ନୂଆଦିଲ୍ଲୀ,୨।୪: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ବିଶ୍ବରେ ଶକ୍ତି ସଙ୍କଟ ଦେଖା ଦେଇଛି। ଏହାର ମୁଖ୍ୟ କାରଣ ହେଉଛି ‘ହର୍ମୁଜ ପ୍ରଣାଳୀ’ ବନ୍ଦ ହେବା, ଯାହାକି ଦୁନିଆର ତୈଳ ଟ୍ରାଞ୍ଜିଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମାର୍ଗ। ଏହି ସଙ୍କଟର ସମାଧାନ ପାଇଁ ୩୫ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ରଣଧୀର ଜୟସଓ୍ବାଲ ଗୁରୁବାର ଏହାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବ୍ରିଟେନ୍ ପକ୍ଷରୁ ଭାରତକୁ ଏହି ବହୁପାକ୍ଷୀୟ ବାର୍ତ୍ତାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି। ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରି ଭର୍ଚୁଆଲି ଅଂଶ ଗ୍ରହଣ କରିବେ। ଏହାର ଉଦ୍ଦେଶ୍ୟ ‘ହର୍ମୁଜ’କୁ ପୁଣିଥରେ ଖୋଲିବା ଓ ବିଶ୍ବ ଶକ୍ତି ଯୋଗାଣକୁ ସ୍ବାଭାବିକ କରିବା। ଯାହାଫଳରେ ବଢୁଥିବା ସଙ୍କଟକୁ କମ୍ କରିହେବ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟଓ୍ବାଲ ସୂଚନା ଦେଇଛନ୍ତି ଯେ, ୧ କୋଟି ଭାରତୀୟ ଏହି କ୍ଷେତ୍ରରେ ରୁହନ୍ତି। ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି। ସେ କହିଛନ୍ତି, ଭାରତୀୟ ଦୂତାବାସ ଲଗାତାର ତାଙ୍କ ସଂସ୍ପର୍ଶରେ ଅଛନ୍ତି। ତେବେ ସେ ଦୁଃଖ ପ୍ରକାଶ କରିଛନ୍ତି ଯେ, ଏହି ଯୁଦ୍ଧରେ ୮ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇସାରିଛି ଏବଂ ଜଣେ ନିଖୋଜ ଅଛନ୍ତି। ସରକାର ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ପୁରାପୁରି ସତର୍କ ଅଛନ୍ତି। ହର୍ମୁଜର ସ୍ଥିତି ଉପରେ ମଧ୍ୟ ସରକାର ନଜର ରଖିଛନ୍ତି। ଏହା ସହ ବୈଦେଶିକ ମନ୍ତ୍ରଣାଳୟ ଏହି କଥାକୁ ମନା କରିଦେଇଛି ଯେ, ହର୍ମୁଜ ଦେଇ ଯାଉଥିବା ଭାରତୀୟ ଜାହାଜ ଉପରେ କୌଣସି ପ୍ରକାର ଟ୍ୟାକ୍ସ ନିଆଯାଉ ନାହିଁ।

ଆହୁରି ପଢନ୍ତୁ : ‘ଭାରତୀୟ ବନ୍ଧୁ ସୁରକ୍ଷିତ ଅଛନ୍ତି...’ , ଯୁଦ୍ଧ ଭିତରେ ଭାରତକୁ ଇରାନର ଆଶ୍ବାସନା