ନୂଆଦିଲ୍ଲୀ, ୦୧/୦୨: ମାତ୍ର କେଇ ଘଣ୍ଟା ମଧ୍ୟରେ ସଂସଦରେ ଉପସ୍ଥାପିତ ହେବ ମୋଦି-୩.୦  ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ୨୦୨୫-୨୬  ଆର୍ଥିକବର୍ଷର ବଜେଟ୍‌ ଦସ୍ତାବିଜ୍‌କୁ ଆଗତ କରିବେ । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ସୀତାରମଣ । ଏଥର ବଜେଟରେ ମଧ୍ୟବିତ୍ତ, ମହିଳା  ଏବଂ ଗରିବଙ୍କୁ ମିଳିପାରେ ସର୍ବାଧିକ ପ୍ରାଧାନ୍ୟ । ନିଜେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସଂକେତ ଦେଇଛନ୍ତି । ଶୁକ୍ରବାର ନିଜ ପ୍ରାକ୍‌-ବଜେଟ୍‌ ଅଭିଭାଷଣରେ  ପ୍ରଧାନମନ୍ତ୍ରୀ ଏହି ୩ ବର୍ଗଙ୍କ ମଙ୍ଗଳ କାମନା କରିଛନ୍ତି ।  ଦେବୀ ଲକ୍ଷ୍ମୀ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ  ଆଶୀର୍ବାଦ ଢାଳି ଦିଅନ୍ତୁ ବୋଲି ସେ କହିଛନ୍ତି । 

ଅନ୍ୟପକ୍ଷରେ, ଦରଦାମ ବୃଦ୍ଧି ଏବଂ ଟିକସ  ଯନ୍ତାରେ ସନ୍ତୁଳି ହେଉଛି ମଧ୍ୟବିତ୍ତ । ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ସେମାନଙ୍କ ହାତକୁ କିଛି ଟଙ୍କା ବଢ଼ାଇବା  ନେଇ ଅନୁମାନ ରହିଛି । ମଧ୍ୟମ ଆୟବର୍ଗଙ୍କୁ ଟିକସ ରିହାତି ମିଳିପାରେ । ମୋଦି ୩.୦ ସରକାରଙ୍କ ପ୍ରଥମ  ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ। ଟିକସ କମାଇ ସେମାନଙ୍କୁ ଖୁସ୍‌ କରିପାରନ୍ତି ବୋଲି  ଅନୁମାନ । ମନ୍ଥର ଅଭିବୃଦ୍ଧିରେ ଜୀବନ ଫୁଙ୍କିବା ତଥା ଅର୍ଥନୀତିରେ ଚାହିଦା ଫେରାଇବା ପାଇଁ  ଅର୍ଥମନ୍ତ୍ରୀ କିଛି ପ୍ରସ୍ତାବ ଆଣିପାରନ୍ତି । ନୂଆ ଟିକସ  ଢାଞ୍ଚା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ  ଆୟ ଟିକସମୁକ୍ତ ହୋଇପାରେ । ୧୫ରୁ ୨୦ ଲକ୍ଷ  ଟଙ୍କା ମଧ୍ୟରେ ଆୟ ପାଇଁ ୨୫%ର ନୂଆ ଟିକସ ସ୍ଲାବ୍‌ ଅଣାଯାଇପାରେ । ଏବେ ଏଥିରେ ୬ଟି ଟିକସ ଥାକ  ରହିଛି । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟରେ ୩୦%  ଟିକସ ଲାଗୁଛି । ନୂଆ ଟିକସ ଢାଞ୍ଚା ଅଧୀନରେ ମୂଳ  ଟିକସ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ  ଟଙ୍କା କରାଯାଇପାରେ ବୋଲି ଅନୁମାନ ରହିଛି ।