ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସାଂସଦ ଇକରା ହାସନଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଉତ୍ତର ପ୍ରଦେଶର କୈରାନା ଅଶାନ୍ତ ହୋଇପଡ଼ିଛି । ସମ୍ଭାବ୍ୟ ଆନ୍ଦୋଳନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସଜାଗ ହୋଇଯାଇଛି । କୈରାନା ସାଂସଦ ଇକରା ହାସନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଡେଣ୍ଟିଂ ପେଣ୍ଟିଂ’ ମନ୍ତବ୍ୟକୁ ବିରୋଧ କରିଥିଲେ । ସେ କହିଥିଲେ, ‘ଏଭଳି କରି ଦେଖାନ୍ତୁ ତ...ଯେପରି ଅନ୍ୟ ଦେଶର ଲୋକମାନେ ସରକାରକୁ ଦୋହଲାଇ ଦେଇଛନ୍ତି, ସେହିପରି ଭାରତର ଲୋକମାନେ ମଧ୍ୟ ପ୍ରସ୍ତୁତ।’ ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି ହିନ୍ଦୁ ସୁରକ୍ଷା ଦଳର କର୍ମୀମାନେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଥିଲେ । ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ କୈରାନାରେ ପୁଲିସ ଛାଉଣୀ ହୋଇଛି ।
ସ୍ଥାନୀୟ ପ୍ରଶାସନ ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି। ସାଂସଦଙ୍କ ମନ୍ତବ୍ୟ ଉତ୍ତେଜନାପୂର୍ଣ୍ଣ ବୋଲି ଅଭିଯୋଗ କରିଛି ହିନ୍ଦୁ ସୁରକ୍ଷା ଦଳ । ପରିସ୍ଥିତିର ମୁକାବିଲା ପାଇଁ କୈରାନା ସହରରେ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଯାନବାହାନ ଉପରେ ନଜର ରଖିବା ପାଇଁ ପ୍ରମୁଖ ଛକଗୁଡ଼ିକରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ପ୍ରଶାସନ କହିଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାକୁ ଦିଆଯିବ ନାହିଁ। ସେପଟେ ହିନ୍ଦୁ ସୁରକ୍ଷା ଦଳର ରାଜ୍ୟ ସଭାପତି ଅମିତ ପ୍ରଜାପତି ତାଙ୍କ କର୍ମୀମାନଙ୍କ ସହିତ ଶାମଲି ଜିଲ୍ଲାରେ ପହଞ୍ଚିଥିଲେ। ଏହି ସମୟରେ ପୁଲସ ସେମାନଙ୍କୁ ଅଟକାଇ କୈରାନା ଯିବାକୁ ବାରଣ କରିଥିଲା ।
ପୁଲିସ ସେମାନଙ୍କୁ ଘେରିଯାଇ ଶାମଲି ଏସପି ଅଫିସକୁ ନେଇଥିଲା । ସେଠାରେ ସେମାନେ ଜୟ ଶ୍ରୀ ରାମ ଏବଂ ଇକରା ହାସନ ମୁର୍ଦାବାଦ ସ୍ଲୋଗାନ ଦେଇଥିଲେ। ଅମିତ ପ୍ରଜାପତି କହିଛନ୍ତି, ‘ରାଜନୀତିରେ ଆପଣ କୌଣସି ମନ୍ତବ୍ୟ ଦେଇପାରିବେ । କିନ୍ତୁ ଦେଶ କିମ୍ବା ଯୋଗୀ ବିରୋଧୀ ମନ୍ତବ୍ୟକୁ ଆମେ ସହ୍ୟ କରିପାରିବୁ ନାହିଁ ।’ ସାଂସଦ ଇକରାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରି ହିନ୍ଦୁ ସୁରକ୍ଷା ଦଳ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମାମଲା ପଞ୍ଜିକୃତ ନ ହେଲେ ସେମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।