ରାଜସ୍ଥାନ, ୩୦।୪: ସାଧାରଣତଃ ଗୁଣ୍ଡୁଚି ମୂଷା ଦେଖିବାକୁ ବହୁତ ଶାନ୍ତ ଏବଂ ନିରୀହ ପ୍ରାଣୀ । କିନ୍ତୁ ରାଜସ୍ଥାନର ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ଆର୍ଟସ କଲେଜ ପରିସରରେ ଏକ ଗୁଣ୍ଡୁଚି ମୂଷାର ଆତଙ୍କ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି । ବିଗତ ଏକ ମାସ ମଧ୍ୟରେ ଏହି ଗୁଣ୍ଡୁଚି ମୂଷା ପ୍ରାୟ ୧୮ରୁ ଅଧିକ ଛାତ୍ରଛାତ୍ରୀ ଏବଂ କଲେଜ କର୍ମଚାରୀଙ୍କୁ କାମୁଡ଼ି ଗୁରୁତର କରିସାରିଲାଣି । ଏହି ଘଟଣା ପରେ କଲେଜ କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଛି । କଲେଜ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ଗୁଣ୍ଡୁଚି ମୂଷାଟି ଅତି ଭୟଙ୍କର ଭାବେ ଲୋକଙ୍କ ଉପରକୁ ଡେଇଁ ପଡ଼ୁଛି ଏବଂ ସେମାନଙ୍କୁ କାମୁଡ଼ି ଦେଉଛି । ପରିସ୍ଥିତି ଏପରି ହୋଇଛି ଯେ, ଛାତ୍ରଛାତ୍ରୀମାନେ ଏବେ କଲେଜ ପରିସରରେ ଥିବା ଖୋଲା ପଡ଼ିଆରେ ବସିବାକୁ ମଧ୍ୟ ଡରୁଛନ୍ତି । ଯେଉଁମାନଙ୍କୁ ଗୁଣ୍ଡୁଚି ମୂଷା କାମୁଡ଼ିଛି, ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ରେବିଜ୍ ଇଞ୍ଜେକ୍ସନ ଦିଆଯାଉଛି ।

କ’ଣ କହୁଛନ୍ତି ବିଶେଷଜ୍ଞ ?

ଏହି ଅସ୍ୱାଭାବିକ ବ୍ୟବହାରକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ:

ଅତ୍ୟଧିକ ଗରମ ଓ ବ୍ରେନ୍ ଡିସଅର୍ଡର: 'ପିପୁଲ୍ସ ଫର ଆନିମଲ୍ସ'ର ସଭାପତି ସତ୍ୟଜିତ ରୟଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଗରମ ଯୋଗୁଁ ବନ୍ୟଜୀବଙ୍କ ମସ୍ତିଷ୍କରେ ବିକୃତି ବା 'ବ୍ରେନ୍ ଡିସଅର୍ଡର' ଦେଖାଦେଇପାରେ । ଭୋକ କିମ୍ବା ମାନସିକ ଅସନ୍ତୁଳନ ଯୋଗୁଁ ଗୁଣ୍ଡୁଚି ମୂଷାଟି ଏପରି ହିଂସ୍ର ହୋଇଥାଇପାରେ ।

ମାନସିକ ଅବସାଦ: ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ହିମାଂଶୁ ବ୍ୟାସଙ୍କ ମତରେ, ଗୁଣ୍ଡୁଚି ମୂଷା ନିଜ ପିଲାଙ୍କ ସୁରକ୍ଷା ପାଇଁ ଆକ୍ରମଣ କରିଥାଏ, କିନ୍ତୁ ଏତେ ସଂଖ୍ୟକ ଲୋକଙ୍କୁ କାମୁଡ଼ିବା ଏକ ମନସ୍ତାତ୍ତ୍ୱିକ ସମସ୍ୟା ହୋଇପାରେ । ବୋଧହୁଏ ପୂର୍ବରୁ କେହି ଏହାକୁ ପାଳିଥିଲେ ଏବଂ ପରେ ଛାଡ଼ିଦେବା ଫଳରେ ମଣିଷଙ୍କ ପ୍ରତି ତାର ଡର ପଳାଇଛି ।

​​​​​​​

କଲେଜ କର୍ତ୍ତୃପକ୍ଷଙ୍କ ପଦକ୍ଷେପ:

ଆର୍ଟସ କଲେଜର ଡିନ୍ ପ୍ରଫେସର ମଦନ ସିଂହ ରାଠୋର କହିଛନ୍ତି ଯେ, ଏହି ଘଟଣା ଜଣାପଡ଼ିବା ପରେ ବନ୍ୟପ୍ରାଣୀ ରେସକ୍ୟୁ ଟିମକୁ ଡକାଯାଇଥିଲା । କିନ୍ତୁ ଗୁଣ୍ଡୁଚି ମୂଷାଟିକୁ ଧରିବାରେ ସଫଳତା ମିଳିନାହିଁ । ପ୍ରଶାସନ ପକ୍ଷରୁ ପୁଣିଥରେ ରେସକ୍ୟୁ ଟିମକୁ ଡାକିବାକୁ ପ୍ରସ୍ତୁତି ଚାଲିଛି । ତେବେ କଲେଜ ପକ୍ଷରୁ ଗୁଣ୍ଡୁଚି ମୂଷା ପ୍ରତି ସାବଧାନ ରହିବାକୁ ସ୍ଥାନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ ଡାକ୍ତର ଓ.ପି. ମୀନା ଚେତାବନୀ ଦେଇଛନ୍ତି ଯେ, ଗୁଣ୍ଡୁଚି ମୂଷା କାମୁଡ଼ିବା ଦ୍ୱାରା ଗୁରୁତର ସଂକ୍ରମଣ ଏବଂ ରେବିଜ୍ ହେବାର ଭୟ ଥାଏ । ଯଦି ସଠିକ୍ ସମୟରେ ଚିକିତ୍ସା ନମିଳେ, ତେବେ ରୋଗୀକୁ 'ହାଇଡ୍ରୋଫୋବିଆ' ଅର୍ଥାତ୍ ଜଳାତଙ୍କ ହୋଇପାରେ, ଯେଉଁଥିରେ ମଣିଷ ପାଣିକୁ ଦେଖିଲେ ଡରିଥାଏ । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।