ବ୍ରହ୍ମପୁର,୧୨/୦୫: ବ୍ରହ୍ମପୁରରେ ଏବେ ହ୍ୱିସ୍‌କି, ରମ୍‌ ଭଳି ହାର୍ଡ ଡ୍ରିଙ୍କ୍‌ ଅଧିକ ପସନ୍ଦ । ବିୟର ଦ୍ୱିତୀୟ ପସନ୍ଦ । ଗତବର୍ଷ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ବିକ୍ରି ହୋଇଥିବା ମଦର ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ୧୨.୬ ପ୍ରତିଶତ ହାର୍ଡ ବିକ୍ରି ବଢ଼ିଛି ଏବଂ ବିୟର ବିକ୍ରି ୫.୮୭ ପ୍ରତିଶତ କମିଛି । ବିୟରରେ କମ୍‌ ନିଶା ରହୁଥିବାରୁ ପ୍ରାୟ ବିୟରକୁ ପସନ୍ଦ କରୁଥିଲେ । କିନ୍ତୁ ଏବେ ଅଧିକ ହାର୍ଡ-ହ୍ୱିସ୍‌କି ଓ ରମ୍‌ ପିଇବାକୁ ପସନ୍ଦ କରୁଛନ୍ତି । କେବଳ ଖରାଦିନେ ବିୟର ଅଧିକ ବିକ୍ରି ହେଉଛି, ନହେଲେ ସବୁ ସମୟରେ ହାର୍ଡକୁ ହିଁ ଗ୍ରାହକ ପସନ୍ଦ କରୁଛନ୍ତି ବୋଲି ଜଣେ ବାର୍‌ ମାଲିକ କହିଛନ୍ତି ।

ହ୍ୱିସ୍‌କି ଓ ରମ୍‌ରେ ଏବେ ବିଭିନ୍ନ ମୃଦୁପାନୀୟ ମିଶାଇବାକୁ ଆସୁଛି । ଯାହାଫଳରେ ବିୟର ଠାରୁ ମଧ୍ୟ ତାହାର ସ୍ୱାଦ ପସନ୍ଦ ଆସୁଛି । ତେଣୁ ଗ୍ରାହକ ବିୟର ଅପେକ୍ଷା ହାର୍ଡ ଅଧିକ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ଅବକାରୀ ରାଜସ୍ୱ ସର୍ବାଧିକ । ଦୁଇଟି ଅବକାରୀ ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ଦୁଇଶହ କୋଟି ଟଙ୍କା ରାଜସ୍ୱ ଆଦାୟ ହୁଏ । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୦୨୪ ଏପ୍ରିଲ୍‌ ୧ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ୩୧, ୮୧, ୯୫୭ ଲିଟର ହ୍ୱିସ୍‌କି ଓ ରମ୍‌ ବିକ୍ରି ହୋଇଛି । ୨୦୨୫ ଏପ୍ରିଲ୍‌ରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ୩୫, ୮୪, ୧୫୦ ଲିଟର ହ୍ୱିସ୍‌କି ଓ ରମ୍‌ ବିକ୍ରି ହୋଇଥିବା ଜଣାପଡିଛି । ପୂର୍ବବର୍ଷ ତୁଳନାରେ ୧୨.୬ ପ୍ରତିଶତ ଅଧିକ ହାର୍ଡ ବିକ୍ରି ହୋଇଥିବା ଏହି ରେକର୍ଡରୁ ସ୍ପଷ୍ଟ । ସେହିପରି ୨୦୨୪ ଏପ୍ରିଲ୍‌ ୧ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ୫୮, ୩୪, ୯୬୫ ଲିଟର ଏବଂ ୨୦୨୫ ଏପ୍ରିଲ୍‌ରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ୫୪, ୯୨, ୦୦୦ଲିଟର ବିୟର ବିକ୍ରି ହୋଇଛି । ଯାହା ପୂର୍ବବର୍ଷ ଅପେକ୍ଷା ୫.୮୭ ପ୍ରତିଶତ କମ୍‌ ।

ହାର୍ଡ ବିକ୍ରିକୁ ନେଇ ଅନ୍ୟ ଏକ କାରଣ ମଧ୍ୟ କୁହାଯାଉଛି । ଜଣେ ମଦ ଦୋକାନି କହିଛନ୍ତି ଯେ, ସହରରେ ବିୟର ଅଧିକ ବିକ୍ରି ହେଉଛି । କିନ୍ତୁ ଗ୍ରାମାଞ୍ଚଳରେ ଲୋକ ହାର୍ଡ ପିଉଛନ୍ତି । ସେମାନେ ଅଧିକ ନିଶା ପାଇଁ ହାର୍ଡ ପିଇଥାନ୍ତି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୩୬ଟି ବିଦେଶୀ ମଦ ଦୋକାନ ରହିଛି । ଗତ ୮ ତାରିଖରୁ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୩୧ଟି ମଦ ଦୋକାନ ପାଇଁ ଲଟେରୀ ବାହାରିଛି । ଜିଲ୍ଲାରେ ପାତ୍ରପୁର, ଦିଗପହଣ୍ଡି ବିଦେଶୀ ଦୋକାନ ପାଇଁ ଅଧିକାଂଶ ଆବେଦନକାରୀ ଆଗ୍ରହୀ ରହୁଛନ୍ତି । କାରଣ ଏହି ଅଞ୍ଚଳରେ ଅଧିକ ମଦ କାରବାର ହେଉଛି । ପାତ୍ରପୁର ଦୋକାନ ଆନ୍ଧ୍ରପ୍ରଦେଶ ସୀମାରେ ଥିବାରୁ ଆନ୍ଧ୍ରରୁ ମଧ୍ୟ ମଦ ପିଇବାକୁ ଏଠାକୁ ଆସୁଛନ୍ତି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ଗତ ମାର୍ଚ୍ଚ ମାସରୁ ଏପ୍ରିଲ୍‌ ମଧ୍ୟରେ ୩ ଲକ୍ଷ ଲିଟର ହ୍ୱିସ୍‌କି ଓ ରମ୍‌ ବିକ୍ରି ହୋଇଛି । ସରକାରୀ ଭାବେ ଏହି ରିପୋର୍ଟ ଥିବାବେଳେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ଚୋରାରେ ମଧ୍ୟ ବିଦେଶୀ ମଦ କାରବାର ହୋଇଥିବା ଅବକାରୀ ରିପୋର୍ଟରୁ ଜଣାପଡିଛି ।

ଅଧିକ ପଢ଼ନ୍ତୁ :-  ଆଜି ଆସିବ ସିବିଏସ୍‌ଇ ଦ୍ୱାଦଶ ଫଳ ! ଏଥର ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା