ନୂଆଦିଲ୍ଲୀ: ପ୍ରତିବର୍ଷ ଆମେରିକାରେ ଲକ୍ଷ ଲକ୍ଷ ଟନ୍ ପୁରୁଣା ଫୋନ୍, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଆବର୍ଜନା ଜମା ହୁଏ। ଆଉ ଏହି ଇ-ଆବର୍ଜନା ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ପଠାଉଛନ୍ତି ଆମେରିକୀୟ କମ୍ପାନୀ । ସିଆଟେଲର ବାସେଲ ଆକ୍ସନ୍ ନେଟୱାର୍କ (BAN) ଦ୍ୱାରା ଦୁଇ ବର୍ଷର ତଦନ୍ତରୁ ଜଣାପଡିଛି ଯେ, ୧୦ ଟି ଆମେରିକୀୟ କମ୍ପାନୀ ଏହି ଇ-ଆବର୍ଜନାକୁ ଏସିଆ ଏବଂ ମଧ୍ୟପ୍ରାଚ୍ୟକୁ ପଠାଉଛନ୍ତି । ରିପୋର୍ଟରେ ଏହାକୁ ଏକ ଇ-ଆବର୍ଜନା ସୁନାମୀ ଭାବରେ ବର୍ଣ୍ଣନା କରାଯାଇଛି । ଏହି ଆବର୍ଜନା ପରିବେଶ ଏବଂ ସେଠାକାର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। 

ଇ-ଆବର୍ଜନା ମଧ୍ୟରେ ପୁରୁଣା ମୋବାଇଲ୍ ଫୋନ୍, ଟେଲିଭିଜନ, କମ୍ପ୍ୟୁଟର ଏବଂ ଏହାର ଅଂଶ ସାମିଲ । ଏଥିରେ ସୁନା ଏବଂ ତମ୍ବା ପରି ମୂଲ୍ୟବାନ ଧାତୁ ,ସୀସା, କ୍ୟାଡମିୟମ୍ ଏବଂ ପାରଦ ପରି ବିଷାକ୍ତ ଉପାଦାନ ମଧ୍ୟ ରହିଛି। ଜାତିସଂଘ ଅନୁଯାୟୀ, ୨୦୨୨ ମସିହାରେ ସାରା ବିଶ୍ୱରେ ୬୨ ନିୟୁତ ମେଟ୍ରିକ୍ ଟନ୍ ଇ-ଆବର୍ଜନା ସଂଗ୍ରହ କରାଯାଇଥିଲା । ଏହାର ପରିମାଣ ୨୦୩୦ ସୁଦ୍ଧା ୮୨ ନିୟୁତ ଟନରେ ପହଞ୍ଚିପାରେ। ଇ-ଆବର୍ଜନା ଏବେ ବିଶ୍ୱରେ ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଅଳିଆ ।

ସେପଟେ ଏସିଆ ବିଶ୍ୱର ପ୍ରାୟ ଅଧା ଇ-ଆବର୍ଜନା ବାହାର କରୁଛି। ଏବେ ଆମେରିକୀୟ ଆବର୍ଜନା ମଧ୍ୟ ଏଠାକୁ ପଠାଯାଉଛି। ଅଧିକାଂଶ ଇ-ଆବର୍ଜନାକୁ ଅନ୍ୟ ଆବର୍ଜନା ସହ ପକାଯାଏ । ଫଳରେ ମାଟି ଏବଂ ପାଣି ବିଷାକ୍ତ ହୋଇଥାଏ । ଅନେକ ସ୍ଥାନରେ କର୍ମଚାରୀମାନେ ଉପଯୁକ୍ତ ସୁରକ୍ଷା ବିନା ପୁରୁଣା ଉପକରଣଗୁଡ଼ିକୁ ଜାଳି ଦିଅନ୍ତି କିମ୍ବା ଭାଙ୍ଗି ଦିଅନ୍ତି । ଫଳରେ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟିକାରୀ ବିଷାକ୍ତ ଧୂଆଁ ସୃଷ୍ଟି ହୁଏ ।

ରିପୋର୍ଟ ଅନୁଯାୟୀ, ପ୍ରତି ମାସରେ ପ୍ରାୟ ୨୦୦୦ କଣ୍ଟେନର, ଅର୍ଥାତ୍ ପ୍ରାୟ ୩୩,୦୦୦ ମେଟ୍ରିକ୍ ଟନ୍ ଇ-ଆବର୍ଜନା ଆମେରିକାରୁ ଏସିଆକୁ ପଠାଯାଏ। ଏହି କମ୍ପାନୀଗୁଡ଼ିକ ଆବର୍ଜନାର ପୁନଃଚକ୍ରଣ କରନ୍ତି ନାହିଁ । ଗରିବ ଦେଶଗୁଡ଼ିକୁ ଅବର୍ଜନା ପଠାଇ ଦିଅନ୍ତି। ଏହି କମ୍ପାନୀଗୁଡ଼ିକୁ ଇ-ଅବର୍ଜନାର ଦଲାଲ ବୋଲି ମଧ୍ୟ କୁହାଯାଏ।

୨୦୨୫ ମସିହାରେ, ଥାଇଲାଣ୍ଡ ୨୩୮ ଟନ୍ ଆମେରିକୀୟ ଇ-ଆବର୍ଜନା ଜବତ କରିଥିଲା । ସେହିଭଳି ମାଲେସିଆ ୧୧୮ ନିୟୁତ ଡଲାର ମୂଲ୍ୟର ଅବୈଧ ଆବର୍ଜନା ଜବତ କରିଥିଲା। ମାଲେସିଆର ସଂଗଠନ ସେଣ୍ଟର ଟୁ କମ୍ବାଟ୍ କରପସନ୍ ଆଣ୍ଡ୍ କ୍ରୋନିଜିମର ସେପେଙ୍ଗ୍ ୱଙ୍ଗ କହିଛନ୍ତି ଯେ, ଏହା ଧନୀ ଦେଶମାନଙ୍କ ଦ୍ୱାରା ଗରିବ ଦେଶମାନଙ୍କ ଉପରେ ଲଦି ଦିଆଯାଉଥିବା ଅଳିଆ ଉପନିବେଶବାଦ ସହିତ ସମାନ।