ଭୁବନେଶ୍ୱର, ୨୭/୦୨: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୫ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ଶ୍ରୀ ଶାହ କଟକ, ଜଟଣୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସମବାୟ, ସ୍ୱରାଷ୍ଟ୍ର ବିଭାଗ ଏବଂ ବିଭିନ୍ନ ବିଭାଗର ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେଠାରେ ଆୟୋଜିତ ଜନସଭାକୁ ଶ୍ରୀ ଶାହ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।
୫ ତାରିଖ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସ୍ଏଫ୍ କ୍ୟାମ୍ପସ ଯିବେ । ସିଆଇଏସଏଫ କ୍ୟାମ୍ପସରେ ସେ ରାତ୍ରି ରହଣୀ କରିବେ । ୬ ତାରିଖ ପୂର୍ବାହ୍ନରେ ସିଆଇଏଫର ରାଇଜିଂ ଡେ-ପରେଡ ଉତ୍ସବରେ ଶ୍ରୀ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଦିନ ୧୨ଟାବେଳେ ଶ୍ରୀ ଶାହ ହେଲିକପ୍ଟର ଯୋଗେ ସେଠାରୁ ଜଟଣୀ ଯିବେ । ଜାତୀୟ ଫରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) ଏବଂ କେନ୍ଦ୍ରୀୟ ଫରେନସିକ ଲାବ୍ରୋଟାରି (ସିଏଫଏସ୍ଏଲ୍)ର ଭୁବନେଶ୍ୱର କ୍ୟାମ୍ପସର ଭୂମିପୂଜନ କରିବେ ଶ୍ରୀ ଶାହ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱରରେ ନିର୍ମିତ ଏନଏଫଏସୟୁର ଟ୍ରାନଜିଟ କ୍ୟାମ୍ପସର ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୧ଟାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ଲୋକଭବନ (ରାଜଭବନ) ଯିବେ ।
ଅଧିକ ପଢ଼ନ୍ତୁ :- ଛାତରୁ ପଡ଼ି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲା: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ୍
୬ ତାରିଖ ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟରେ ଶ୍ରୀ ଶାହ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ । ସେଠାରେ ଆୟୋଜିତ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ସେ ଉଦଘାଟନ କରିବେ । ସାଢ଼େ ୩ଟାବେଳେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସଭା ମଞ୍ଚରେ ପହଞ୍ଚିବେ । ସେଠାରୁ ସମବାୟ, ସ୍ୱରାଷ୍ଟ୍ର ବିଭାଗ ସମେତ ବିଭିନ୍ନ ବିଭାଗର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ପ୍ରାୟ ୫ଟାବେଳେ ଶ୍ରୀ ଶାହ ଓଡ଼ିଶା ଗସ୍ତ ଶେଷ କରି ଫେରିଯିବେ । ଶ୍ରୀ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଡିଜି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ପୁଲିସ କମିଶନର ଏସ. ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।