ମୁମ୍ବାଇ, ୧୫/୦୧: ଆଜିଠୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ୟୁଏସ୍ଏ ପରସ୍ପରକୁ ଭେଟିବେ । ଗ୍ରୁପ୍ ବି’ର ଏହି ମୁକାବିଲା ଏକତରଫା ହେବା ଆଶା କରାଯାଇପାରେ । ଭାରତୀୟ ସମୟ ଦିନ ୧ଟାରୁ ମ୍ୟାଚ୍ ଆରମ୍ଭ ହେବ । ୟୁଏଏ ତୁଳନାରେ ଭାରତୀୟ ଦଳ ବେଶ ଶକ୍ତିଶାଳୀ । ନିକଟ ଅତୀତରେ ଭାରତୀୟ ଦଳ ଅନେକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟୁର୍ଣ୍ଣାମେଣ୍ଟ ଖେଳି ଅଭିଜ୍ଞତା ଅର୍ଜନ କରିସାରିଛି । ଦଳର ଅଧିକାଂଶ ଖେଳାଳି ସିନିୟର ସ୍ତରରେ ଘରୋଇ କ୍ରିକେଟ୍ ଖେଳୁଛନ୍ତି । ତେଣୁ ଭାରତ ଆସନ୍ତା କାଲି ପଏଣ୍ଟ ଖାତା ଖୋଲିବା ଆଶା କରାଯାଉଛି ।

ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ୧୪ ବର୍ଷୀୟ ବୈଭବ ନିୟମିତ ଭାବେ ଗୋଟିଏ ପରେ ଗୋଟିଏ ରେକର୍ଡ ଭଙ୍ଗ କରି ସାରିଛନ୍ତି । ପ୍ରାୟତଃ ସବୁ ଟୁର୍ଣ୍ଣାମେଣ୍ଟରେ ସେ ଶତକ ଅର୍ଜନ କରିଛନ୍ତି । ଗତ ବର୍ଷ ଆଇପିଏଲ୍‌ରୁ ତାଙ୍କ ଶତକ ଅଭିଯାନ ଆରମ୍ଭ ହୋଇଥିଲା । ଗତ ୧୯ ବର୍ଷରୁ କମ୍ ଏସିଆ କପ୍‌ରେ ମଧ୍ୟ ସେ ଧୂଆଁଧାର ବ୍ୟାଟିଂ କରିଥିଲେ ।

ଅଧିନାୟକ ଆୟୂଷ ମାହତ୍‌ରେ ମଧ୍ୟ ଭାରତର ବ୍ୟାଟିଂ ବିସ୍ମୟ ଭାବେ ଗଣା ହେଉଛନ୍ତି । ମାତ୍ର ତାଙ୍କ ବ୍ୟାଟ୍‌ରୁ ନିୟମିତ ଭାବେ ବଡ଼ ଇନିଂସ ଦେଖିବାକୁ ମିଳୁନାହିଁ । ବିଶ୍ୱକପ୍‌ରେ ସେ ଅସଲ ଦକ୍ଷତା ଦେଖାଇବା ଆଶା କରାଯାଉଛି ।

ଅନ୍ୟମାନଙ୍କ ମଧ୍ୟରେ ଆରନ ଜର୍ଜ, ୱିକେଟ୍ କିପର ଅଭିଜ୍ଞାନ କୁଣ୍ଡୁ, ଭିହାନ ମଲହୋତ୍ରା ଓ ଆର ଏସ ଆମ୍ବ୍ରିସ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ନଜରରେ ରହିବେ । କୁଣ୍ଡୁ ଗତ ଏସିଆ କପ୍‌ରେ ଦ୍ୱିଶତକ ଅର୍ଜନ କରିଥିଲେ । ଆରନ ମଧ୍ୟ ଶତକୀୟ ପାଳି ଖେଳିଥିଲେ । ଭାରତର ବୋଲିଂ ବିଭାଗ ବେଶ ସନ୍ତୁଳିତ । ମାତ୍ର ଶୃଙ୍ଖଳିତ ବୋଲିଂ ଜରୁରି । ପେସ୍ ବୋଲର ଦୀପେଶ ଦେବେନ୍ଦ୍ରନ ଚମତ୍କାର ଫର୍ମରେ ରହିଛନ୍ତି । ଗତ ଏସିଆ କପରେ ସେ ୫ଟି ମ୍ୟାଚ୍‌ରୁ ୧୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକାରେ ମଧ୍ୟ ସେ ୨ଟି ମ୍ୟାଚ୍‌ରୁ ନେଇଥିଲେ ୩ଟି ୱିକେଟ୍ । ବିଶ୍ୱକପ୍ ୱାର୍ମ ଅପ ମ୍ୟାଚ୍‌ରେ ସେ ୨ଟି ମ୍ୟାଚ୍‌ରେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଭାରତୀୟ ବଂଶୋଦ୍ଭବ ଉତ୍କର୍ଷ ଶ୍ରୀବାସ୍ତବ ୟୁଏସଏ ଦଳର ନେତୃତ୍ୱ ନେଉଛନ୍ତି । ଦଳରେ ଅଦନିତ ଝାମ୍ବ, ନୀତିଶ ସୁଧିନି ଓ ଅର୍ଜୁନ ମହେଶଙ୍କ ଭଳି କିଛି ପ୍ରତିଭାବାନ ବ୍ୟାଟର ରହିଛନ୍ତି । ସହିର ଭାଟିଆ, ସବ୍ରିଶ ପ୍ରସାଦ ଓ ରାୟାନ ତାଜ ବୋଲିଂ ବିଭାଗ ସମ୍ଭାଳିବେ । ଭାରତକୁ ହରାଇବାକୁ ହେଲେ ପ୍ରାରମ୍ଭରୁ ସାହସିକ ପ୍ରଦର୍ଶନ କରିବାକୁ ପଡ଼ିବ ।

ଭାରତୀୟ ଦଳ: ଆୟୂଷ ମାହତ୍ରେ(ଅଧିନାୟକ), ଭିହାନ ମଲହୋତ୍ରା(ଉପ ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରନ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂହ, ଆରଏସ ଆମ୍ବ୍ରିସ, କନିଷ୍କ ଚୌହାନ, ଖିଲାନ ପଟେଲ,ମହମ୍ମଦ ଇନାନ, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ, କିଷନ କୁମାର ସିଂହ, ଉଦ୍ଧବ ମୋହନ ।

ୟୁଏସଏ ଦଳ: ଉତ୍କର୍ଷ ଶ୍ରୀବାସ୍ତବ(ଅଧିନାୟକ), ଶିବ ଶନି, ନୀତିଶ ସୁଦିନି, ଅମୋଘ ରେଡ୍ଡୀ, ଅର୍ଜୁନ ମହେଶ, ସହର୍ସ ସ୍ୱେଥନ, ରିତ୍ୱିକ ଆପିଡ଼ି, ଅଦନିତ ଝାମ୍ବ, ରାୟାନ ତାଜ, ସୁପ୍ରାଂଶ କୁମାର, ସବ୍ରିଶ ପ୍ରସାଦ, ସାହିଲ ଗର୍ଗ, ଅମରିନ୍ଦର ଗିଲ, ଅଦିତ କାପା, ଅଦ୍ୱେତ କ୍ରିଷ୍ଣା, ସାହିର ଭାଟିଆ, ରିଷଭ ସିମ୍ପି।