ନୂଆଦିଲ୍ଲୀ,୦୪/୦୪:ହୋର୍ମୁଜ ପ୍ରଣାଳୀରେ ଜାହାଜଗୁଡି଼କର ସୁରକ୍ଷା ସହ ଜଡି଼ତ ପ୍ରସ୍ତାବ ଉପରେ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସସି)ରେ ହେବାକୁ ଥିବା ଭୋଟିଂ ଶୁକ୍ରବାର ଟଳିଛି । ଜାତିସଂଘରେ ଆଜି ଗୁଡ୍‌ ଫ୍ରାଇଡେ ଛୁଟି ହୋଇଥିବା ଯୋଗୁ କାର୍ଯ୍ୟକ୍ରମରେ ଏହି ପରିବର୍ତ୍ତନ କରାଯାଇଛି । ଶନିବାର ଏଥିନେଇ ଭୋଟ୍‌ ହେବ । ସେହି ସମୟରେ ସୁରକ୍ଷା ପରିଷଦର ୧୫ ସଦସ୍ୟ ବାହାରିନ୍‌ର ପ୍ରସ୍ତାବ ସଂପର୍କରେ ଭୋଟିଂ କରିବେ । ସେହି ପ୍ରସ୍ତାବରେ ହୋର୍ମୁଜରେ ଜାହାଜଗୁଡି଼କୁ ସୁରକ୍ଷା ଦେବାଲାଗି ସମସ୍ତ ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶଗୁଡି଼କୁ ଅନୁମତି ଦେବାକୁ ଦାବି କରାଯାଇଛି ।

ଆହୁରି ପଢନ୍ତୁ-ଭାରତ ଆସୁଥିବା ଇରାନୀ ତେଲ ଟ୍ୟାଙ୍କର ଚୀନ୍‌ ପଳାଇଲା, ଜାହାଜ ଟ୍ରାକିଂ ସଂସ୍ଥା କେପଲର ସୂଚନା

ତେବେ ୟୁଏନ୍‌ଏସସିରେ ସେହି ପ୍ରସ୍ତାବ ପାସ୍‌ ହେବାର ସମ୍ଭାବନା କମ୍‌ ଥିବା ମନେ କରାଯାଉଛି । କାରଣ ଚୀନ୍‌ ପୂର୍ବରୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ କୌଣସି ପ୍ରକାର ପ୍ରସ୍ତାବର ବିରୋଧ କରିବ ବୋଲି ସ୍ପଷ୍ଟ କରିସାରିଛି । ଚୀନ୍‌ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାବେଳେ ଦେଶ ନିକଟରେ ଭିଟୋ ପାୱାର ରହିଛି । ତେଣୁ ଚୀନ୍‌ ଚାହିଁଲେ ଏହାକୁ ଅଟକାଇ ଦେଇପାରିବ । ରୁଷ୍‌ ମଧ୍ୟ ହୋର୍ମୁଜ ଖୋଲିବା ଲାଗି ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି । ସୂଚନାଥାଉକି, ହୋର୍ମୁଜ ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ । ସେହି ମାର୍ଗ ଦେଇ ବିଶ୍ୱର ୨୦ ପ୍ରତିଶତ ଅଶୋଧିତ ତେଲ ପରିବହନ ହୋଇଥାଏ । ତେବେ ଆମେରିକା-ଇସ୍ରାଏଲ୍‌ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ସେହି ପ୍ରଣାଳୀକୁ ବନ୍ଦ କରିଦେଇଛି । ସେଥିଯୋଗୁ ସାରା ବିଶ୍ୱରେ ତେଲ, ଗ୍ୟାସ୍‌ର ସଙ୍କଟ ସୃଷ୍ଟି ହୋଇଛି ।