ପାଟନା, ୧୫।୧: ଭାରତରେ ସାଇବର ଅପରାଧ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ତଦନ୍ତକାରୀ ଏଜେନ୍ସୀମାନଙ୍କ ଆଗରେ ବାରମ୍ବାର ଗୋଟିଏ ନୂଆ ଶବ୍ଦ ଆସୁଛି VoIP ଏକ୍ସଚେଞ୍ଜ । ସେହି ଶବ୍ଦଟି ହେଉଛି VoIP ଏକ୍ସଚେଞ୍ଜ । ବିହାରର ନାରାୟଣପୁର ଗାଁରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି । CBI ଏକ ଅବୈଧ ଫୋନ୍ ଏକ୍ସଚେଞ୍ଜର ତଦନ୍ତ ମାମଲା ହାତକୁ ନେଇଛି, ଯାହା ଇଣ୍ଟରନେଟ୍ କଲ୍କୁ ଲୋକାଲ୍ ମୋବାଇଲ୍ କଲରେ ରୂପାନ୍ତର କରି ବଡ଼ ଧରଣର ସାଇବର ଠକେଇ ହେଉଥିଲା । ଏହି ମାମଲା କେବଳ ଠକେଇ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଜାତୀୟ ସୁରକ୍ଷା ବିପଦ ମଧ୍ୟ ସୃଷ୍ଟି କରୁଛି ।
ନାରାୟଣପୁରର 'ସିକ୍ରେଟ୍' ସେଟ୍ଅପ୍ର ପର୍ଦ୍ଦାଫାସ:
ତଦନ୍ତ ସମୟରେ ବିହାରର ନାରାୟଣପୁର ଗାଁରୁ ଏକ ହାଇ-ଟେକ୍ ସିମ୍ ବକ୍ସ ମିଳିଥିଲା । ସିମ୍ ବକ୍ସ ହେଉଛି ଏକ ଡିଭାଇସ୍, ଯାହା ଏକାଧିକ ମୋବାଇଲ୍ ସିମ୍ କାର୍ଡ ଧାରଣ କରେ ଏବଂ ଏହା ଦ୍ୱାରା ଅନ୍ତର୍ଜାତୀୟ କଲ୍ଗୁଡ଼ିକୁ ଦେଶ ଭିତରେ ଲୋକାଲ କଲ୍ରେ ରୂପାନ୍ତର କରିହେବ । କଲ୍ ଏକ ଭାରତୀୟ ନମ୍ୱରରୁ ଆସୁଥିବାର ଦେଖି ଲୋକମାନେ ସହଜରେ ଠକାମିର ଶିକାର ହୁଅନ୍ତି । ସ୍କାମ୍ କଲ୍ରେ ଏହି ଏହି ପ୍ରଯୁକ୍ତିବିଦ୍ୟା ସବୁଠୁ ଅଧିକ ବ୍ୟବହୃତ ହୁଏ ।
୨୦ ହଜାରରୁ ଅଧିକ କଲ୍ ଏବଂ ବିଶାଳ ନେଟୱାର୍କ:
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗୋଟିଏ ସେଟଅପ୍ରୁ ସାରା ଦେଶରେ ୨୦ ହଜାରରୁ ଅଧିକ କଲ୍ କରାଯାଇଛି । ଅଧିକାରୀମାନେ କହିଛନ୍ତି, ଏପରି ସିଷ୍ଟମ୍ କେବଳ ଠକେଇ ପାଇଁ ନୁହେଁ, ବିଦେଶୀ ଆତଙ୍କବାଦୀ ଗୋଷ୍ଠୀ କିମ୍ବା ସ୍ଲିପର ସେଲ୍ ସହ ସମ୍ପର୍କ ରଖିବାରେ ମଧ୍ୟ ବ୍ୟବହୃତ ହୋଇପାରେ । କଲ୍ ଲୋକାଲ୍ ଦେଖାଯାଉଥିବାରୁ ସୁରକ୍ଷା ଏଜେନ୍ସିଙ୍କ ପାଇଁ ଅସଲି ନେଟୱର୍କକୁ ଧରିବା କଷ୍ଟକର ହୋଇଯାଏ ।
କିପରି କାମ କରେ VoIP ଏକ୍ସଚେଞ୍ଜ ?
VoIP ଅର୍ଥ Voice Over Internet Protocol । ଏହା ସାହାଯ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ଭଏସ୍ କଲ୍ କରାଯାଏ । ଅବୈଧ VoIP ଏକ୍ସଚେଞ୍ଜ ଇଣ୍ଟରନେଟ୍ କଲ୍କୁ ମୋବାଇଲ୍ ନେଟୱର୍କର ସିଗନାଲ୍ରେ ବଦଳାଇଦିଏ । ଏଥିପାଇଁ ଆକ୍ଟିଭ୍ ସିମ୍ କାର୍ଡ ବ୍ୟବହାର କରାଯାଏ । ତେଣୁ ଟେଲିକମ୍ କମ୍ପାନୀଙ୍କୁ ମଧ୍ୟ ଏହି କଲ୍ ସାଧାରଣ ମୋବାଇଲ୍ କଲ୍ ଭଳି ଲାଗେ ।
ପଶ୍ଚିମବଙ୍ଗ ମାଲଦା ମାମଲାର ମାଷ୍ଟରମାଇଣ୍ଡ କିଏ ?
ପୋଲିସ ଅନୁସାରେ, ନାରାୟଣପୁରରେ ବ୍ୟବହୃତ ଅବୈଧ ସିମ୍ କାର୍ଡଗୁଡ଼ିକ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆକ୍ଟିଭେଟ୍ କରାଯାଇଥିଲା । ଏହି ସିମ୍ ଦୁଇଜଣ PoS ଅପରେଟରଙ୍କ ରେଜାଉଲ୍ ହକ୍ ଏବଂ ମୁକ୍ତାଦିର ହୁସେନଙ୍କ ସହ ଜଡ଼ିତ ଥିଲା । ଏହି ନେଟୱର୍କରେ ସମୁଦାୟ ୬୭ଟି ସିମ୍ କାର୍ଡ ବ୍ୟବହୃତ ହୋଇଥିଲା । ଏହି ଅପରେସନର ମାଷ୍ଟରମାଇଣ୍ଡ ମୁକେଶ କୁମାର, ଯିଏ ଭୋଜପୁରରେ ନିଜ ଘରୁ ସମ୍ପୂର୍ଣ୍ଣ VoIP ଏକ୍ସଚେଞ୍ଜ ଚଳାଉଥିଲା ।
କାହିଁକି ତଦନ୍ତ କରୁଛି ସିବିଆଇ ?
ଜୁଲାଇ ୨୦୨୩ରେ ଏହି ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ, ଏହା ଜାତୀୟ ସୁରକ୍ଷା ସହ ଜଡ଼ିତ ଥିବାରୁ ବିହାର ସରକାର ସିବିଆଇ ତଦନ୍ତ ଦାବି କରିଥିଲେ । ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ CBI ମାମଲା ନିଜ ହାତକୁ ନେଇଛି । ଆଶ୍ଚର୍ଯ୍ୟର କଥା ହେଉଛି ତେଲେଙ୍ଗାନା ପୁଲିସ ଆଗରୁ ମଧ୍ୟ ଏହି ଗାଁକୁ ସନ୍ଦିଗ୍ଧ କାର୍ଯ୍ୟକଳାପର ଉତ୍ସ ଭାବେ ଚିହ୍ନଟ କରିଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏକ ଛୋଟିଆ ଗାଁରେ ଥିବା ଏହି ସିଷ୍ଟମ ଦେଶବ୍ୟାପୀ ସାଇବର ଅପରାଧ ନେଟୱାର୍କର ପରିଚାଳନା କରୁଥିଲା ।