​​​​​​​ନୂଆଦିଲ୍ଲୀ, ୫।୧: ଶନିବାର ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଏହି ଘଟଣା ପରେ, ଜାତିସଂଘ ସୁରକ୍ଷା ପରିଷଦ (UNSC) ସୋମବାର ଏକ ଜରୁରୀକାଳୀନ ବୈଠକ ଡାକିଛି । ଏହି ବୈଠକ ଭାରତୀୟ ସମୟନୁସାରେ ସକାଳ ୧୦ଟାରେ ସୋମାଲିଆର ସଭାପତିତ୍ୱରେ ଅନୁଷ୍ଠିତ ହେବ । ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ । ବୈଠକରେ ଭବିଷ୍ୟତରେ ନିଆଯିବା ପଦକ୍ଷେପ ବିଷୟରେ ଆଲୋଚନା କରାଯିବ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବାର ଉପାୟ ଖୋଜାଯିବ ।

ସୋମାଲିଆ ବର୍ତ୍ତମାନ ଜାତିସଂଘର ପର୍ଯ୍ୟାୟକ୍ରମେ ସଭାପତି ପଦରେ ଅଛି । ଜାତିସଂଘ ସୁରକ୍ଷା ପରିଷଦରେ ପାଞ୍ଚଟି ସ୍ଥାୟୀ ଏବଂ ଦଶଟି ଅସ୍ଥାୟୀ ସଦସ୍ୟ ସମେତ ମୋଟ୍ ୧୫ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ପ୍ରଥମେ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ । ସେ କହିଥିଲେ ଯେ, ଆମେରିକାର ଆକ୍ରମଣ ଭେନେଜୁଏଲାର ସାର୍ବଭୌମତ୍ୱ ଏବଂ ଲାଟିନ୍ ଆମେରିକାର ସୁରକ୍ଷା ବିରୁଦ୍ଧରେ ଥିଲା । ପେଟ୍ରୋ ଏହା ମଧ୍ୟ କହିଥିଲେ, ଏକ ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦର ସମାଧାନ ଏହାର ଲୋକଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବରେ କରାଯିବା ଉଚିତ୍ । ଆମେରିକାର କାର୍ଯ୍ୟ ଜାତିସଂଘର ନୀତି ବିରୁଦ୍ଧରେ ।

କହିରଖୁଛୁ ଯେ, ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ, ଆମେରିକା ଭେନେଜୁଏଲା ଉପରେ ଏକ ବଡ଼ ସାମରିକ ଆକ୍ରମଣ କରିଛି । ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ନ୍ୟୁୟର୍କର ଏକ ଜେଲ୍‌ରେ ରଖାଯାଇଛି । ଟ୍ରମ୍ପ ସୋସିଆଲ ମିଡିଆରେ ମାଦୁରୋଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ୟୁଏସ୍ଏସ୍ ଇୟୋ ଜିମା ଯୁଦ୍ଧଜାହାଜରେ ଚଢ଼ୁଥିବାର ଦେଖାଯାଉଛି । ପରେ, ହ୍ୱାଇଟ୍ ହାଉସ୍-ସମ୍ବନ୍ଧିତ ରାପିଡ୍ ରେସପନ୍ସ ଏଜେନ୍ସି ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ମାଦୁରୋଙ୍କୁ ହ୍ୟାଣ୍ଡକପ୍ ପିନ୍ଧାଇ ନିଆଯାଉଥିବାର ଦେଖାଯାଇଥିଲା ।

​​​​​​​

ଏହି ଘଟଣା ପରେ, ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଏପରି କାର୍ଯ୍ୟ ସମଗ୍ର ଅଞ୍ଚଳ ପାଇଁ ଗମ୍ଭୀର ପରିଣାମ ଆଣିପାରେ । ତାଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ଯେ, ଏହି ଘଟଣା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିଛି ଏବଂ ସମସ୍ତ ଦେଶଙ୍କୁ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘର ନିୟମ ପାଳନ କରିବାକୁ ପଡ଼ିବ । ମାଦୁରୋଙ୍କ ଗିରଫଦାରୀ ପରେ, ଭେନେଜୁଏଲାରେ ଦ୍ରୁତ ରାଜନୈତିକ ପରିବର୍ତ୍ତନ ଘଟିଥିଲା । ଦେଶର ସୁପ୍ରିମକୋର୍ଟ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାମଚଳା ରାଷ୍ଟ୍ରପତିର ଦାୟିତ୍ୱ ଏବଂ କ୍ଷମତା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ରାୟ ଦେଇଥିଲେ ଯେ, ମାଦୁରୋ ସାମୟିକ ଭାବରେ ତାଙ୍କ ଦାୟିତ୍ୱ ପୂରଣ କରିପାରିବେ ନାହିଁ ।