ଭୁବନେଶ୍ୱର,୦୯/୧୧: ଖାଲିଥିବା ଯୁକ୍ତ ତିନି, ପିଜି  ଏବଂ ୨ ବର୍ଷିଆ ବିଏଡ୍‌ ପାଠ୍ୟକ୍ରମ ସିଟ୍‌ରେ ହେବ ନାମଲେଖା । ସାମ୍‌ସ ପୋର୍ଟାଲ୍‌ ମାଧ୍ୟମରେ ହେବ ନାମଲେଖା । ଏନେଇ  ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପକ୍ଷରୁ  ‘ଏକ୍ସ’ରେ ସୂଚନା ଦିଆଯାଇଛି । 

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି,  ଛାତ୍ରଛାତ୍ରୀ, ଅଭିଭାବକ ଓ ଶୈକ୍ଷିକ ସମାଜର ଆଗ୍ରହରେ  ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନରେ ଖାଲିଥିବା ସିଟ୍‌ର ପରିସଂଖ୍ୟାନକୁ ଆଖିରେ ରଖି ନାମଲେଖା ହେବ । ଅନ୍ୟପଟେ ନାମଲେଖା ପ୍ରକ୍ରିୟା ଆରମ୍ଭ ଲାଗି ଉଚ୍ଚ  ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୧  ତାରିଖରୁ ସାମ୍‌ସ ୱେବ୍‌ସାଇଟ୍‌ରେ ଆବେଦନର ସୁଯୋଗ  ମିଳିବ । ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ ।  ୧୯ ତାରିଖରେ ର‌୍ୟାଙ୍କ ଲିଷ୍ଟ ପ୍ରକାଶ ପାଇବ । ୨୧ ତାରିଖ  ନାମଲେଖା ପାଇଁ ମନୋନୀତ କଲେଜ, ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରିବେ । ସ୍ପଟ୍‌ ନାମଲେଖା ପାଇଁ  ନିଜର ଡକ୍ୟୁମେଣ୍ଟ ଦାଖଲ କରିବେ । ପରେ ସେଠାରେ  ନାମଲେଖାର ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ଏହି  ଆଧାରରେ ଉଚ୍ଚଶିକ୍ଷାନୁଷ୍ଠାମାନେ ନାମଲେଖାଇବେ । ଏନେଇ  ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ରେରେ ପ୍ରକାଶ ପାଇବ । 




ରାଜ୍ୟରେ ସ୍ନାତକ ତଥା ଯୁକ୍ତ ତିନି ନାମଲେଖା ପାଇଁ ୨ ଲକ୍ଷ  ୭୪ ହଜାର ୩୪୩ ସିଟ୍‌ ଥିବା ବେଳେ ୨ ଲକ୍ଷ ୩ ହଜାର ୯୨୩  ସିଟ୍‌ରେ ନାମଲେଖା ହୋଇଛି । ଆହୁରି ୭୦ ହଜାର ୪୨୦ ସିଟ୍‌  ଖାଲି ପଡ଼ିଛି । ସେହିପରି ସ୍ନାତକୋତ୍ତର ତଥା ପିଜି ନାମଲେଖା  ପାଇଁ ୨୯ ହଜାର ୫୫୯ ସିଟ୍‌ ଥିବା ବେଳେ ୭୫୮୪ ସିଟ୍‌  ଖାଲି ପଡ଼ିଛି । ସେହିପରି ବିଏଡ୍‌ ଓ ଏମ୍‌ଏଡ୍‌ ନାମଲେଖା ପାଇଁ  ୨୭୫୦ ସିଟ୍‌ ଥିବା ବେଳେ ଆହୁରି ୫୬ ସିଟ୍‌ ଖାଲି ପଡ଼ିଛି ।