ନୂଆଦିଲ୍ଲୀ, ୧୦।୬: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଆହୁରି ଭୟାନକ ମୋଡ଼ ନେଇଛି । ଆମେରିକା ଏବଂ ଇରାନର ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି, ଯାହାଫଳରେ ସମଗ୍ର ଅଞ୍ଚଳରେ ଏକ ବଡ଼ ଧରଣର ଯୁଦ୍ଧର କଳାବାଦଲ ଦେଖାଦେଇଛି । ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ବୁଝାମଣା ବା ଶାନ୍ତିର ଆଶା ଏବେ ସଂପୂର୍ଣ୍ଣ ମଉଳି ଯାଇଛି । ଉଭୟ ଦେଶ ପରସ୍ପର ଉପରେ ମିସାଇଲ୍ ଏବଂ ଆତ୍ମଘାତୀ ଡ୍ରୋନ୍ ସାହାଯ୍ୟରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ଆକ୍ରମଣ ଶେଷ ହେବା ମାତ୍ରେ ଇରାନ ଭୟଙ୍କର ପାଲଟା ଆକ୍ରମଣ କରି ବହରିନ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ସେନା ବେସ୍କୁ ଟାର୍ଗେଟ୍ କରିଛି ।
ପ୍ରଥମ ପ୍ରହାର ଆମେରିକାର: 'ଅପାଚେ' ହେଲିକପ୍ଟରର ନେଲା ପ୍ରତିଶୋଧ
ଏହି ସାଂଘାତିକ ଉତ୍ତେଜନା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଦୁଇ ଦିନ ପୂର୍ବେ ଇରାନ ଆମେରିକାର ସବୁଠାରୁ ଶକ୍ତିଶାଳୀ ହେଲିକପ୍ଟର 'ଅପାଚେ' କୁ ଗୁଳି କରି ନଷ୍ଟ କରିଦେଇଥିବା ଆମେରିକା ଅଭିଯୋଗ କରିଥିଲା । ଏହାର ଜବାବରେ ଆମେରିକୀୟ ସେନା ପ୍ରଥମେ ଆକ୍ରମଣର ନେତୃତ୍ୱ ନେଇଥିଲା । ରାତିର ଅନ୍ଧକାରରେ, ଯେତେବେଳେ ସମୁଦ୍ର ଶାନ୍ତ ଥିଲା, ଆମେରିକା ସେନା 'ହୋର୍ମୁଜ ପ୍ରଣାଳୀ' ସଂଲଗ୍ନ ଇରାନର ସହରଗୁଡ଼ିକ ଉପରେ ପ୍ରବଳ ବୋମାବର୍ଷଣ କରିଥିଲା । ଆମେରିକା ସେନା ଦାବି କରିଛି ଯେ ସେମାନେ "ଆତ୍ମରକ୍ଷା" ଏବଂ ଅପାଚେ ହେଲିକପ୍ଟର ଖସାଇ ଦେବାରୁ ଏହାର ପାଲଟା ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକାର ଯୁଦ୍ଧବିମାନ ଏବଂ ନୌସେନା ମିଳିତ ଭାବେ ଇରାନର ଏୟାର ଡିଫେନ୍ସ ସିଷ୍ଟମ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ସାମରିକ ନଜର ରଖୁଥିବା ରଡାର ସାଇଟଗୁଡିକୁ ଧ୍ୱଂସ କରିଦେଇଛନ୍ତି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ CENTCOM ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ କରି ଘୋଷଣା କରିଥିଲା ଯେ ଆମେରିକାର ଏହି ମିଶନ ବର୍ତ୍ତମାନ ପାଇଁ ଶେଷ ହୋଇଛି ।
ଇରାନର ପ୍ରତିଆକ୍ରମଣ: ବହରିନ ଏବଂ ଜୋର୍ଡାନରେ ହାହାକାର
ଆମେରିକା ନିଜର ଆକ୍ରମଣ ଶେଷ କରିବା ମାତ୍ରେ ଇରାନ ମଧ୍ୟ ଚୁପ୍ ବସି ନଥିଲା । ଆମେରିକାର ଏହି ବୋମାବର୍ଷଣ ପରେ ସମଗ୍ର ଇରାନରେ ଆକ୍ରୋଶର ନିଆଁ ଜଳିଉଠିଥିଲା । ଏହାର କିଛି ଘଣ୍ଟା ମଧ୍ୟରେ ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର' (IRGC) ଏକ ବଡ଼ ଧରଣର ପ୍ରତିଆକ୍ରମଣର ଘୋଷଣା କରିଥିଲା ।
ଆମେରିକାର ଫିପ୍ଥ ଫ୍ଲିପ୍କୁ ଟାର୍ଗେଟ୍:
IRGC ର ନୌସେନା ବାହିନୀ ଦାବି କରିଛି ଯେ, ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ସେମାନେ ବହରିନରେ ଅବସ୍ଥିତ ଆମେରିକା ନୌସେନାର ପ୍ରସିଦ୍ଧ ଫିପ୍ଥ ଫିଫ୍କୁ ଘାତକ ଡ୍ରୋନ୍ ସାହାଯ୍ୟରେ ଟାର୍ଗେଟ୍ କରିଛନ୍ତି । ଏହାସହିତ ଜର୍ଡାନରେ ଥିବା ଆମେରିକୀୟ ସାମରିକ ବେସ୍ ଉପରେ ମଧ୍ୟ ଇରାନ ପକ୍ଷରୁ କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଛି । "ଯଦି ଆମେରିକା ନିଜର ଆକ୍ରମଣାତ୍ମକ ମନୋଭାବ ବନ୍ଦ ନକରେ, ତେବେ ଆଗାମୀ ଦିନରେ ଏହାଠାରୁ ଆହୁରି ଭୟଙ୍କର ଏବଂ କଠୋର ଜବାବ ଦିଆଯିବ ।" ବୋଲି ଇରାନ ଚେତାବନୀ ଦେଇଛି । ଅନ୍ୟପଟେ ଇରାନର ଏହି ଅତର୍କିତ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ପରେ ବହରିନରେ ଜରୁରୀକାଳୀନ ସାଇରନ୍ ବାଜିଛି । ସାରା ଦେଶରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ବହରିନ ସରକାର ସ୍ଥିତିକୁ ଗମ୍ଭୀରତାର ସହ ନେଇ ନିଜ ଦେଶର ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଘର ଭିତରେ ରହିବାକୁ ଏବଂ ବିନା କାରଣରେ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାମରିକ ଜବାବୀ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଟେନସନ ଚରମ ସୀମାରେ ପହଞ୍ଚିଛି । ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି । ଯଦି ଏହି ବିବାଦକୁ ତୁରନ୍ତ ରୋକା ନଯାଏ, ତେବେ ଏହା ଏକ ପୂର୍ଣ୍ଣାଙ୍ଗ ଆଞ୍ଚଳିକ ଯୁଦ୍ଧର ରୂପ ନେଇପାରେ, ଯାହା ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ଶାନ୍ତି ପ୍ରତି ବଡ଼ ବିପଦ ସୃଷ୍ଟି କରିବ । ଏହି ଘଟଣା ଉପରେ ବର୍ତ୍ତମାନ ଜାତିସଂଘ ସମେତ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକର ନଜର ରହିଛି ।
ଆହୁରି ପଢ଼ନ୍ତୁ... ମୁଦ୍ରାସ୍ଫୀତିର ଭୟଙ୍କର ଚିତ୍ର,ଇଏମ୍ଆଇରେ ରୁଟି କିଣୁଛନ୍ତି ଇରାନବାସୀ