ଭୁବନେଶ୍ୱର,୦୫/୧୦: ଭୂମିହୀନଙ୍କୁ ଘର ପାଇଁ ମାଗଣାରେ ଜାଗା ଯୋଗାଇବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଜାଗା ଯୋଗାଇ ଦିଆଯିବ । କୌଣସି ହିତାଧିକାରୀ ଯେମିତି ଜାଗା ଅଭାବରୁ ଆବାସ ଘର ପାଇବାରୁ ବଞ୍ଚିତ ହେବେନି ସେଥିପାଇଁ ପଦକ୍ଷେପ  ନେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ  ଦେଇଛନ୍ତି । 

ଭୂମିହୀନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଜାଗା  ଦେବାକୁ ଆଜି ଏକ ଅନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ବସିଥିଲା ।  ଏଥିରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ  ରବିନାରାୟଣ ନାଏକ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ତହସିଲଦାରଙ୍କୁ ଦେବେ । ତହସିଲଦାରମାନେ ରାଜସ୍ୱ ନୀରିକ୍ଷକଙ୍କ ମାଧ୍ୟମରେ ଜାଗା ଚିହ୍ନଟ କରିବେ । ଏହାପରେ ଜାଗା ଯୋଗାଇ  ଦିଆଯିବ ।  

ଏହି କାମକୁ ତ୍ୱରାନ୍ୱିତ ତଥା ସମୀକ୍ଷା ପାଇଁ ପ୍ରଥମ ଶନିବାର ସମନ୍ୱୟ କମିଟି ବୈଠକ ହେବ । ବିଡିଓ ଏବଂ ତହସିଲଦାରଙ୍କ ଜରିଆରେ ଏହାକୁ  ଆଗତ କରାଯିବ । ବୈଠକର ନିଷ୍ପତ୍ତି ଅନୁସାରେ ଏହାକୁ କାର୍ଯ୍ୟକାରୀ  କରାଯିବ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାମ ତ୍ୱରାନ୍ୱିତ ହେବ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ହିତାଧିକାରୀ ଜାଗା ଅଭାବରୁ  ଘର ନିର୍ମାଣରୁ ବଞ୍ଚିତ ହେବେନି । ଜିଲ୍ଲାପାଳମାନେ ଏହି ଯୋଜନାର ଅଗ୍ରଗତି  ସମ୍ପର୍କରେ ପ୍ରତି ମାସରେ ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି।