ନୂଆଦିଲ୍ଲୀ,୨୩/୦୧; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ବିକାଶ ଏବଂ ମାନବୀୟ ସହାୟତା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଆମେରିକୀୟ ଏଜେନ୍ସି ୟୁଏସ୍ ଏଡ୍ ଅଧିକାଂଶ ବିଦେଶୀ ସହାୟତାକୁ ବନ୍ଦ କରିବାର ଇତିମଧ୍ୟରେ ବର୍ଷେ ପୂରଣ ହୋଇଛି । ଏଥିସହିତ ସେ ବିଶ୍ୱବ୍ୟାପୀ ମୋଟ ୬୦ ବିଲିୟନ ଡଲାରର ଆମେରିକୀୟ ସହାୟତାକୁ ବନ୍ଦ କରିଦେଇଥିଲେ । ତେବେ ଏହା ଦ୍ୱାରା ଗରିବ ରାଷ୍ଟ୍ରଗୁଡ଼ିକରେ ଏଚ୍ଆଇଭି, ମ୍ୟାଲେରିଆ, ଯକ୍ଷ୍ମା ବିରୋଧରେ ଲଢ଼େଇ ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆଗକୁ ଆହୁରି ଅଧିକ ଜୀବନ ଜୀବ ବୋଲି ଏଥିରେ ଚେତାବନୀ ଦିଆଯାଇଛି ।
ଇମ୍ପାକ୍ଟ କାଉଣ୍ଟର ୱେବ୍ସାଇଟ୍ରେ ଆକଳନ ମୁତାବକ, ୟୁଏସ୍ଏଡ୍ କାଟ ଦ୍ୱାରା ଚିକିତ୍ସା ଅଭାବରୁ ଏଯାବତ୍ ବିଶ୍ୱରେ ୭,୫୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ୫ ଲକ୍ଷରୁ ଅଧିକ ହେଉଛନ୍ତି ଶିଶୁ । ଅର୍ଥାତ୍ ପ୍ରତି ଘଣ୍ଟାରେ ହାରାହାରି ୮୮ ଲୋକଙ୍କ ମୃତ୍ୟୁ ଘଟିଥିବା ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ଇନ୍ଫେକ୍ସିୟସ୍ ଡିଜିଜ୍ ମ୍ୟାଥ୍ମେଟିକାଲ ମଡେଲର ବ୍ରୁକ୍ ନିକୋଲସ୍ଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣକୁ ଜଣାପଡ଼ିଛି । ଏହି ସହାୟତା ଥିଲେ ହୁଏତ ବହୁ ସଂଖ୍ୟାରେ ମୃତ୍ୟୁକୁ ରୋକାଯାଇପାରିଥାନ୍ତା । ୨୦୨୫ ଜାନୁଆରୀ ୨୦ରେ ନିଜ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ଗ୍ରହଣ କରିବାର ତତ୍କ୍ଷଣାତ ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଲଢ଼େଇର ଅଂଶବିଶେଷ ଆମେରିକା ପକ୍ଷରୁ ଦିଆଯାଉଥିବା ଅଧିକାଂଶ ମାନବିକ ସହାୟତାକୁ ବନ୍ଦ କରିଦେଇଥିଲେ ।
ଏହା ବି ପଢନ୍ତୁ...ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ
ପ୍ରାରମ୍ଭିକ ଭାବେ କୁହାଯାଇଥିଲା ଯେ, ଏ ନିଷ୍ପତ୍ତି ଅସ୍ଥାୟୀ । କିନ୍ତୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଖର୍ଚ୍ଚକାଟ ପରାମର୍ଶ ଆଧାରରେ ଟ୍ରମ୍ପ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ ଡେଭଲପ୍ମେଣ୍ଟ(ୟୁଏସ୍ଏଡ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୮୩% ଯୋଜନାକୁ ହଟାଇ ଦେଇଥିଲେ । ପରେ ଅନ୍ୟାନ୍ୟ ପ୍ରମୁଖ ପାଶ୍ଚାତ୍ୟ ଡୋନର୍ ଯଥା ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟ ନିଜ ନିଜର ବୈଦେଶିକ ସହାୟତା ବଜେଟ୍ରେ ବଡ଼ ହ୍ରାସ କରିଥିଲେ । ଫଳରେ ପୂର୍ବରୁ ହିଁ ଦୁର୍ବଳ ମାନବିକ ପ୍ରୟାସଗୁଡ଼ିକ ପାଇଁ ଅର୍ଥ ଅଭାବ ଦେଖାଦେଇଛି । ସେବେଠାରୁ ଗବେଷକମାନେ ଆମେରିକାର ଏ ବେପରୁଆ ନିଷ୍ପତ୍ତିର ପ୍ରଭାବକୁ ଆକଳନ କରିଆସୁଛନ୍ତି ।
ପୂର୍ବରୁ ବିଶ୍ୱର ମୋଟ ମାନବିକ ସହାୟତାରେ ଆମେରିକାର ଯୋଗଦାନ ୪୦%ରୁ ଅଧିକ ଥିଲା । ବାର୍ସେଲୋନା ଇନ୍ଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ ପକ୍ଷରୁ କରାଯାଇଥିବା ଏକ ଭିନ୍ନ ରିପୋର୍ଟରେ ଅନୁମାନ କରାଯାଇଛି ଯେ, ଆମେରିକା ଏବଂ ୟୁରୋପ ପକ୍ଷରୁ ବୈଦେଶିକ ସହାୟତା ହ୍ରାସ ଯୋଗୁ ୨୦୩୦ ସୁଦ୍ଧା ୨.୨ କୋଟିରୁ ଅଧିକ ଲୋକେ ମୃତ୍ୟୁବରଣ କରିବେ । ଗତ ମାସ ଆମେରିକାଭିତ୍ତକ ଇନ୍ଷ୍ଟିଚ୍ୟୁଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ୍ ଇଭାଲ୍ୟୁଏସନ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଚେତାବନି ଦିଆଯାଇଥିଲା ଯେ, ଏହି ସହାୟତା ହ୍ରାସ ନିଷ୍ପତ୍ତି ଯଦି ସ୍ଥାୟୀ ରୁହେ, ତେବେ ୨୦୪୫ ସୁଦ୍ଧା ୫ ବର୍ଷରୁ କମ୍ ବୟସ୍କ ଆଉ ୧.୬ କୋଟି ଶିଶୁ ଜୀବନ ହରାଇବେ । ଦଶନ୍ଧି ଦଶନ୍ଧି ଧରି ଏଚ୍ଆଇଭି ବିରୋଧରେ ଲଢ଼େଇରେ ଆମେରିକୀୟ ସହାୟତା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା । ସହାୟତା ବନ୍ଦ ଯୋଗୁ ବିକାଶମୁଖୀ ଦେଶଗୁଡ଼ିକରେ ଅଧିକାଂଶ ଲୋକ ଜୀବନରକ୍ଷାକାରୀ ଏଚ୍ଆଇଭି ଔଷଧ ଯେପରି ଆଣ୍ଟିରେଟ୍ରୋଭାଇରାଲ୍ସ ପାଇବାକୁ ଅସମର୍ଥ ହୋଇଛନ୍ତି ।
ଇମ୍ପାକ୍ଟ କାଉଣ୍ଟର୍ର ଆକଳନ ଅନୁସାରେ ସହାୟତା ବନ୍ଦ ଯୋଗୁ ୧,୭୦,୦୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ଏଥିମଧ୍ୟରୁ ୧୬,୦୦୦ ହେଉଛନ୍ତି ନବଜାତ । ୩ ଦିନ ତଳେ ଜାରି ଏକ ସର୍ଭେ ଅନୁସାରେ, ଆମେରିକାର ସହାୟତା ବନ୍ଦ ଯୋଗୁ ୪୭ଟି ଦେଶରେ ୭୯ ଗୋଷ୍ଠୀ ଏଚ୍ଆଇଭି କେନ୍ଦ୍ରରେ ସେବା ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ସହାୟତା ବନ୍ଦ ଯୋଗୁ ୪୮,୦୦୦ରୁ ଅଧିକ ଲୋକ ଯକ୍ଷ୍ମା ରୋଗରେ ଜୀବନ ହରାଇଥିବା ଇମ୍ପାକ୍ଟ କାଉଣ୍ଟର ପ୍ରକାଶ କରିଛି । ତେବେ ୨୦୩୦ ସୁଦ୍ଧା ଏହା ୨୨ ଲକ୍ଷକୁ ବଢ଼ିପାରେ ବୋଲି ଏହା ଆକଳନ କରିଛି । ସେହିଭଳି ନିମୋନିଆରେ ୧,୬୦,୦୦୦ ଶିଶୁ ପ୍ରାଣ ହରାଇଥିବା ବେଳେ କୁପୋଷଣ ଯୋଗୁ ୧,୫୦,୦୦୦ ଏବଂ ଝାଡ଼ାବାନ୍ତିରେ ୧,୨୫,୦୦୦ ମୃତ୍ୟୁ ଘଟିଛି । ୭୦,୦୦୦ ଲୋକ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି । ଯେଉଁଥିରୁ ତିନି ତୃତୀୟାଂଶ ହେଉଛନ୍ତି ଶିଶୁ ।
ବର୍ଷକରେ ସଂକ୍ରାମକ ରୋଗରେ ମଲେଣି ୭.୫ ଲକ୍ଷ
ପ୍ରାଣ ହରାଇଛନ୍ତି ୫ ଲକ୍ଷରୁ ଅଧିକ ଶିଶୁ
ଏଚ୍ଆଇଭି, ମ୍ୟାଲେରିଆ ବିରୋଧରେ ଲଢ଼େଇଭୟଙ୍କର ପ୍ରଭାବିତ
ପ୍ରତି ଘଣ୍ଟାରେ ୮୮ ଜଣଙ୍କ ଜୀବନ ଯାଉଛି
୨୦୩୦ ସୁଦ୍ଧା ଜୀବନ ହରାଇବେ ୨.୨ କୋଟି
ଏଚ୍ଆଇଭିରେ ୧,୭୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
୪୮,୦୦୦ରୁ ଅଧିକ ଯକ୍ଷ୍ମାରେ ଜୀବନ ହାରିଛନ୍ତି