ନୂଆଦିଲ୍ଲୀ ୧୨/୦୫: କିଛି ଜିମ୍ରେ ଟ୍ରେନର୍ ଆପଣଙ୍କୁ ବାରମ୍ବାର କହିବେ- ‘ସାର୍, ଆପଣ ଏତେ ବ୍ୟାୟାମ କରୁଛନ୍ତି କିନ୍ତୁ ରେଜଲ୍ଟ ଦିଶୁନି’ । ଘଣ୍ଟାଘଣ୍ଟା କାଳ ଝାଳବୁହା ପରିଶ୍ରମ ପରେ ଟ୍ରେନର୍ଙ୍କ ଏ ପଦିଏ କଥା ମାନସିକ ଭାରାକ୍ରାନ୍ତ କରିବ । ବ୍ୟାୟାମ କରୁଥିବା ବ୍ୟକ୍ତି ଟ୍ରେନର୍ଙ୍କଠାରୁ ଅଧିକ କିଛି ଜାଣିବାକୁ ଚେଷ୍ଟା କରିବେ । ଏହା ହିଁ ଟ୍ରେନର୍ଙ୍କୁ ସୁଯୋଗ ଦେବ ଷ୍ଟେରଏଡ୍ ଓ ସପ୍ଲିମେଣ୍ଟ୍ ବେପାର ପାଇଁ । ଡାକ୍ତରଙ୍କ ବିନା ପରାମର୍ଶରେ ଲୋକେ ସହଜରେ ଷ୍ଟେରଏଡ୍ ମାୟାରେ ପଡିଯିବେ । ଷ୍ଟେରଏଡ୍ ନେବା ପରେ ପରେ ହିଁ ଶରୀରରେ ଏହାର ପ୍ରଭାବ ଦିଶିବା ଆରମ୍ଭ କରିଦେବ । ଜିମ୍ ଯାଉଥିବା ଯୁବବର୍ଗ ଏହା ଦ୍ୱାରା ତତ୍କାଳ ଏକଦମ୍ ଖୁସ୍ । କିନ୍ତୁ କିଛି ମାସ ପରେ ଏହାର ପାଶ୍ୱର୍ ପ୍ରତିକ୍ରିୟା କେତେ ବଡ଼ ବିପଦ ସୃଷ୍ଟି କରିବ ତାହା କେବଳ ଷ୍ଟେରଏଡ୍ ଉପରେ ଭରସା କରୁଥିବା ବ୍ୟକ୍ତି ହିଁ ଅନୁଭବ କରିବେ । ତେବେ ଏ ଷ୍ଟେରଏଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ? ଯିଏ ଷ୍ଟେରଏଡ୍ ବେପାର କରୁଛନ୍ତି ସେମାନେ କେତେ ବିଶ୍ୱାସଯୋଗ୍ୟ? ବେପାରର ମାଧ୍ୟମ ସାଜିଥିବା ଟ୍ରେନର୍ମାନେ ଯୋଗ୍ୟ, ସାର୍ଟିଫାଏଡ୍ ନା ନାହିଁ? ବର୍ତ୍ତମାନର ଜିମ୍ ଟ୍ରେଣ୍ଡ୍ରେ ଏମିତି ଅନେକ ପ୍ରଶ୍ନ ଉଠୁଛି । ଏ ଦିଗରେ ପ୍ରଶାସନ ପକ୍ଷରୁ କେବେ ଧରପଗଡ଼ ବି ହେଉନାହିଁ । ଏଭଳି ଅବୈଧ କାରବାରକୁ ରୋକିବାକୁ ବି କେବେ ପଦକ୍ଷେପ ନିଆଯାଇନାହିଁ । ଏମିତିକି ଜିମ୍ ଉପରେ ପ୍ରଶାସନର ନଜର କି ନିୟନ୍ତ୍ରଣ ବି ରହୁନାହିଁ ।
ସୁନ୍ଦର ଓ ସୁସ୍ଥ ଶରୀର ପାଇଁ ଜିମ୍ ଆଜିର ଦିନରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ବିଶେଷ କରି କରୋନା ମହାମାରୀ ପରଠାରୁ ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହୋଇଛନ୍ତି । ଏଥିପାଇଁ ଦୈନିକ ବ୍ୟାୟାମ କରିବା ସହ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେଉଛନ୍ତି । ବ୍ୟାୟାମକୁ ନେଇ ଲୋକଙ୍କ ମାନସିକତାରେ ଏ ପରିବର୍ତ୍ତନକୁ ସ୍ୱାଗତ କରାଯାଉଥିବା ବେଳେ ଅଯଥା ଷ୍ଟେରଏଡ୍ ବ୍ୟବହାର ଏବେ ବିପଜ୍ଜନକ ଟ୍ରେଣ୍ଡ୍ ପାଲଟିଲାଣି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ମୁତାବକ, ବ୍ୟାୟାମ ପାଇଁ ପ୍ରତ୍ୟେକ ମଣିଷଙ୍କୁ ଟେଷ୍ଟୋଷ୍ଟରନ୍ର ଆବଶ୍ୟକତା ରହିଥାଏ । ଶରୀରର ମାଂସପେଶୀ ବିକାଶରେ ଏହାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମେଡିକାଲ୍ ସାଇନ୍ସ ମୁତାବକ, ପୁରୁଷ ଶରୀର ପ୍ରତି ସପ୍ତାହକୁ ମାତ୍ର ୩୫ ରୁ ୪୦ ମିଲିଗ୍ରାମ୍ ଟେଷ୍ଟୋଷ୍ଟରନ୍ ପ୍ରସ୍ତୁତ କରିଥାଏ । ସାଧାରଣ ଢଙ୍ଗରେ ବ୍ୟାୟାମ କରିବା ଏବଂ ସୁନ୍ଦର ସ୍ୱାସ୍ଥ୍ୟର ବିକାଶ ଦିଗରେ ଏତିକି ମାତ୍ରା ପର୍ଯ୍ୟାପ୍ତ । କିନ୍ତୁ ଷ୍ଟେରଏଡ୍ ନେବା ପରେ ଏହି ମାତ୍ରା ସପ୍ତାହକୁ ପ୍ରାୟ ୩୦୦ ମିଲିଗ୍ରାମ୍ ପର୍ଯ୍ୟନ୍ତ ବଢାଇ ଦେଇଥାଏ । ଯାହାଫଳରେ ଅଧିକ ବ୍ୟାୟାମ କରିବାକୁ ଶକ୍ତି ମିଳେ ଓ ମାଂସପେଶୀର ଦ୍ରୁତ ବିକାଶ ହୁଏ । କିନ୍ତୁ ଶରୀରର ସନ୍ତୁଳନକୁ ଏହା ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଥାଏ ।
ଏବେ ଏହି ଷ୍ଟେରଏଡ୍ ବଜାରରେ ଉଭୟ ଇଞ୍ଜେକସନ୍ ଓ ଟାବଲେଟ୍ ଆକାରରେ ଉପଲବ୍ଧ । ଆନାବଲିକ୍, ସାଇପୋନେଟ୍, ସୁଷ୍ଟାନନ୍, ଡାଏନାବଲ୍, ଆନାଭର୍, ୱିନ୍ଷ୍ଟ୍ରଲ୍ ଭଳି କିଛି ଷ୍ଟେରଏଡ୍ସ ଏବେ ଜିମ୍ରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏ ସବୁ ଷ୍ଟେରଏଡ୍ ଅନେକ ଦେଶରେ ଅବୈଧ ଏବଂ ବିନା ଡାକ୍ତରୀ ପରାମର୍ଶରେ ବ୍ୟବହାର କରିବା ବେଆଇନ୍ । କିନ୍ତୁ ଏଠି ଜିମ୍ରେ ଏସବୁ ମନଇଚ୍ଛା ବ୍ୟବହାର ହେଉଛି । ଏ ନେଇ ବରିଷ୍ଠ ମେଡିସିନ୍ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା କହିଛନ୍ତି, ଜିମ୍ରେ ବ୍ୟାୟାମ କରନ୍ତୁ । ସ୍ୱାସ୍ଥ୍ୟକୁ ଜଗନ୍ତୁ । କିନ୍ତୁ ଅଯଥାରେ କାହାରି କଥାରେ ପଡି ପ୍ରୋଟିନ୍ ନାଁରେ ଷ୍ଟେରଏଡ୍ ଓ ସପ୍ଲିମେଣ୍ଟ୍ ନିଅନ୍ତୁ ନାହିଁ । ଏହାର କୁପ୍ରଭାବ ଯଥେଷ୍ଟ ଅଧିକ ରହିଛି । ହୃଦ୍ରୋଗ, ଲିଭର୍ ସମସ୍ୟା, ହରମୋନ୍ ଅନିୟନ୍ତ୍ରିତ କରିବାରେ ମଧ୍ୟ ଭୂମିକା ଗ୍ରହଣ କରୁଛି ଅବୈଧ ଷ୍ଟେରଏଡ୍ । ଏହାର ପ୍ରଭାବ ଦୀର୍ଘସ୍ଥାୟୀ, ଆପଣଙ୍କ ଜୀବନ ମଧ୍ୟ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ଡାକ୍ତର ପଣ୍ଡା । ଅନ୍ୟପକ୍ଷରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦୁ ଶତପଥୀ କହିଛନ୍ତି, ଜୀବନକୁ ବିପଦରେ ପକାଇବା ଭଳି ଷ୍ଟେରଏଡ୍ ବ୍ୟବହାରକୁ ପ୍ରଶାସନ ପ୍ରଶ୍ରୟ ଦେବନାହିଁ । ଆବଶ୍ୟକସ୍ଥଳେ ଆମେ ଜିମ୍ରୋ ଯାଞ୍ଚ୍ କରିବୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
ଆହୁରି ପଢ଼ନ୍ତୁ...ଖରାରେ ବି ହ୍ୱିସ୍କି, ରମ୍ ଅଧିକ ପସନ୍ଦ,୧୨.୬% ବଢ଼ିଛି ହାର୍ଡ ବିକ୍ରି , ବିୟର ବେପାର ମାନ୍ଦା