ବାଲେଶ୍ୱର, ୦୩/୦୬ : ମନର କଥା ଯେତେବେଳେ ପରିପ୍ରକାଶ କରିହୁଏ ନାହିଁ ସେତେବେଳେ ମନର ମଣିଷକୁ ମନେଇବା ପାଇଁ ବଭିନ୍ନ ପନ୍ଥା ଦେଖାଯାଇଥାଏ । ରାଗ, ଋଷା, ଅଭିମାନ ଭିତରେ କିଏ ବୁଝେଇବା ପାଇଁ ଚିଠିଟେ ଲେଖି ପକାଏ ତ ପୁଣି କେତେବେଳେ କବିତା ମାଧ୍ୟରେ ପ୍ରେମିକ ପ୍ରେମିକାର ହୃଦୟରେ ଘର କରିବାକୁ ଚେଷ୍ଟା କରେ । କିନ୍ତୁ ଡିଜିଟାଲ ଯୁଗରେ କ୍ଷମା ପ୍ରାର୍ଥନାର ପରିଭାଷା ବଦଳିଯାଇଛି । କିଏ ଫେସ୍‌ବୁକ୍‌ରେ ଷ୍ଟୋରି ଦେଉଛି ତ ପୁଣି କିଏ ହ୍ୱାଟ୍ସଆପ୍‌ରେ ଷ୍ଟାଟସ ଦେଉଛି । ଏଭଳି ସମୟରେ ୪/୫ ଦିନ ହେବ ବାଲେଶ୍ୱର ସହରର ରାସ୍ତାଘାଟରେ ଲେଖା ହୋଇଛି ‘ସରି’ । କିଏ ଓ କାହିଁକି ଏଭଳି ନିଆରା ଢ଼ଙ୍ଗରେ କ୍ଷମା ପ୍ରାର୍ଥନା କରୁଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । 

କେବଳ ଯେ ପ୍ରେମରେ ପଡ଼ିଲେ ମଣିଷ ‘ସରି’ କହେ ତାହା ନୁହେଁ । ବେଳେବେଳେ ଅନେକ ସମ୍ପର୍କ ବଞ୍ଚେଇବା ପାଇଁ ନିଜ ପକ୍ଷରୁ ଦୋଷ ସ୍ୱୀକାର କରିଥାଏ । ଗତ ମାଇ ୨୮ ତାରିଖ ରାତି ପାହିବା ବେଳକୁ ସହରର ମୁଖ୍ୟ ରାସ୍ତାମାନଙ୍କରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଅକ୍ଷରରେ ‘ସରି’ ଲେଖା ହୋଇଥିଲା । କଚେରୀ ରାସ୍ତାରୁ ଆରମ୍ଭ କରି ମିଶନ ପଡ଼ିଆ ସମ୍ମୁଖ, ଚିଡ଼ିଆପୋଲ, ଗୋପାଳଗାଁ, ଷ୍ଟେସନ୍‌ଛକ ଭଳି ରାତାରାତି ସହରର ବିଭିନ୍ନ ଛକ ସ୍ଥାନରେ ଏଭଳି ଲେଖା ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଥିବାବେଳେ କିଏ ଓ କାହିଁକି ଏଭଳି ଲେଖିଛି ଜାଣିବା ପାଇଁ ବହୁତ ଚେଷ୍ଟା କରିଥିଲେ । ଅନେକ ସାମାଜିକ ଗଣମାଧ୍ୟରେ ଏହାକୁ ପୋଷ୍ଟ କରିଥିଲେ । 

ଆହୁରି ପଢନ୍ତୁ- ୯୦ ପ୍ରତିଶତ ବହି ବଣ୍ଟା ଚାଲିଛି, ବାକି ୧୦% ଖରା ଛୁଟି ସରିବା ପୂର୍ବରୁ ପହଞ୍ଚିବ

ଫୋନ୍‌ରେ ବ୍ଲକ୍‌ ହେବା ପରେ ପ୍ରେମିକାକୁ ବୁଝାଇବା ପାଇଁ ପ୍ରେମିକ ଏଭଳି ଲେଖିଥିବା କେହି କେହି ମନ୍ତବ୍ୟ ଦେଇଥିବାବେଳେ ଆଉ କେହି ବିଦ୍ୟୁତ୍‌ କାଟ ପାଇଁ ଟାଟା ପାୱାର ପକ୍ଷରୁ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରିଥିବା କହି ଉପହାସ କରିଥିଲେ । ପୁଣି କିଛି ଜଣ ଏହାକୁ ରାଜନେତା ଏବଂ ଜନତାଙ୍କ ଉଦ୍ଦେଶ୍ୟରେ ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା କିଛି ଜଣ ସତ୍ୟାସତ୍ୟ ଜାଣିବା ପାଇଁ ଯେତେବେଳେ ସିସି କ୍ୟାମେରା ଯାଞ୍ଚ ପାଇଁ ଆଗଭର ହୋଇଥିଲେ, ଯେଉଁ ସବୁ ସ୍ଥାନରେ ‘ସରି’ ଲେଖା ହୋଇଛି ସେଠାରେ କୌଣସି ପ୍ରକାର କ୍ୟାମେରା ନଥିବା ଜଣାପଡ଼ିଥିଲା । ପାଖ ଦୋକାନୀମାନେ ମଧ୍ୟ ରାତାରାତି ଖୋଲା ହୋଇଥିବାରୁ କିଏ ଏଭଳି କରିଛି ଜଣାପଡ଼ୁନଥିବା ସେମାନେ କହିଥିଲେ । ଅନ୍ୟପକ୍ଷରେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଏହି ଘଟଣା କିଛି ଦିନ ହେବ ବହୁତ ମାତ୍ରାରେ ଭାଇରାଲ୍‌ ହେବାରେ ଲାଗିଛି।