ମୁମ୍ବାଇ: ଆଗାମୀ ସ୍ଥାନୀୟ ନିର୍ବାଚନରେ ମେଣ୍ଟ ନେଇ ଚର୍ଚ୍ଚା ମଧ୍ୟରେ ଶିବସେନା (ୟୁବିଟି) ମୁଖ୍ୟ ଏବଂ ଏମଏନଏସ ଅଧ୍ୟକ୍ଷ ପୁଣି ଥରେ ସାକ୍ଷାତ କରିଛନ୍ତି । ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମଧ୍ୟରେ ପୁଣି ଥରେ ଭେଟଘାଟକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ବାରମ୍ବାର ଦୁଇ ଭାଇଙ୍କ ଏଭଳି ସାକ୍ଷାତ ରାଜ୍ୟ ରାଜନୀତିକୁ ସରଗରମ କରୁଛି । ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ରବିବାର ଦୁଇ ଭାଇଙ୍କ ସାକ୍ଷାତ ହୋଇଛି । ଶିବସେନା ସାଂସଦ ସଂଜୟ ରାଉତଙ୍କ ନାତିର ନାମକରଣ ଉତ୍ସବରେ ଦୁଇ ଭାଇଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିବା ବେଳେ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରରେ ଉଦ୍ଧବ, ରାଜ ଏବଂ ଆଦିତ୍ୟ ଠାକରେଙ୍କ ସମେତ ଶିବସେନା ନେତା ଅନିଲ ଦେସାଇ ଏବଂ ମିଲିନ୍ଦ ନରଓ୍ବେକରେ ହସଖୁସିରେ କଥା ହେଉଥିବା ଦେଖିବାକୁ ମିଳିଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଲାଗୁ ହେବାକୁ ଥିବା ତ୍ରିଭାଷୀ ସୂତ୍ର ମହାରାଷ୍ଟ୍ର ସରକାର ପ୍ରତ୍ୟାହାର କରିନେବା ପରେ ଦୁଇ ଭାଇ ମିଳିତ ଭାବରେ ‘ବିଜୟ ରାଲି’ ଆୟୋଜନ କରିଥିଲେ । ଏହି ରାଲି ପରଠାରୁ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଆହୁରି ବଢ଼ିଯାଇଛି ଏବଂ ସାକ୍ଷାତ ଆଲୋଚନା ଜାରି ରହିଛି । ଗତମାସ ଏମଏନଏସ୍ ମୁଖ୍ୟଙ୍କ ଦାଦାର ସ୍ଥିତ ବାସଭବନରେ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେହିଭଳି ଗଶେଶ ପୂଜାରେ ପରିବାର ସହ ସେ ରାଜ ଠାକରେଙ୍କ ଘରକୁ ଯାଇଥିଲେ ।
ସେପଟେ ଜୁଲାଇ ମାସରେ ଉଦ୍ଧବ ଠାକରେଙ୍କ ଜନ୍ମଦିନରେ ମୁମ୍ବାଇ ବାନ୍ଦ୍ରାରେ ଥିବା ତାଙ୍କ ବାସଭବନ ‘ମାତୋଶ୍ରୀ’ ଯାଇଥିଲେ ରାଜ ଠାକରେ । ୨୦୦୫ରେ ଶିବସେନାରୁ ଅଲଗା ହୋଇଥିଲେ ରାଜ । ଏବଂ ଏଥିପାଇଁ ଉଦ୍ଧବ ଦାୟୀ ବୋଲି ସେ କହିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ଏମଏନଏସ୍ର ଶୋଚନୀୟ ପରାଜୟ ଦୁହିଁଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିଥିବା କୁହାଯାଉଛି । ଏସବୁ ଭିତରେ ଦୁଇ ଦଳ ଆଗାମୀ ପୌର ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବୋଲି ଅନେକ ଥର ଇସାରା ଦେଇଛନ୍ତି । କିନ୍ତୁ ମେଣ୍ଟ ନେଇ ଉଭୟ ପକ୍ଷ କୗଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।
ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା (ୟୁବିଟି), କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଏନସିପି ମେଣ୍ଟରେ ଅଛନ୍ତି । ମହାବିକାଶ ଅଘାଡ଼ି ମେଣ୍ଟରେ ଥିବା ଏହି ୩ ଦଳ ସହ ଯୋଗ ଦେଇପାରେ ଏମଏନଏସ୍ । ସେପଟେ ଶିବସେନା (ୟୁବିଟି)ର ବଡ଼ ସମାଲୋଚକ ବିଜେପିକୁ ସମର୍ଥନ ଦେଇଆସିଥିବା ରାଜ ଠାକରେଙ୍କ ଆଭିମୁଖ୍ୟ ମଧ୍ୟ ପରିବର୍ତ୍ତନ ହେବା ସ୍ବାଭାବିକ । ସମ୍ଭାବ୍ୟ ମେଣ୍ଟ ପରେ ରାଜ ଠାକରେ ବିଜେପିକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିପାରନ୍ତି