- ମେଢ଼ରେ କୋଣାର୍କ ମନ୍ଦିର, କୋରାପୁଟ କଫି, ଘୋଡ଼ାନାଚର ଝଲକ
- ସମ୍ବଲପୁରୀ ବସ୍ତ୍ରରେ ଆଚ୍ଛାଦିତ ହେବ ମେଢ଼
- ୨୦୨୪ରେ ପ୍ରଥମ ପୁରସ୍କାର ମିଳିଥିଲା, ୨ ବର୍ଷ ପରେ ପୁଣି ଯିବ
ଭୁବନେଶ୍ୱର,୩୦/୧୨: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୁଇବର୍ଷ ପରେ ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ଓଡ଼ିଶାର ଭବ୍ୟ ପ୍ରଜ୍ଞାପନ ମେଢ଼ । ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିଛି ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ' । ଏହି ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ରାଜ୍ୟର ଅବଦାନ ଦେଖିବାକୁ ମିଳିବ । ବିଶ୍ୱବାସୀ ଓଡ଼ିଶାର ଏହି ଭବ୍ୟ ପ୍ରଜ୍ଞାପନ ମେଢ଼ ଜରିଆରେ ରାଜ୍ୟର ଅବଦାନକୁ ଜାଣିବେ । ୨୦୨୪ ସାଧାରଣତନ୍ତ୍ର ଦିବସରେ ଶେଷ ଥର ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିଥିଲା । ସେଥିରେ ପ୍ରଥମ ପୁରସ୍କାର ମଧ୍ୟ ଓଡ଼ିଶାକୁ ମିଳିଥିଲା ।
୨୦୨୬ରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ, ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ । ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭର ଭାରତ ଗଠନକୁ ଇନ୍ଧନ ଯୋଗାଉଛି, ତାହା ମଧ୍ୟ ପ୍ରଦର୍ଶିତ ହେବ । କୃଷି, ଶିଳ୍ପ, ଅର୍ଥନୀତି, ଷ୍ଟାର୍ଟଅପ୍, ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକାଠି କରାଯିବ ।
ଶ୍ରୀ ଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯିବ । ମଧ୍ୟଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର ଉତ୍କୃଷ୍ଟ କୃଷିର ପ୍ରତିନିଧି ସ୍ୱରୂପ କୋରାପୁଟ କଫି ଏବଂ ଏହାର ଅପର ପାଶ୍ୱର୍ରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଟିଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ରେ ପ୍ରତିଫଳିତ ହେବ । ପଶ୍ଚାତ୍ ଭାଗରେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଏବଂ କାଳଜୟୀ କଳାତ୍ମକ ଐତିହ୍ୟର ନିଦର୍ଶନ ସ୍ୱରୂପ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନ ପାଇବ । ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢ଼ର ଉଭୟ ପାଶ୍ୱର୍ରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସି କାରୁକାର୍ଯ୍ୟ, ଓଡ଼ିଶାର ସାଂସ୍କୃତିକ ଓ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ । ଏଥିସହ ଷୋଡ଼ଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ଥିବା ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ଚଇତି ଘୋଡ଼ା ଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢ଼ର ଉଭୟ ପାଶ୍ୱର୍ରେ ଉପସ୍ଥାପନ କରିବେ ।
ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୧ରୁ ଚଳିତ ମାସ ୨୨ ତାରିଖ ମଧ୍ୟରେ ମୋଟ ୫ଟି ପର୍ଯ୍ୟାୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟିର ପର୍ଯ୍ୟାଲୋଚନା ପରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶନ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ପ୍ରାପ୍ତ ହୋଇଛି ।
ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟ ପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା । ଓଡ଼ିଶାର ହସ୍ତତନ୍ତ ଓ ବୟନ କଳା ଉପରେ ଆଧାରିତ ୨୦୨୫ର ପ୍ରଜ୍ଞାପନ ମେଢ଼ ଜାନୁଆରୀ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ନିକଟରେ ଅନୁଷ୍ଠିତ ଭାରତ ପର୍ବର ‘ଦେଖୋ ଅପନା ଦେଶ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।
ଏହି ଖବରଟିକୁ ପଢ଼ନ୍ତୁ:- ବର୍ଷ ଶେଷରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ୧୧ଟି ବିଭାଗରେ ୧୫୪୩ ନବ ନିଯୁକ୍ତଙ୍କୁ ମିଳିବ ଆପଏଣ୍ଟମେଣ୍ଟ ଲେଟର