ନୂଆଦିଲ୍ଲୀ,୨୦/୦୬; ପଶ୍ଚିମ ଏସିଆରୁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି । ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ପରେ ଇସ୍ରାଏଲ ଏବଂ ଲେବାନନର ହିଜ୍ବୁଲ୍ଲା ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଯୁଦ୍ଧବିରତି ହୋଇଛି । ଶୁକ୍ରବାର ସନ୍ଧ୍ୟାରୁ ହିଁ ଏହି ଯୁଦ୍ଧବିରତି ଲାଗୁ ହୋଇଛି । ଏ ନେଇ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ପ୍ରକାଶ ପାଇଛି । ଆମେରିକା ଏବଂ କାତାର ବାର୍ତ୍ତାକାରଙ୍କ ମଧ୍ୟସ୍ଥତାରେ ତଥା ଇରାନ ସହଯୋଗରେ ଏହି ବୁଝାମଣା କରାଯାଇଥିବା ଜଣାଯାଇଛି । ଏହି ୩ ଦେଶର ମିଳିତ ପ୍ରୟାସରେ ଉଭୟ ପକ୍ଷ ଆକ୍ରମଣ ରୋକିବାକୁ ସହମତ ହୋଇଛନ୍ତି । ଇସ୍ରାଏଲ ଏବଂ ହିଜ୍‌ବୁଲ୍ଲା ମଧ୍ୟରେ ଏହା ଦ୍ୱିତୀୟ ଯୁଦ୍ଧବିରତି । ଗତ ଏପ୍ରିଲ ୧୬ରେ ଉଭୟ ପକ୍ଷ ମଧ୍ୟରେ ୧୦ ଦିନ ପାଇଁ ଯୁଦ୍ଧବିରତି ହୋଇଥିଲା । କିନ୍ତୁ କିଛି ଦିନରେ ହିଁ ପୁଣି ଉଭୟେ ପରସ୍ପରକୁ ଆକ୍ରମଣ କରିଥିଲେ ।

ସଦ୍ୟ ବୁଝାମଣା ପୂର୍ବରୁ ଇସ୍ରାଏଲ ଏବଂ ଇରାନ ସମର୍ଥିତ ଗୋଷ୍ଠୀ ହିଜ୍ବୁଲ୍ଲା ମଧ୍ୟରେ ଲେବାନନରେ ଗୁରୁବାର ରାତିରେ ସଂଘର୍ଷ ତୀବ୍ର ହୋଇଥିଲା । ଦକ୍ଷିଣ ଲେବାନନରେ ହିଜ୍ବୁଲ୍ଲା ଆକ୍ରମଣରେ ଇସ୍ରାଏଲର ୪ ସୈନିକ ନିହତ ହୋଇଥିଲେ । ଏହାର ଜବାବରେ ଇସ୍ରାଏଲ ଆକ୍ରମଣରେ ଲେବାନନରେ ଅନ୍ୟୁନ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଲେବାନନରେ ଆହୁରି ଭୟଙ୍କର ଆକ୍ରମଣ କରିବା ନେଇ ଇସ୍ରାଏଲ ଚେତାବନୀ ଦେଇଥିଲା । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହେବା ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ଜାରି ରହିବା ଦ୍ୱାରା ଏହି ଚୁକ୍ତିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଫଳରେ ଇସ୍ରାଏଲ ଆକ୍ରମଣ ବନ୍ଦ ରଖିବା ଲାଗି ଏହା ଉପରେ ଚାପ ବଢ଼ିଥିଲା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ସର୍ବସମ୍ମୁଖରେ ଇସ୍ରାଏଲକୁ ସମାଲୋଚନା କରି ଲେବାନନ ପ୍ରତି ଦାୟିତ୍ୱବାନ ହେବାକୁ କହିଥିଲେ । ଅନ୍ୟପକ୍ଷରେ ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱିଜରଲାଣ୍ଡରେ ଶୁକ୍ରବାର ହେବାକୁ ଥିବା ଆଲୋଚନା ଟାଳିଦିଆଯାଇଛି । ଆଗାମୀ ଦିନରେ ଏହି ବୈଠକ ବସିବ ବୋଲି ଇରାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେପଟେ ଯୁଦ୍ଧରେ ଇରାନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥିବା ଟ୍ରମ୍ପ୍ କହିଛନ୍ତି । ଇରାନର ବାୟୁସେନା, ନୌସେନା, ବାୟୁ ପ୍ରତିରକ୍ଷା ଉପକରଣ, ରାଡାର ଆଉ କିଛି ବି ବଞ୍ଚିନି । ଏଥିସହ ଇରାନକୁ ଆମେରିକା ଗୋଟିଏ ଡଲାର ବି ଦେବ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି । ଆମେରିକା-ଇରାନ ଶାନ୍ତି ଚୁକ୍ତି ପରେ ହୋର୍ମୁଜରେ ଜାହାଜ ଚଳାଚଳ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ...Israel attack on Lebanon: ଲେବନାନରେ ଇସ୍ରାଏଲର ଭୟାବହ ଏୟାରଷ୍ଟ୍ରାଇକ; ୧୬ ମୃତ, ପାଲଟା ଜବାବରେ ୪ ଇସ୍ରାଏଲୀ ସୈନ୍ୟ ସଫା

ଗୁରୁବାର ହୋର୍ମୁଜ ଦେଇ ପ୍ରାୟ ୨୫ ବାଣିଜ୍ୟିକ ଜାହାଜ ଚଳାଚଳ କରିଥିଲେ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ଦେଇ ଯାତାୟାତ କରୁଥିବା ଜାହାଜ ଉପରେ କଡ଼ା ନଜର ରଖିବା ଏବଂ ସେଗୁଡ଼ିକର ପଞ୍ଜୀକରଣ କରାଇବା ଲାଗି ଇରାନ ପର୍ସିଆନ୍ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି ନାମରେ ଏକ ନୂଆ ସରକାରୀ ବିଭାଗ ବା ପ୍ରାଧିକରଣ ବନାଇଛି । ଏହି ପ୍ରାଧିକରଣ ଶୁକ୍ରବାର ନୂଆ ମାର୍ଗଦର୍ଶିକା ଜାରି କରିଛି । ହୋର୍ମୁଜ ଦେଇ ଯାଉଥିବା ସମସ୍ତ ବାଣିଜ୍ୟିକ ଜାହାଜ ପ୍ରଥମେ ନିଜକୁ ପଞ୍ଜୀକରଣ କରାଇବାକୁ ଏଥିରେ କୁହାଯାଇଛି । ପରବର୍ତ୍ତୀ ସମୟରେ ଇରାନ ଜାହାଜଗୁଡିକ ଉପରେ ଶୁଳ୍କ ଲଗାଇପାର ବୋଲି ଆଶଙ୍କା କରାଯାଉଛି ।