ନୂଆଦିଲ୍ଲୀ, ୮।୪: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ସାମୟିକ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ ଏହି ଡିଲ୍ରେ ନିଜକୁ ପ୍ରତାରିତ ମନେ କରୁଛି । ଇରାନର ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣରେ ବହୁତ କ୍ଷତି ସହିଥିବା UAE ଏବେ ଏହି ସବୁ ପରିସ୍ଥିତି ପାଇଁ ପାକିସ୍ତାନର 'ଧୋକା'କୁ ଦାୟୀ କରିଛି । ମଧ୍ୟପ୍ରାଚ୍ୟ ବ୍ୟାପାର ବିଶେଷଜ୍ଞ ଅମଜଦ ତାହା ଏକ୍ସ ମାଧ୍ୟମରେ ପାକିସ୍ତାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ହିଁ ଇରାନର ଆତଙ୍କୀ ଶାସନକୁ ଜୀବିତ ରଖିଛି । ଏହି ଦୁଇ ସପ୍ତାହର ଅସ୍ତ୍ରବିରତି ପାକିସ୍ତାନ ମଧ୍ୟସ୍ଥତାରେ ହୋଇଛି, କିନ୍ତୁ ଏଥିରେ UAE, ଜୋର୍ଡାନ କିମ୍ବା ଅନ୍ୟ ଖାଡ଼ି ଦେଶଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ କୌଣସି ସର୍ତ୍ତ ରଖାଯାଇନାହିଁ । ତାହା ଚେତାବନୀ ଦେଇ କହିଛନ୍ତି, "ଆମେ ଏହି ପଛୁଆ ଚିନ୍ତାଧାରା ଏବଂ ବିଶ୍ୱାସଘାତକତାକୁ କେବେବି ଭୁଲିବୁ ନାହିଁ ।"
ଏହା ବି ପଢ଼ନ୍ତୁ... ଇରାନ-ଆମେରିକା ଯୁଦ୍ଧବିରତି ପରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭୟଙ୍କର ଟ୍ରୋଲ୍, ଏକ୍ସ ପୋଷ୍ଟରୁ ହଟାଇବାକୁ ଭୁଲି ଯାଇଥିଲେ 'ଡ୍ରାଫ୍ଟ' ଶବ୍ଦ
ଟଙ୍କା ଫେରସ୍ତ ମାଗିଲା UAE, ବଢ଼ିଲା ପାକିସ୍ତାନର ଚିନ୍ତା:
ଏହି ବିବାଦ ଏପରି ସମୟରେ ଆସିଛି ଯେତେବେଳେ UAE ପାକିସ୍ତାନକୁ ଦେଇଥିବା ୩.୫ ବିଲିୟନ ଡଲାରର ଋଣ ତୁରନ୍ତ ଫେରସ୍ତ ମାଗିଛି । ଏହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସୈଫ ଅଲଦେରାଇ ପାକିସ୍ତାନ ପିଏମ୍ ଶେହବାଜ ଶରିଫଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପାକିସ୍ତାନ କେବଳ ଇରାନର ସ୍ୱାର୍ଥ ରକ୍ଷା କରୁଛି ଏବଂ ଖାଡ଼ି ଦେଶଗୁଡ଼ିକର ସୁରକ୍ଷାକୁ ଅଣଦେଖା କରୁଛି ।
ବିବାଦର ମୁଖ୍ୟ କାରଣ:
ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ: ସିଜଫାୟାର ପରେ ବି ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ସମ୍ପୂର୍ଣ୍ଣ ଖୋଲିନାହିଁ ।
ଭାରି ଟ୍ୟାକ୍ସ: ଇରାନ ଏବଂ ଓମାନ ମିଶି ଏହି ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ବହୁ ପରିମାଣର ଟୋଲ୍ ଟ୍ୟାକ୍ସ ଆଦାୟ କରିବାକୁ ଯୋଜନା କରୁଛନ୍ତି ।
କ୍ଷତିପୂରଣ: ଇରାନ ଆକ୍ରମଣରେ UAEର ଯେଉଁ କ୍ଷତି ହୋଇଛି, ସେଥିପାଇଁ ଏହି ଡିଲ୍ରେ କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ ।
UAEର ରାଜନୈତିକ ପରାମର୍ଶଦାତା ଅନୱର ଗାରଗାଶ କହିଛନ୍ତି ଯେ, କେବଳ ଆମେରିକା ସହ ଅସ୍ତ୍ରବିରତି କଲେ ସ୍ଥାୟୀ ଶାନ୍ତି ଆସିବ ନାହିଁ । ଏହି ଅଞ୍ଚଳରେ ଇସ୍ରାଏଲର ପ୍ରଭାବ ବଢ଼ାଇବା ଏବଂ ଏକ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗଠନ କରିବା ଜରୁରୀ । ଏହି ଘଟଣା ପରେ ପାକିସ୍ତାନ ଏବଂ UAE ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଥିବା ଚର୍ଚ୍ଚା ହେଉଛି ।