ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ, ଆମକୁ ଏମିତି ଏକ ଅର୍ଥନୀତି ଗଢ଼ିବାକୁ ପଡ଼ିବ ଯେଉଁଠାରେ ଚାକିରି କେବଳ କାଗଜପତ୍ର କିମ୍ବା ପରିସଂଖ୍ୟାନରେ ସୀମିତ ନରହି, ଲୋକମାନଙ୍କ ଦୈନନ୍ଦିନ ଜୀବନରେ ସ୍ପଷ୍ଟଭାବେ ଦେଖାଯିବ । ଅର୍ଥନୈତିକ ବିକାଶର ଠିକ୍ ମାପ ହେଉଛି ଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଓ ରୋଜଗାର ବୃଦ୍ଧି ହେବା । ଯଦି ବିକାଶ ହେଉଛି, କିନ୍ତୁ ରୋଜଗାର ସୃଷ୍ଟି ହେଉନାହିଁ, ତେବେ ସେହି ବିକାଶ ଅସମ୍ପୂର୍ଣ୍ଣ । ତେଣୁ, ଦେଶର ଅର୍ଥନୀତିକୁ ଏମିତି ଦିଗରେ ଆଗେଇ ନେବା ଦରକାର ଯାହାର ଫଳ ଲୋକମାନେ ନିଜ ନିଯୁକ୍ତି ଓ ଆୟ ମାଧ୍ୟମରେ ଅନୁଭବ କରିପାରିବେ ।
ବେରୋଜଗାରୀ ଆଜିର ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ସମସ୍ୟାମାନଙ୍କ ମଧ୍ୟରେ ପ୍ରମୁଖ ହୋଇପଡ଼ିଛି, ଯାହା କେବଳ ବ୍ୟକ୍ତିକୁ ନୁହେଁ, ସମଗ୍ର ଦେଶର ସ୍ଥିରତାକୁ ପ୍ରଭାବିତ କରୁଛି । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିଶେଷକରି ଯୁବପିଢ଼ି ମଧ୍ୟରେ ଏହାର ପ୍ରଭାବ ବଢ଼ିବାରୁ ଆର୍ଥିକ ବିକାଶ ଓ ସାମାଜିକ ସମନ୍ୱୟ ଉପରେ ଗୁରୁତର ପ୍ରଶ୍ନ ଉଠିଛି । ବେକାରୀର ପ୍ରତ୍ୟକ୍ଷ ପ୍ରଭାବ ହେଉଛି ଆର୍ଥିକ ଅସ୍ଥିରତା । ନିୟମିତ ଆୟ ନଥିବାରୁ ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ଯେପରିକି ଖାଦ୍ୟ, ବାସସ୍ଥାନ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ପରି ମୂଳଭୂତ ଆବଶ୍ୟକତା ପୂରଣ କରିବାରେ ସଂଘର୍ଷ କରିବାକୁ ପଡୁଛି ।
ଏହା ପ୍ରାୟତଃ ପରିବାରକୁ ଦାରିଦ୍ର୍ୟ ଆଡ଼କୁ ଠେଲିଥାଏ ଏବଂ ଏକ ଅସନ୍ତୁଳିତ ସମାଜ ସୃଷ୍ଟି କରି ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ଦୂରତାକୁ ଆହୁରି ବଢ଼େଇ ଦିଏ । ଆର୍ଥିକ ସମସ୍ୟା ସହ ଏହାର ମାନସିକ ପ୍ରଭାବ ମଧ୍ୟ ଗଭୀର । ଦୀର୍ଘ ସମୟ ଧରି ଚାକିରି ନମିଳିବାରୁ ମଣିଷ ଚିନ୍ତା ଏବଂ ଉଦାସୀନତାର ବଶବର୍ତ୍ତୀ ହୁଏ । ଅନେକ ବ୍ୟକ୍ତି ଆତ୍ମବିଶ୍ୱାସ ଏବଂ ଉଦ୍ଦେଶ୍ୟ ହରାଇବା ଅନୁଭବ କରନ୍ତି, ଯାହା ସେମାନଙ୍କର ସାମଗ୍ରିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କୌଶଳର ଅବନତି । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତି ଯୁଗରେ ନୂତନ ଜ୍ଞାନ କୌଶଳ ସହିତ ତାଳ ମିଳାଇ ଚାଲିବା ନିହାତି ଆବଶ୍ୟକ । ଦୀର୍ଘ ସମୟ ବେରୋଜଗାର ରହିଲେ ଲୋକମାନଙ୍କର ଜ୍ଞାନ କୌଶଳ ପୁରୁଣା ହୋଇଯାଏ, ଯାହା ପୁଣିଥରେ ଚାକିରି ପାଇବାରେ ବାଧକ ହୋଇପଡ଼େ ।
ବେରୋଜଗାରୀର ସାମାଜିକ ପ୍ରଭାବ ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ । ବେରୋଜଗାରୀ ବଢ଼ିଲେ ଅପରାଧ ହାର, ନିଶା ସେବନ ଓ ସାମାଜିକ ଅଶାନ୍ତି ପାଇଁ ସହାୟକ ହୋଇପାରେ । ନିରାଶ ଓ ଅସନ୍ତୁଷ୍ଟ ଯୁବପିଢ଼ି ବ୍ୟବସ୍ଥା ପ୍ରତି ଆସ୍ଥା ହରାଇ ଦେଇଥାନ୍ତି ଏବଂ କେତେକ ସମୟରେ ଭଲ ସୁଯୋଗ ଖୋଜି ବିଦେଶ ଗମନ କରନ୍ତି । ଅର୍ଥନୈତିକ ଦୃଷ୍ଟିକୋଣରୁ ଉଚ୍ଚ ବେରୋଜଗାରୀ ହାର ଅଭିବୃଦ୍ଧି ହ୍ରାସ କରିଥାଏ । ଆୟ ହ୍ରାସ ହେବାରୁ ଲୋକମାନଙ୍କର ବ୍ୟୟ ଶକ୍ତି କମିଯାଏ, ଯାହା ଜିନିଷପତ୍ର ଓ ସେବାଗୁଡ଼ିକର ଚାହିଦାକୁ କମାଇ ଦିଏ । ଏହା ବ୍ୟବସାୟ ଓ ଶିଳ୍ପକୁ ପ୍ରଭାବିତ କରି ଅର୍ଥନୀତିକୁ ଦୁର୍ବଳ କରେ । ସେହିପରି, ସରକାରଙ୍କ ଉପରେ ସାମାଜିକ ସୁରକ୍ଷା ଓ ସହାୟତା ଯୋଗାଇବାର ଚାପ ବଢ଼ିଯାଏ ।
ସମାଜର ଯେକୌଣସି ସମସ୍ୟାର ସମାଧାନ ପାଇଁ ସଠିକ୍ ଯୋଜନାର ଆବଶ୍ୟକତା ରହିଛି ଏବଂ ଏହାର ସଫଳ ରୂପାୟନ ସଠିକ୍ ଓ ଭରସାଯୋଗ୍ୟ ତଥ୍ୟ ଉପରେ ନିର୍ଭର କରେ । ଭାରତରେ ବେରୋଜଗାରୀ ସମ୍ବନ୍ଧୀୟ ପରିସଂଖ୍ୟାନ ଦୁଇଟି ମୁଖ୍ୟ ଉତ୍ସରୁ ମିଳେ: ଗୋଟିଏ ହେଉଛି ଏକ ଘରୋଇ ସଂସ୍ଥା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଏବଂ ଅନ୍ୟଟି ହେଉଛି ସରକାରୀ ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ) । ଫଳସ୍ୱରୂପ, ସମାନ ପ୍ରସଙ୍ଗରେ ଦୁଇ ପ୍ରକାର ତଥ୍ୟ ଉପଲବ୍ଧ ହୁଏ ।
ଭାରତରେ ବେରୋଜଗାରୀ ତଥ୍ୟର ଏକ ତୁଳନାତ୍ମକ ଚିତ୍ର ଦେଖାଏ ଯେ, ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଆକଳନ ସାଧାରଣତଃ ଅଧିକ ଓ ଅସ୍ଥିର ଥିବାବେଳେ ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଲଏଲଏଫଏସ) ଅପେକ୍ଷାକୃତ କମ୍ ଏବଂ ଅଧିକ ସ୍ଥିର ହାର ଆକଳନ କରିଥାଏ । ଉଦାହରଣ ସ୍ୱରୂପ, ସମଗ୍ର ଭାରତ ସ୍ତରରେ ସିଏମଆଇଇ ପ୍ରାୟ ୭-୮% ପରିସର ମଧ୍ୟରେ ବେକାରୀ ହାର ରିପୋର୍ଟ କରିଥିବାବେଳେ, ପିଏଲଏଫଏସ ଆକଳନ ସାଧାରଣତଃ କମ୍, ସାମ୍ପ୍ରତିକ ପ୍ରାୟ ୪-୫% । ଭାରତର ମୁଖ୍ୟ ରାଜ୍ୟଗୁଡ଼ିକରେ ସିଏମଆଇଇ ଓ ପିଏଲଏଫଏସ ତଥ୍ୟ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ଦେଖାଯାଏ । ସିଏମଆଇଇ ଅନୁସାରେ, ହରିୟାଣା ସର୍ବାଧିକ ବେରୋଜଗାରୀ ହାର (ପ୍ରାୟ ୧୫–୨୦%) ଥିବା ରାଜ୍ୟ ଏବଂ ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଏହା ସର୍ବନିମ୍ନ (ପ୍ରାୟ ୨–୪%) ଦର୍ଶାଯାଇଛି । ପିଏଲଏଫଏସ୍’ରେ ସର୍ବାଧିକ ହାର ସାଧାରଣତଃ ପ୍ରାୟ ୬-୮% ମଧ୍ୟରେ ଓ ସର୍ବନିମ୍ନ ପ୍ରାୟ ୨-୩% ଆକଳନ କରାଯାଇଛି ।
ରାଜସ୍ଥାନରେ ସିଏମଆଇଇ ତଥ୍ୟ ଅନୁସାରେ, ବେରୋଜଗାରୀ ହାର ୧୦-୧୫% । କିନ୍ତୁ ପିଏଲଏଫଏସ୍ ତଥ୍ୟ ଅନୁସାରେ ଏହା ପ୍ରାୟ ୫-୭% । ସେହିପରି ମହାରାଷ୍ଟ୍ର ଓ ତାମିଲନାଡୁରେ ସିଏମଆଇଇ ପ୍ରାୟ ୬-୮% ଆକଳନ କରେ ଏବଂ ପିଏଲଏଫଏସ ଏହାକୁ ୩-୫% ମଧ୍ୟରେ ଦର୍ଶାଏ । ଓଡ଼ିଶାରେ ମଧ୍ୟ ଏହି ହାର ସିଏମଆଇଇ ପ୍ରାୟ ୫-୭% ଏବଂ ପିଏଲଏଫଏସ୍ ଏହାକୁ ପ୍ରାୟ ୨-୪% ମଧ୍ୟରେ ଦର୍ଶାଏ । ଏହା ଦୁର୍ଭାଗ୍ୟଜନକ ଯେ ବେରୋଜଗାରୀ ସମ୍ପର୍କିତ ସଠିକ୍ ଓ ଭରସାଯୋଗ୍ୟ ତଥ୍ୟର ଅଭାବ ରହିଛି, କାରଣ ଭିନ୍ନ-ଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି । ପ୍ରଭାବଶାଳୀ ନୀତି- ନିର୍ଣ୍ଣୟ ଏବଂ ଅର୍ଥନୈତିକ ଯୋଜନାର ସଫଳ ରୂପାୟନ ପାଇଁ ସରକାରଙ୍କୁ ସୁହାଇଲା ପରି ତଥ୍ୟ ନୁହେଁ, ବରଂ ସଠିକ୍ ଓ ନିଷ୍ପକ୍ଷ ତଥ୍ୟ ଅତ୍ୟାବଶ୍ୟକ ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସମଗ୍ର ଭାରତରେ ଛତିଶଗଡ଼ର ବେରୋଜଗାରୀ ହାର ସର୍ବନିମ୍ନ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଆକଳନ ଅନୁସାରେ, ଛତିଶଗଡ଼ର ବେରୋଜଗାରୀ ହାର ପାଖାପାଖି ୧% ଥିବାବେଳେ ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲଏଫଏସ୍) ଏହାକୁ ପାଖାପାଖି ୧.୫% ଆକଳନ କରେ ।
ଛତିଶଗଡ଼ ପରି ଏକ ପଛୁଆ ରାଜ୍ୟରେ ବେରୋଜଗାରୀ ହାର ସବୁଠାରୁ କମ୍ ଥିବାର ମୁଖ୍ୟ କାରଣ ହୋଇପାରେ ଲୋକମାନଙ୍କର ଜୀବିକା ପ୍ରଣାଳୀ । ପଛୁଆ ରାଜ୍ୟଗୁଡ଼ିକରେ ଲୋକମାନେ ବେକାର ରହିପାରିବେ ନାହିଁ । କାରଣ ଦୈନନ୍ଦିନ ଜୀବିକା ନିର୍ବାହ ପାଇଁ ଅର୍ଥ ରୋଜଗାର କରିବାକୁ ପଡ଼ିବ, ତେଣୁ ସେମାନେ ଯେକୌଣସି ଛୋଟ-ମୋଟ କାମକୁ ଗ୍ରହଣ କରନ୍ତି । ଏଠାରେ ଅଧିକାଂଶ ଲୋକ କୃଷି, ଦିନମଜୁରି କିମ୍ବା ଅନୌପଚାରିକ କାମରେ ନିୟୋଜିତ ଥାଆନ୍ତି, ଯେଉଁଥିରେ ଆୟ କମ୍ ହେଲେ ମଧ୍ୟ ସେଗୁଡିକୁ "ରୋଜଗାର' ଭାବେ ଗଣନା କରାଯାଏ । ଏହା ସହ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା (ମନରେଗା) ପରି ସରକାରୀ ଯୋଜନାମାନେ ମଧ୍ୟ ଲୋକମାନଙ୍କୁ ନ୍ୟୂନତମ କାମ ଦେଇ ବେରୋଜଗାରୀକୁ କମାଇଥାଏ । ଏହିପରି ଭାବରେ, ଛତିଶଗଡ଼ର କମ୍ ବେରୋଜଗାରୀ ହାର ଭଲ ଅର୍ଥନୀତିର ସୂଚନା ନୁହେଁ, ବରଂ ଅଧିକ ଅନୌପଚାରିକ ଓ ଅପର୍ଯ୍ୟାପ୍ତ ଆୟର କାମର ପ୍ରାଧାନ୍ୟକୁ ପ୍ରକାଶ କରେ ।
ଥରେ, ମୁଁ ଚେନ୍ନାଇରୁ ପୁଡୁଚେରୀ ପର୍ଯ୍ୟନ୍ତ ସଡ଼କ ମାର୍ଗରେ ଯିବାପାଇଁ ଯୋଜନା କଲି ଏବଂ ଜଣେ ବନ୍ଧୁଙ୍କୁ ଇଂରାଜୀ ଭାଷାଭାଷୀ ଡ୍ରାଇଭର ସହିତ ଗାଡ଼ିର ବ୍ୟବସ୍ଥା କରିବାକୁ କହିଲି । ସେ ମୋ କହିବା ଅନୁଯାୟୀ ଗାଡ଼ି ଠିକ୍ କରିଦେଲେ । ପୁଡୁଚେରୀ ଯିବାବେଳେ ମୁଁ ଡ୍ରାଇଭରଙ୍କୁ ପଚାରିଲି, ସେ କିପରି ଇଂରାଜୀ ଶିଖିଲେ । ସେ ମୋତେ କହିଲେ, ପ୍ରକୃତରେ ସେ ଜଣେ ଇଞ୍ଜିନିଅରିଂ ଗ୍ରାଜୁଏଟ । ଏହି ଘଟଣା ବେରୋଜଗାରୀ ପରିଭାଷାର ଏକ ପ୍ରମୁଖ ସୀମାକୁ ସ୍ପଷ୍ଟ ଭାବରେ ଦର୍ଶାଏ । ବେରୋଜଗାର ସଂଜ୍ଞା ଅନୁଯାୟୀ ସେ ବେରୋଜଗାରୀ ନୁହେଁ, କାରଣ ତାଙ୍କ ପାଖରେ ତାଙ୍କର କାମ ଅଛି । ତଥାପି, ବାସ୍ତବରେ ସେ ବେକାର, କାରଣ ତାଙ୍କର ଚାକିରି ତାଙ୍କ ଯୋଗ୍ୟତା ସହିତ ମେଳ ଖାଉନାହିଁ କିମ୍ବା ତାଙ୍କ ଶିକ୍ଷାରୁ ଆଶା କରାଯାଉଥିବା ସମ୍ମାନ ଏବଂ ସୁଯୋଗ ହାସଲ ହେଉନାହିଁ ।
କେବଳ ନିଯୁକ୍ତି ସୃଷ୍ଟି କରି ବେରୋଜଗାରୀ ସମସ୍ୟା ସମାଧାନ ହୋଇପାରିବ ନାହିଁ । ବରଂ, ଅର୍ଥପୂର୍ଣ୍ଣ କାର୍ଯ୍ୟ ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ । ନିମ୍ନ ମାନର କିମ୍ବା ଅସ୍ଥାୟୀ ଚାକିରି ପ୍ରକୃତରେ ଲୋକଙ୍କ ଜୀବନରେ ଉନ୍ନତି ଆଣେନାହିଁ । ଯେଉଁ କାର୍ଯ୍ୟ ସମ୍ମାନ, ସ୍ଥିରତା ଏବଂ ସନ୍ତୁଷ୍ଟିର ଭାବନା ପ୍ରଦାନ କରେ ତାହା ହେଉଛି ପ୍ରକୃତ ସମାଧାନ । ତେଣୁ ଏକ ଅର୍ଥନୀତିର ଲକ୍ଷ୍ୟ କେବଳ ଚାକିରି ସଂଖ୍ୟା ବୃଦ୍ଧି କରିବା ନୁହେଁ, ବରଂ ମାନବୀୟ ମୂଲ୍ୟ ସହିତ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବା ଉଚିତ ।
ଏହି ସମସ୍ୟାର ସମାଧାନ ପାଇଁ ବହୁମୁଖୀ ପଦକ୍ଷେପ ଆବଶ୍ୟକ । ଉଦ୍ୟମିତା ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ପୁନର୍ଗଠନ କରିବା ଆବଶ୍ୟକ, ଯାହା ତାହାକୁ ଅଧିକ ପ୍ରୟୋଗମୂଳକ, ବଜାରମୁଖୀ ଓ କୌଶଳ ଆଧାରିତ କରିପାରିବ । ଉଦ୍ୟମିତା ବିକାଶ ଶିକ୍ଷା ସ୍କୁଲ ଏବଂ କଲେଜରେ ଦିଆଗଲେ ପିଲାମାନେ ଚାକିରି ଏବଂ ଉଦ୍ୟୋଗ ଭିତରେ ପାର୍ଥକ୍ୟ ବୁଝିପାରିବେ । ଏମିତି ବି ହୋଇପାରେ, କିଛି ପିଲା ପାଠ ଅଧାରୁ ଉଦ୍ୟୋଗୀ ହେବାକୁ ଇଚ୍ଛା ପ୍ରକାଶ କରି କମ୍ ବୟସରେ ଉଦ୍ୟୋଗ ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବେ । ଉପରୋକ୍ତ ବିଷୟକୁ ଠିକ୍ଭାବରେ ଅନୁଶୀଳନ କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ, ବେରୋଜଗାରୀ କେବଳ ଏକ ଆର୍ଥିକ ସମସ୍ୟା ନୁହେଁ, ଏହା ଗୋଟିଏ ଗଭୀର ସାମାଜିକ ସମସ୍ୟା ଯାହାର ସଠିକ୍ ସମାଧାନ ଦ୍ୱାରା ଏକ ସ୍ଥିର, ସମାନତାମୂଳକ ଓ ସମୃଦ୍ଧ ସମାଜର ଗଠନ ସମ୍ଭବ ହୋଇପାରିବ ।