ମୂଆଦିଲ୍ଲୀ,୧୦/୦୬:ଯୁଦ୍ଧଗ୍ରସ୍ତ ଇରାନରେ ଏବେ ଦରଦାମ ବୃଦ୍ଧିର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ତେହରାନର ୫୨ ବର୍ଷୀୟ ସରକାରୀ କର୍ମଚାରୀ ମେହଦୀ କହିଛନ୍ତି ‘ମୁଁ ଘର ପାଖ ଦୋକାନରୁ ସଉଦା ଉଧାର ନେଇଥିଲି । ପର ଦିନ ଯେତେବେଳେ ଟଙ୍କା ଦେବାକୁ ଗଲି, ବିଲ୍‌ ଦି’ଗୁଣ ବଢ଼ିଯାଇଥିଲା ।’ ମେହଦୀଙ୍କର ଏହି କଥା ଇରାନରେ ମୁଦ୍ରାସ୍ଫୀତିର ଚିତ୍ରକୁ ଦର୍ଶାଉଛି । ସେ ଆହୁରି କହିଛନ୍ତି, ଦରଦାମ ବୃଦ୍ଧି ଏତେ ବଢ଼ିଯାଇଛି ଯେ ମାସ ଅଧାରେ ଦରମା ଶେଷ ହୋଇଯାଉଛି ।

ସ୍ଥିତି ଏମିତି ହୋଇଛି ଯେ ରୁଟି, ରାସନ ଓ ସୁପରମାର୍କେଟ୍‌ ପ୍ୟାକେଜ୍‌ ବି ଇଏମ୍‌ଆଇରେ କିଣିବାକୁ ପଡୁଛି । ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ କିଛି ଇରାନବାସୀ ଭାବିଥିଲେ ସରକାର ଭାଙ୍ଗିଯିବ । କିନ୍ତୁ ସେମିତି ହେଲାନି । ଏବେ ସରକାର ସମର୍ଥକ ହୁଅନ୍ତୁ ବା ବିରୋଧୀ, ସମସ୍ତେ ଯୁଦ୍ଧ, ମୁଦ୍ରାସ୍ଫୀତି ଓ ଅନିଶ୍ଚିତତା ଯୋଗୁ ଭାଙ୍ଗିପଡ଼ିଛନ୍ତି । ଯୁଦ୍ଧ ପରଠୁ ଦେଶରେ ଖାଇବା ତେଲ ୪୩୦%, ଅଣ୍ଡା ୩୫୪%, ଚାଉଳ ୨୮୭% ଓ କ୍ଷୀର ୧୩୯% ମହଙ୍ଗା ହୋଇଛି । ୧ କିଲୋ ଚାଉଳ ପୂର୍ବରୁ ୨୪୦ ଟଙ୍କାରେ ମିଳୁଥିଲା, ଏବେ ୯୨୮ ଟଙ୍କା ହୋଇଛି । ଖାଇବା ତେଲ ଲିଟର ପୂର୍ବରୁ ୮୪ ଟଙ୍କା ଥିଲା । ଏବେ ୪୪୫ ଟଙ୍କା ହୋଇଛି ।

ଆହୁରି ପଢନ୍ତୁ-US strikes Iran : ଭାଙ୍ଗିଲା ଯୁଦ୍ଧବିରାମ, ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ଆମେରିକାର ବମ୍ ବର୍ଷା 
​​​​୧ କିଲୋ ଟମାଟର ୩୬ ଟଙ୍କା ଥିଲା, ଏବେ ୧୦୮ ଟଙ୍କା । ୧ କିଲୋ ଆଳୁ ପୂର୍ବରୁ ଥିଲା ୨୪ ଟଙ୍କା, ଏବେ ୯୬ ଟଙ୍କା । ଗୋଟିଏ ଅଣ୍ଡାର ମୂଲ୍ୟ ପୂର୍ବରୁ ୬ ଟଙ୍କା ଥିଲା, ଏବେ ୨୭ ଟଙ୍କା ହୋଇଛି । ଯୁଦ୍ଧର ପ୍ରଭାବ ଦେଶର ଉତ୍ପାଦନ ଓ ଚିକିତ୍ସା ପର୍ଯ୍ୟନ୍ତ ପହଞ୍ଚିଛି । ଉତ୍ପାଦନ ବନ୍ଦ ହୋଇଛି ଏବଂ କର୍ମଚାରୀଙ୍କୁ ଛୁଟିରେ ଘରକୁ ପଠାଇ ଦିଆଯାଇଛି । ଏହାର କାରଣ କଞ୍ଚାମାଲ ଅଭାବ । ଇସ୍ରାଏଲ ଆକ୍ରମଣରେ ଦେଶର ପେଟ୍ରୋକେମିକାଲ ଉଦ୍ୟୋଗ ଖୁବ୍‌ ପ୍ରଭାବିତ ହୋଇଛି । ଔଷଧ ଦୋକାନଗୁଡ଼ିକ ରାସନ ଭଳି ଔଷଧ ଦେଉଛନ୍ତି । କେବଳ ଆବଶ୍ୟକ ଔଷଧ ଲେଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରଙ୍କୁ କହିଛି ।