ରଣପୁର  ୧୦/୦୫:  ଭାରତ ଓ ପାକିସ୍ତାନ  ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଭାରତ  ପାକିସ୍ତାନର ଆତଙ୍କବାଦୀଙ୍କ ଅଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି । ପାକିସ୍ତାନ ପାଲଟା ଆକ୍ରମଣ କରିବାରୁ ଭାରତ ମଧ୍ୟ ଧୂଳି ଚଟାଇଛି । ଏହି ଯୁଦ୍ଧ ପରିସ୍ଥିତିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ଆକାଶରେ ଶୁକ୍ରବାର ରାତିରେ ଏକ  ଡ୍ରୋନ୍‌ ଉଡ଼ୁଥିବା କେତେକ ଦେଖିଥିବା ସୂଚନା  ଦେଇଛନ୍ତି । 

ଶୁକ୍ରବାର ସନ୍ଧ୍ୟାରେ ଗୌରାଙ୍ଗପୁର  ପଞ୍ଚାୟତର ବିଲଗାଡ଼ିଆ ଗ୍ରାମରେ ଏକ ବିରାଟ  ଡ୍ରୋନ ଉଡ଼ୁଥିବା ଦେଖି ଲୋକମାନେ ଭୟଭୀତ  ହୋଇଯାଇଥିଲେ । ଏହି ଡ୍ରୋନ୍‌ ବିବାହ ଓ  ଅନ୍ୟାନ୍ୟ ଉତ୍ସବରେ ବ୍ୟବହୃତ ହେଉଥିବା  ଡ୍ରୋନ୍‌ଠାରୁ ବଡ଼ ଏବଂ ସିଲିଂ ଫ୍ୟାନ୍‌ ଆକୃତିର ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି ।  ଏହି ଡ୍ରୋନ୍‌ ସନ୍ଧ୍ୟା ବେଳେ ଦେଖାଦେଇଥିଲା  ବେଳେ ରାତି ୧୦ଟାରେ ମଧ୍ୟ ସଁ ସଁ ଶବ୍ଦ କରି  ଉଡ଼ି ବୁଲୁ ଥିବାରୁ ଲୋକମାନେ ଭୟଭୀତ ହୋଇ  ରଣପୁର ଥାନାରେ ଜଣାଇଛନ୍ତି । ଏ ସମ୍ପର୍କରେ  ତଦନ୍ତ ଚାଲିଥିବା ପୁଲିସ ପ୍ରକାଶ କରିଛି।