ନୂଆଦିଲ୍ଲୀ ୧୩/୦୪: ଉଗାଣ୍ଡା ସେନା ମୁଖ୍ୟ ମୁହୁଜି କୈନେରୁଗାବା ତୁର୍କୀ ଆଗରେ ଅଜବ ଦାବି ରଖିଛନ୍ତି । ଉଗାଣ୍ଡା ରାଷ୍ଟ୍ରପତି ୟୋବେରି ମୁଜେଭେନିଙ୍କ ପୁଅ ମୁହୁଜି କହିଛନ୍ତି, ତୁର୍କୀ ତାଙ୍କୁ ୧ ଅରବ ଡଲାର (ପ୍ରାୟ ୯ ହଜାର କୋଟି ଟଙ୍କା) ଏବଂ ଦେଶର ସବୁଠୁ ସୁନ୍ଦର ମହିଳାଙ୍କୁ ତାଙ୍କୁ ଦେଉ । ସେହି ମହିଳାଙ୍କୁ ସେ ବିବାହ କରିବେ । ଯଦି ତୁର୍କୀ ତାଙ୍କ ଦାବି ପୂରଣ ନ କରେ ତେବେ ୩୦ ଦିନ ଭିତରେ ତୁର୍କୀ ସହ ଉଗାଣ୍ଡା ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବ ଏବଂ ତୁର୍କୀଶ ଏୟାରଲାଇନ ଉପରେ ରୋକ ଲଗାଯିବ । ଏଥିସହ ଉଗାଣ୍ଡାରେ ଥିବା ତୁର୍କୀର ଦୂତାବାସ ମଧ୍ୟ ବନ୍ଦ କରାଯିବ ବୋଲି ସେ ଧମକ ଦେଇଛନ୍ତି । ଉଗାଣ୍ଡାବାସୀ ତୁର୍କୀକୁ ଯାତ୍ରା ନ କରିବାକୁ ସେ ପରାମର୍ଶ ଦେବା ସହ ଇସ୍ରାଏଲ ସମର୍ଥନରେ ୧ ଲକ୍ଷ ସୈନ୍ୟ ପଠାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ମୁହୁଜି ଅଭିଯୋଗ ଆଣିଛନ୍ତି ଯେ, ସୋମାଲିଆରେ ତୁର୍କୀ ଭିତ୍ତିଭୂମି, ବନ୍ଦର, ଏୟାରପୋର୍ଟ ପ୍ରକଳ୍ପ ଦ୍ୱାରା ବେଶ୍ ଲାଭବାନ ହୋଇଛି । କିନ୍ତୁ ଉଗାଣ୍ଡା ଅଲ୍-ଶବାବ ଭଳି ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଲଢ଼ିବାର ବୋଝ ଉଠାଇଛି । ତେଣୁ ଉଗାଣ୍ଡାର କ୍ଷତିଭରଣା ପାଇଁ ତୁର୍କୀକୁ ସେ ୧ ଅରବ ଡଲାର ମାଗିଛନ୍ତି । ମୁହୁଜି ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ କରି ବିବାଦକୁ ଆସିଛନ୍ତି । ନିକଟରେ ସେ ବିରୋଧୀ ଦଳ ନେତା ବବି ବାଇନ୍‌ଙ୍କ ମୁଣ୍ଡ କାଟ କରିବାକୁ ଧମକ ଦେଇଥିଲେ । ଏହାକୁ ନେଇ ବିବାଦ ତୀବ୍ର ହେବାରୁ ସେ ମଜା କରୁଥିବା କହିବା ସହ କ୍ଷମା ମଧ୍ୟ ମାଗିଥିଲେ । ଏହା ଭିତରେ ସେ ତାଙ୍କ ଏକ୍ସ ଆକାଉଣ୍ଟ ଡିଲିଟ୍ କରିଦେଇଥିଲେ । ନିକଟରେ ଏକ୍ସରେ ସେ ‘ଆଇ ଆମ୍ ବ୍ୟାକ୍’ ଲେଖି ଦୁନିଆକୁ ଦୋହଲାଇ ଦେବେ ବୋଲି କହିଥିଲେ । ଯେଉଁ ବ୍ୟକ୍ତି ସେନା ପୋଷାକ ପିନ୍ଧିଥିଲେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସେ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ ।

୨୦୨୨ରେ ମୁହୁଜି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ବିବାହ ବଦଳରେ ୧୦୦ ଗାଈ ଦେବେ ବୋଲି କହିଥିଲେ । ଯଦି ଇଟାଲୀ ତାଙ୍କ ପ୍ରସ୍ତାବ ଗ୍ରହଣ ନ କରେ ତେବେ ସେ ରୋମ୍ କବ୍‌ଜା କରିବେ ବୋଲି ଧମକ ଦେଇଥିଲେ । ସେହିପରି ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ସେ ରୁଷ୍‌କୁ ସମର୍ଥନ କରିଥିଲେ । ମସ୍କୋ ଉପରେ ବିପଦ ଆସିଲେ ଉଗାଣ୍ଡା ରୁଷ୍କୁ ସୈନ୍ୟ ପଠାଇବ ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ...'ଡିଲ୍ ମାତ୍ର କିଛି ଇଞ୍ଚ ଦୂରରେ ଥିଲା'...ଇରାନ ମନ୍ତ୍ରୀ କହିଲେ ପାକିସ୍ତାନରେ କିପରି ବିଗିଡିଲା କଥା