ନୂଆଦିଲ୍ଲୀ,୨।୪: ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଭିତରେ ପଶ୍ଚିମ ଏସିଆରେ ସ୍ଥିତି ଖରାପ ରହିଛି। ତେବେ ଏହା ଭିତରେ ତେହରାନ ଭାରତକୁ ଦେଇଛି ବଡ଼ ଧରଣର ଆଶ୍ବାସନା। ଭାରତରେ ଥିବା ଇରାନ ଦୂତାବାସ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଆଶ୍ବସ୍ତ କରିବା ପାଇଁ ଗୁରୁବାର ଏକ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାରେ ଇରାନ ଦୂତାବାସ କହିଛି ଯେ, ଭାରତୀୟ ନାଗରିକ ସୁରକ୍ଷିତ ହାତରେ ଅଛନ୍ତି ଓ ଚିନ୍ତାର କୌଣସି କଥା ନାହିଁ।
ଦୂତାବାସ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି , ଆମର ଭାରତୀୟ ବନ୍ଧୁ ସୁରକ୍ଷିତ ହାତରେ ଅଛନ୍ତି। ଏବେ ଚିନ୍ତାର କୌଣସି କଥା ନାହିଁ।’ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଆଞ୍ଚଳିକ ବିବାଦ ଲଗାତାର ବଢିବାରେ ଲାଗିଛି। ଦୁଇପକ୍ଷର ଭିତରେ ଅସ୍ତ୍ରବିରତିର କୌଣସି ସଙ୍କେତ ମିଳିପାରିନି, ଯାହାଫଳରେ ସ୍ଥିତି ବିଗିଡିବାରେ ଲାଗିଛି। ଯୁଦ୍ଧ ଭିତରେ ବହୁ ଭାରତୀୟ ଇରାନ ଓ ଆଖପାଖର ଉପସାଗରୀୟ ଦେଶରେ ଫଶି ରହିଛନ୍ତି। ଏପର୍ଯ୍ୟନ୍ତ ବହୁ ଭାରତୀୟ ନିଜର ଜୀବନ ହରାଇ ସାରିଛନ୍ତି।
ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଏକ ବୟାନ ଜାରି କରିଥିଲା। ଏଥିରେ କୁହାଯାଇଥିଲା ଏସିଆରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାପରେ ଏପର୍ଯ୍ୟନ୍ତ ୧,୧୫୦ରୁ ଅଧିକ ଭାରତୀୟ ନାଗରିକ ଆର୍ମେନିୟ ଓ ଅଜରବୈଜାନର ସ୍ଥଳ ସୀମାର ପୋଷ୍ଟ ବାଟ ଦେଇ ଇରାନରୁ ବାହାରକୁ ଆସିଛନ୍ତି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ମଙ୍ଗଳବାର ୟୁଏଇରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟ ଆହତ ହୋଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,ତେହରାନ ସ୍ଥିତ ଆମର ଦୂତାବାସ ୮୧୮ ଛାତ୍ରଙ୍କ ସହିତ ୧୧୭୧ ଭାରତୀୟ ନାଗରିକଙ୍କୁ ଇରାନରୁ ଆର୍ମେନିଆ ଓ ଅଜରବୈଜାନର ସୀମା ବାଟ୍ ଦେଇ ବାହାର କରିବାରେ ସହାୟତା ପ୍ରଦାନ କରିଛି। ସେଠାରୁ ଆରମ ନାଗରିକ ପୁଣିଥରେ ଭାରତ ଫେରି ଆସୁଛନ୍ତି। ’ଜୟସଓ୍ବାଲ କହିଛନ୍ତି, ୯୭୭ ଭାରତୀୟ ନାଗରିକ ଇରାନରୁ ଆର୍ମେନିୟା ଓ ୧୯୪ ଅଜବୈଜାନରେ ଦାଖଲ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ୨୮ ଫେବୃଆରୀରେ ଯେତେବେଳେ ସଂଘର୍ଷ ଆରମ୍ଭ ହୋଇଥିଲା ସେତେବେଳେ ପ୍ରାୟ ୯,୦୦୦ ଭାରତୀୟ ଇରାନରେ ଥିଲେ।
ଉଲ୍ଲେଖନୀୟ ଯେ, ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଭିତରେ ଏପର୍ଯ୍ୟନ୍ତ ୮ ଭାରତୀୟ ନାଗରିକ ନିହତ ହୋଇଛନ୍ତି। ଚଳିତ ସପ୍ତାହରେ କୁଏତରେ ବିଜୁଳି ଓ ପାଣି ୟୁନିଟ୍ରେ ଇରାନର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେଭଳି ବୈଦେଶିକ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି,ମଙ୍ଗଳବାର ଦୁବାଇରେ ହୋଇଥିବା ଆକ୍ରମଣରେ ୩ ଭାରତୀୟ ନାଗରିକ ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଭିତରୁ ଜଣକୁ ଛୁଟି ଦିଆଯାଇଛି।’