ପୁରୀ, ୨୯/୦୫: ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ୩ ବର୍ଷ ଧରି ପ୍ରଚେଷ୍ଟା ବିଫଳ ହେବା ପରେ ୨୦୨୫ରେ ସଫଳତାର ସହ ନାମାଙ୍କନ ଦାଖଲ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରଥଯାତ୍ରାକୁ ବିଧିବଦ୍ଧ ଭାବରେ ଜାତୀୟ ଐତିହ୍ୟ ତାଲିକାଭୁକ୍ତ କରାଯାଇ ସାରିଛି । ପ୍ୟାରିସରେ ବସିବାକୁ ଥିବା ଆସନ୍ତା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂକୁ ରହିଛି ଅପେକ୍ଷା । ଏହି ବୈଠକ ନଭେମ୍ବରରୁ ଡିସେମ୍ବର ଭିତରେ ହେବାର ରହିଛି ।
ଉଦ୍ୟମ ସଫଳ ହେଲେ ଚଳିତ ରଥଯାତ୍ରା ଅବସରରେ ପୁରୀ ଆସି ସମୀକ୍ଷା କରିପାରେ ୟୁନେସ୍କୋ ଟିମ୍ । ୟୁନେସ୍କୋର ଆସନ୍ତା ବୈଠକ ପରେ ବିଭିନ୍ନ ଦେଶର ଭୋଟିଂ ପରେ ଐତିହ୍ୟ ମାନ୍ୟତା ମିଳିପାରିବା ଆଶା ରହିଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ମାନ୍ୟତା ମିଳିବା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମୂଳ ପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା ଉପରେ ବେଶି ଅବଗତ ହୋଇପାରିବେ ବିଶ୍ୱବାସୀ । ଫଳରେ ଅଦିନିଆ ରଥଯାତ୍ରାରେ ରୋକ୍ ଲାଗିବା ନେଇ ଆଶା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ବିଶ୍ୱରେ ୬୦୦ରୁ ଅଧିକ ଉପାଦାନ ମଧ୍ୟରେ ୪୦ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ କଲ୍ଚରାଲ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ, କୁମ୍ଭମେଳା, ଦୁର୍ଗାପୂଜା ଭଳି ପର୍ବକୁ ମାନ୍ୟତା ମିଳିସାରିଛି ।
ଅଧିକ ପଢ଼ନ୍ତୁ :- Rath Khala : ପାଞ୍ଚ ଦଣ୍ଡାରେ ଆଗ ପଛ ମୁହାଁଟି ସଂଯୋଗ, ରୂପକାରଙ୍କ ବେଦି ସିଂହାସନ କାର୍ଯ୍ୟାରମ୍ଭ
ଶ୍ରୀଜଗନ୍ନାଥଙ୍କ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତଥ୍ୟଭିତ୍ତିକ ଓ ପ୍ରାମାଣିକ ରହିଆସିଛି ।ଏହାର ନିର୍ମାଣ ଶୈଳୀ, ପ୍ରକ୍ରିୟା, ଲୋକ ସମାଗମ, ଏହାର ପୌରାଣିକ ତଥ୍ୟ, ପରମ୍ପରାକୁ ନେଇ ୟୁନେସ୍କୋ ମାନ୍ୟତା ପାଇଁ ରେଳବାଇ ପକ୍ଷରୁ ପୂର୍ବରୁ ଚିଠି କରାଯାଇଥିଲା । ଅନ୍ୟପଟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଏହି ଐତିହ୍ୟ ଯାତ୍ରା ୟୁନେସ୍କୋର ସମସ୍ତ ନିୟମାବଳୀ ଅନୁପାଳନ କରୁଛି । ତେଣୁ ଏହା ୟୁନେସ୍କୋ ଉତ୍ସବ ତାଲିକାରେ ପ୍ରକାଶ ପାଇବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ସେବାୟତ ସୁନିଲ ପୂଜାପଣ୍ଡା।