ଭୁବନେଶ୍ଵର, ୫/୧୨ : ବିଧାନସଭା ଶୀତ ଅଧିବେଶନର ନବମ ଦିନ। ପ୍ରଶ୍ନକାଳରେ ଗୃହ ସୁରୁଖୁରୁରେ ଚାଲିଲା ମାତ୍ର କିଛି ସମୟରେ ବେକାରୀ ସମସ୍ୟାକୁ ନେଇ ତାତିଲା ବିଧାନସଭା। ୨ ଲକ୍ଷ ୩୫ ହଜାରରୁ ଉର୍ଦ୍ଧ୍ଵ ସରକାରୀ ପଦବୀ ଖାଲି, ବେକାରୀ ସମସ୍ୟା ଓ ଦାଦନ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ। ମାତ୍ର ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାରୁ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ କହିଥିଲେ ଯେ, ପୂର୍ବ ସରକାର ନିଯୁକ୍ତି ଦେଉ ନଥିଲେ ବୋଲି କ୍ଷମତାରୁ ଗଲେ। ହେଲେ ନୂଆ ସରକାରକୁ ଏବେ ନିଯୁକ୍ତି ଦେବାକୁ ପଡିବ। ସ୍ଥାୟୀ ନିଯୁକ୍ତିରେ ଆଉଟ୍‌ ସୋର୍ସିଂ ବାଧକ ସାଜିଛି । ଏହା ଏକ ବ୍ୟାଧି । ସରକାରଙ୍କ ଅକ୍ଷମତା ପାଇଁ ଆଜି ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । କୋଭିଡ୍ ସମୟରେ ସେମାନେ ରାଜ୍ୟକୁ ଫେରିଲା ପରେ ଏହା ଜଣାପଡିଲା। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ୨ କୋଟି ନିଯୁକ୍ତି ଦେବାକୁ କହିଥିଲେ। ହେଲେ ସେ ପ୍ରତିଶ୍ରୁତି କୁଆଡେ ଗଲା। ଅବସର ପରେ କାହିଁକି ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି । ଏସଆଇ ନିଯୁକ୍ତିରେ ମହାଘୋଟାଲ ହେଲା। ଏହାର ତଦନ୍ତ ଏଯାଏଁ କେଉଁଠି ଅଛି । ସବୁ ନିଯୁକ୍ତିରେ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସୁଛି। ସବୁଠାରୁ ବଡ଼ କଥା ହେଲା ଶ୍ରମିକମାନଙ୍କୁ ଦାଦନ କରି ପଠେଇବାରେ ଆମ ଗୃହର ସଦସ୍ୟ ମଧ୍ୟ ରହିଛନ୍ତି । ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ ବିଧାନସଭା ଆଲୋଚନା ବେଳେ କହିଥିଲେ ।

ସେହିପରି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ବିଜେପି ନିର୍ବାଚନ ସମୟରେ ଦାଦନ ମୁକ୍ତ କରିବାକୁ ପ୍ରତିଶୃତି ଦେଇଥିଲେ। ଯେଉଁ କମିଟି ଗଠନ ହୋଇଛି ସେଥିରେ କ'ଣ କ'ଣ ଖସଡ଼ା ପ୍ରସ୍ତୁତ ହୋଇଛି ସରକାର ତାହା ଗୃହରେ ଉପସ୍ଥାପନ କରନ୍ତୁ । ରାଜ୍ୟର ଯୁବକ ବାହାର ରାଜ୍ୟକୁ ଯିବାର ମୁଖ୍ୟ କାରଣ ନିଯୁକ୍ତିର ଅଭାବ। ସରକାରଙ୍କ ନିଯୁକ୍ତି ପଲିସି କ'ଣ। ମନରେଗାରେ ଆର୍ଥିକ ସହାୟତାକୁ କେନ୍ଦ୍ର ସରକାର କମାଉଛନ୍ତି । ଦାଦନ ବନ୍ଦ ପାଇଁ ସରକାର କହୁଥିବା ଡ୍ରିମ୍ ପ୍ରୋଜେକ୍ଟ କ'ଣ ହେଲା। ରାଜ୍ୟରେ ଗ୍ରାମାଞ୍ଚଳର ରୋଜଗାରର ଉତ୍ସ କମୁଛି। ଶିକ୍ଷିତ ଯୁବକ ବାହାରକୁ ଖଟିବାକୁ ଯାଉଛନ୍ତି। ବେସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳୁନାହିଁ। ସବୁ ବିଭାଗରେ ଅଫିସର ମରୁଡି। ନୂଆ ନିଯୁକ୍ତି ହେଉ ନାହିଁ। ଫଳରେ ବିଭାଗରେ କାମ ଠିକ ହେଉ ନାହିଁ। ବଜେଟର ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହେଉଛି। ସ୍କୁଲ କଲେଜରେ ହଜାର ହଜାର ପଦବୀ ଖାଲି ପଡିଛି। ନୂଆପଡ଼ାରେ ୪୧ ହଜାର ଲୋକଙ୍କ ରାସନ କାର୍ଡ଼କୁ ଅଟକାଯାଇଛି। ଫଳରେ ସେମାନଙ୍କ ଗରିବୀ ବଢିବ। ପୁଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ। ହେଲେ ନିଯୁକ୍ତିରେ ସ୍ୱଚ୍ଛତା ଆଣି ପାରିଲେ ନାହିଁ। ପରୀକ୍ଷା ପତ୍ର ବାରମ୍ବାର ଲିକ୍ ହେଉଛି। ଏହା ଏକ ବ୍ୟାଧିରେ ପରିଣତ ହୋଇଛି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି କେତେ ଥର ବସିଥିଲା ଓ କ'ଣ ଆଲୋଚନା ହୋଇଛି ତାହା ଗୃହରେ ଉପସ୍ଥାପନ କରନ୍ତୁ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତରେ ଆଇନ ମନ୍ତ୍ରୀ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଥିଲେ। ମନ୍ତ୍ରୀ କହିଥିଲେ ଯେ, ଏହା ଗୋଟିଏ ଦିନ କିମ୍ବା ୧୮ ମାସର ସମସ୍ୟା ନୁହେଁ। ଏହା ୨୪ ବର୍ଷର ସମସ୍ୟା। ପ୍ରବାସୀ ଶ୍ରମିକ ବାହରକୁ ଯିବାର ମୁଖ୍ୟ କାରଣ ରାଜ୍ୟରେ ତାଙ୍କୁ ରୋଜଗାର ଦିଆଯାଇ ପାରିନି। ପୂର୍ବ ସରକାରରେ ନିଯୁକ୍ତିରେ କଟକଣା ରହିଥିଲା। କ'ଣ ପାଇଁ କଟକଣା ଥିଲା ସେମାନେ ଜାଣିଥିବେ। ସେମାନେ ନବୀନ ଓଡ଼ିଶା ଗଠନ କେମିତି କରିବାକୁ ଚାହୁଁଥିଲେ ତାହା ଆମେ ମଧ୍ୟ ଜାଣିବାକୁ ଚାହୁଁଛୁ। ସେ ସମୟରେ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହେଉଥିଲା। NRGS ଦୁର୍ନୀତି ଚରମ ସୀମାରେ ଥିଲା। ଫଳରେ ସିବିଆଇ ତଦନ୍ତ ପର୍ଯ୍ୟନ୍ତ କଥା ଯାଇଥିଲା। ପିଏମୟୁମାନେ ସାମନ୍ତରାଳ ସରକାର ଚଳାଉଥିଲେ। ବିଭିନ୍ନ ବିଭାଗରେ ଆନ୍ତର୍ଜାତୀୟ କନସଲଟାଣ୍ଟମାନେ ଥିଲେ। ହେଲେ ସେମାନେ କ'ଣ କାମ କରୁଥିଲେ। ଆଉଟସୋର୍ସିଂ ଯେଉଁ ସଂସ୍ଥା ଥିଲେ ଦଳୀୟ ଭିତ୍ତିରେ ନିଯୁକ୍ତି ହେଉଥିଲା। ପୂର୍ବ ସରକାର ଦୁର୍ନୀତିରେ ବୁଡିକି ଥିଲେ। ଗ୍ରୁପ ସି ଓ ଗ୍ରୁପ ଡିକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ପଲିସି ପରାଲିସିସ କାହା ବୁଦ୍ଧିରେ ହୋଇଥିଲା ତାହା ଚନ୍ତାର ବିଷୟ। ଅନେକ ନିଯୁକ୍ତି କୋର୍ଟ ଫାଇଲରେ ବନ୍ଧା ହୋଇଥିଲା। ଆମେ ସରକାରକୁ ଆସିଲା ପରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ହଜାର ୩୭୧ ସରକାରୀ ନିଯୁକ୍ତି ଦେଇ ସାରିଛୁ। ଆଉ ୬୫ ହଜାର ନିଯୁକ୍ତି ପ୍ରକ୍ରିୟାରେ ଅଛୁ। ୨୦୨୦-୨୨ ମସିହାରେ ସମ୍ପୂର୍ଣ୍ଣ ନିଯୁକ୍ତି ବନ୍ଦ। ୨୦୨୩-୨୪ ରେ ୫୭ ହଜାର ନିଯୁକ୍ତି କଥା କହିଥିଲେ ହେଲେ ୮୦ ପ୍ରତିଶତ କଣ୍ଟ୍ରାଚୁଆଲ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଆମର ପ୍ରାଥମିକତା। ଆମର ଟାର୍ଗେଟ ୨୦୨୯ ମସିହା ସୁଦ୍ଧା ଆମେ ସମ୍ପୂର୍ଣ୍ଣ ରୂପେ ପ୍ରବାସୀ ଶ୍ରମିକ ବାହାରକୁ କିପରି ନଯିବେ ସେନେଇ କାମ ଆରମ୍ଭ କରିଛୁ।