ଏବେ ୯ ହଜାର ୟୁନିଟ ଯାନ ବିକ୍ରି ହେଉଛି । ଯାହା ୩ ଚକିଆ କ୍ଷେତ୍ରରେ ୪୦୦ ୟୁନିଟ ରହିଛି । ଅଟୋମୋବାଇଲ କମ୍ପାନି ଗୁଡିକ ବିକ୍ରିରେ ଏଭଳି ବୃଦ୍ଧିକୁ ନେଇ ପ୍ରସ୍ତୁତ ନ ଥିଲେ । ଫଳରେ ଗାଡ଼ି ଡେଲିଭରି ପାଇବାରେ ଏବେ ଗ୍ରାହକଙ୍କୁ ୩ରୁ ୪ ମାସ ଯାଏ ଅପେକ୍ଷା କରିବାକୁ ପଡ଼ୁଛି । ଯୋଗାଣ ଉନ୍ନତ ହେଲେ ବିକ୍ରି ଅଭିବୃଦ୍ଧି ୧୦୦% ରହିବ ବୋଲି ଆଶାବାଦୀ ରହିଛନ୍ତି ଅଟୋ ଡିଲର । କଟକ ଭୁବନେଶ୍ୱର ଭଳି ସହରାଞ୍ଚଳରେ ଇଭି ଗ୍ରହଣୀୟତା ୨୦% ଛୁଇଁଛି । ସରକାର ଏହାକୁ ୩୦% କରିବା ଲକ୍ଷ୍ୟ ରଖିଛନ୍ତି । ଯୋଗାଣ ସ୍ଥିତି ଉନ୍ନତ ରହିଲେ ଚଳିତ ବର୍ଷ ଏହି ଲକ୍ଷ୍ୟ ପୂରଣ ହୋଇଯିବ ଆକଳନ କରାଯାଇଛି । ଇଭି ଗୁଡ଼ିକର ସ୍ୱଳ୍ପ ପରିଚାଳନା ଖର୍ଚ୍ଚ ଏବଂ ନୂଆ ଟେକ୍ନୋଲୋଜିର ଗାଡି ଆସୁଥିବାରୁ ଏବେ ଇଭି ଗ୍ରହଣୀୟତା ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।
ପାତ୍ରପଡାର ଏକ ଇଭି ଡିଲରସିପର ଅଧିକାରୀ କହିଛନ୍ତି, ଗତ କିଛି ଦିନ ହେବ ବେଶ ଭଲ୍ ଇନ୍କ୍ୱାରୀ ଆସିଛି । ସୋରୁମ ଆସି ଟେଷ୍ଟ ଡ୍ରାଇଭ ନେବା ଏବଂ ଅଧିକ ଜାଣିବାକୁ ଆସୁଥିବା ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ୩ଏସ୍ ଟିଭିଏସ୍ର ସ୍ୱତ୍ତ୍ୱାଧିକାରୀ ପ୍ରମୋଦ ପାତ୍ର କହିଛନ୍ତି, ଇଭି ଚାହିଦା ଉପର ମୁହାଁ ହୋଇଛି । ଭିତ୍ତିଭୂମି ଦୃଢ଼ୀକରଣ ସହ ନୂଆ ଟେକ୍ନୋଲୋଜି ଏହି ବର୍ଗରେ ଯାନ ଚାହିଦା ବଢ଼ାଉଛି । ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ରାଜ୍ୟ ସଭାପତି, ଅଖିଳ ପୋଦ୍ଦାର କହିଛନ୍ତି, ଇଭି ବିକ୍ରି ରେକର୍ଡ ସ୍ତରରେ ରହିଛି । ଓଡ଼ିଶାରେ ପ୍ରତିବର୍ଷ ଏହାର ଚାହିଦା ବଢ଼ୁଛି । ସବ୍ସିଡି ଯୋଗୁ ଯାନ ଗୁଡ଼ିକ ଆକର୍ଷଣୀୟ ଲାଗୁଛି । ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୨.୧୯ ଲକ୍ଷ ଇଭି ପଞ୍ଜୀକରଣ ହୋଇଛି । ଇଭି କିଣା ଲାଗି ସରକାର ୩୪୦ କୋଟି ଟଙ୍କାର ସବ୍ସିଡି ଜାରି କରିଛନ୍ତି । ରାଜ୍ୟରେ ୬୮୦ ଇଭି ଯୋଡିଛନ୍ତି । ରାଜ୍ୟରେ ୧୯୮ ଇଭି ପବ୍ଲିକ ଚାର୍ଜିଂ ଷ୍ଟେସନ ରହିଛି । ଚଳିତ ବର୍ଷ ଆଉ ୧୦୦ ଇଭି ଚାର୍ଜିଂ ଷ୍ଟେସନ ବସାଇବା ନେଇ ଯୋଜନା ରହିଛି।
ଏହି ଖବରଟିକୁ ପଢନ୍ତୁ- Government EV plan : ରାଜ୍ୟରେ ସବୁ ସରକାରୀ ଗାଡ଼ି ହେବ ଇଭି, ପ୍ରତିଷ୍ଠା ହେବ ୧୦୦ ଚାର୍ଜିଂ ଷ୍ଟେସନ