ନୂଆଦିଲ୍ଲୀ, ୨୪।୨: ଶିକ୍ଷକଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଭେଟି । ଏକବିଂଶ ଶତାବ୍ଦୀ ଶ୍ରେଣୀଗୃହ ପାଇଁ ପ୍ରସ୍ତୁତ ହେବେ ଶିକ୍ଷକ । ‘ଟିଚର୍ ଆପ୍’ ବଦଳାଇବ ଶିକ୍ଷାଦାନର ଶୈଳୀ । ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଶିକ୍ଷକମାନଙ୍କ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅଭିନବ ‘ଟିଚର୍ ଆପ୍’ର ଶୁଭାରମ୍ଭ କରିଛନ୍ତି । ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ଦ୍ୱାରା ବିକଶିତ ଏହି ଡିଜିଟାଲ୍ ପ୍ଲାଟଫର୍ମ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ବିପ୍ଳବ ଆଣିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।
କ’ଣ ଏହି ‘ଟିଚର୍ ଆପ୍’ ?
ଏହି ଆପ୍ଟିକୁ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱେବ୍ ବ୍ରାଉଜର୍ ରେ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ । ଏଥିରେ ୨୬୦ ଘଣ୍ଟାରୁ ଅଧିକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଶିକ୍ଷଣୀୟ ସାମଗ୍ରୀ ରହିଛି, ଯେଉଁଥିରେ ସର୍ଟ ଭିଡିଓ, ପଡ୍କାଷ୍ଟ, ୱେବିନାର୍ ଏବଂ କୁଇଜ୍ ଅନ୍ତର୍ଭୁକ୍ତ । ଏଥିରେ ୯୦୦ ଘଣ୍ଟାର ଏକ ସ୍ୱତନ୍ତ୍ର ସେକ୍ସନ ରହିଛି, ଯେଉଁଠାରେ ଶିକ୍ଷକମାନେ ଲେସନ୍ ପ୍ଲାନ୍, ପ୍ରୋଜେକ୍ଟ ଆକ୍ଟିଭିଟି ଏବଂ ୱାର୍କସିଟ୍ ପାଇପାରିବେ ।
ଏହା ବି ପଢ଼ନ୍ତୁ... ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଏୟାରଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ବିମାନରେ ଥିଲେ ୭ ଜଣ ଯାତ୍ରୀ
ଶିକ୍ଷକମାନେ ହେଉଛନ୍ତି ପ୍ରକୃତ ‘କର୍ମଯୋଗୀ’: ଧର୍ମେନ୍ଦ୍ର ପ୍ରଧାନ
ଆପ୍ଟିକୁ ଉନ୍ମୋଚନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ଜାତୀୟ ଶିକ୍ଷା ନୀତି (NEP 2020) ଅନୁଯାୟୀ ସରକାର ଶିକ୍ଷକମାନଙ୍କର ଦକ୍ଷତା ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷକମାନେ ହେଉଛନ୍ତି ଆଗାମୀ ପିଢ଼ିର ନିର୍ମାତା ଓ ପ୍ରକୃତ କର୍ମଯୋଗୀ । ଏହି ଆପ୍ ସେମାନଙ୍କୁ ନୂତନ ଜ୍ଞାନକୌଶଳରେ ସମୃଦ୍ଧ କରିବା ସହ ଏକ ଶିକ୍ଷକ ସମୁଦାୟ ଗଠନ କରିବାରେ ସାହାଯ୍ୟ କରିବ ।"
ଶିକ୍ଷାଦାନ ଶୈଳୀରେ ଆସିବ ପରିବର୍ତ୍ତନ:
ଭାରତୀ ଏଣ୍ଟରପ୍ରାଇଜେସ୍ ର ଉପାଧ୍ୟକ୍ଷ ରାକେଶ ଭାରତୀ ମିତ୍ତଲଙ୍କ ଅନୁଯାୟୀ, ଭାରତକୁ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବେ ଗଢ଼ିବାକୁ ହେଲେ ଶିକ୍ଷା ବ୍ୟବସ୍ଥାରେ ସୃଜନଶୀଳତା ଏବଂ ନୂତନତା ଆଣିବା ଜରୁରୀ । ଏହି ଆପ୍ ଶିକ୍ଷକମାନଙ୍କୁ କ୍ରିଟିକାଲ୍ ଥିଙ୍କିଙ୍ଗ୍ ବଢ଼ାଇବାରେ ସହାୟକ ହେବ । କହିରଖୁଛୁ ଯେ, ୧୨ଟି ରାଜ୍ୟ ସହିତ ସହଭାଗିତାରେ ଏହି ପଦକ୍ଷେପ ନିଆଯାଇଛି । ଲାଇଭ୍ ଏକ୍ସପର୍ଟ ସେସନ୍ ମାଧ୍ୟମରେ ଶିକ୍ଷକମାନେ ନିଜର ସନ୍ଦେହ ଦୂର କରିପାରିବେ । ବିଦ୍ୟାଳୟଗୁଡ଼ିକୁ ଏକ ‘ଖୁସିର ଶିକ୍ଷଣ କେନ୍ଦ୍ର’ରେ ପରିଣତ କରିବା ଏହାର ମୂଳ ଲକ୍ଷ୍ୟ ।