ନୂଆଦିଲ୍ଲୀ : ଇରାନର ଜିଦି ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ସେନା ପ୍ରମୁଖ ଆସିମ ମୁନିରଙ୍କୁ ଲଗେଇଲେ ଫୋନ୍। ଏହି ସମୟରେ ଉଭୟଙ୍କ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍ ଖୋଲିବାକୁ ନେଇ କଥାବାର୍ତ୍ତା ହୋଇଛି। ଟ୍ରମ୍ପ କହିଥିଲେ ଯେ, ସେ ଇରାନ ସହ ଶାନ୍ତି ବାର୍ତ୍ତାରେ ହର୍ମୁଜ ଉପରେ ଲଗାଇଥିବା ଅବରୋଧ ବାଧା ସାଜୁଥିବା ମୁନିରଙ୍କ ପରାମର୍ଶ ଉପରେ ବିଚାର କରିବେ। ଏକ ପାକିସ୍ତାନୀ ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଇରାନର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଇସ୍ମାଇଲ ବଘାଇ ସୋମବାର କହିଛନ୍ତି ଯେ, ତେହେରାନର ବର୍ତ୍ତମାନ ଆମେରିକା ସହ କୌଣସି ବି ଆଲୋଚନାରେ ସାମିଲ ହେବାର କୌଣସି ଯୋଜନା ନାହିଁ। ଇସଲାମାବାଦର ଅଧିକାରୀ ଆଲୋଚନା ନେଇ ଆଉ ଏକ ଗସ୍ତର ପ୍ରସ୍ତୁତି କରୁଛନ୍ତି ,ଯାହା ସମ୍ଭବତଃ ଏହି ସପ୍ତାହରେ ହୋଇପାରେ। ବଘାଇ ସାମ୍ୱାଦିକ ସମ୍ମିଳନୀ ବେଳେ କହିଛନ୍ତି , ଏବେସୁଦ୍ଧା ତ ଯେବେ ମୁଁ ଏଠାରେ ଅଛି... ଆମ ପାଖରେ କଥାବାର୍ତ୍ତାର ଆଗାମୀ ପର୍ଯ୍ୟାୟ ପାଇଁ କୌଣସି ଯୋଜନା ନାହିଁ ଏବଂ ଏହି ସମ୍ୱନ୍ଧରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଇରାନ ଆମେରିକା ସହ ପ୍ରସ୍ତାବିତ ଦ୍ୱିତୀୟ ପର୍ଯ୍ୟାୟର ଶାନ୍ତି ବାର୍ତ୍ତାରେ ଯୋଗ ଦେବାକୁ ମନା କରି ଦେଇଛି, ଯାହାର ମୁଖ୍ୟ କାରଣ ଇରାନୀ ବନ୍ଦର ଗୁଡ଼ିକରେ ଜାରି ଆମେରିକୀୟ ନାକାବନ୍ଦୀ ଥିବା କୁହାଯାଇଛି। ଏହି ମଧ୍ୟରେ, ଆମେରିକୀୟ ସେନା ଏକ ଇରାନୀ ମାଲବାହୀ ଜାହାଜକୁ ଜବତ କରି ନେଇଛନ୍ତି। ଯେଉଁଥିରେ ପଶ୍ଚିମ ଏସିଆରେ ସଙ୍ଗିନ ସ୍ଥିତି ଦେଇ ଗତି କରୁଥିବା ଶାନ୍ତି ବାର୍ତ୍ତାରେ ଅନିଶ୍ଚିତତା ଆସି ଯାଇଛି। ଇରାନ ସ୍ପଷ୍ଟ କରିଛି ଯେ, ଆମେରିକୀୟ ନୌସେନା ଓମାନର ଉପସାଗରରେ ଇରାନୀ ଜାହାଜ ଟୋସ୍କାକୁ ଆକ୍ରମଣ କରି ଜବତ କରିଥିଲା , ଯାହାକୁ ସେ ଯୁଦ୍ଧବିରାମର ଉଲ୍ଲଙ୍ଘନ କହିବା ସହ ଜବାବୀ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି।

ଇରାନୀ ଅଧିକାରୀମାନେ କହିଛନ୍ତି, ଆମେରିକାର ସର୍ତ୍ତ ଗୁଡ଼ିକ ଅବାସ୍ତବ ଓ ଅନୁଚିତ। ଯେପର୍ଯ୍ୟନ୍ତ ଅବରୋଧ ନହଟିଛି , ଆଲୋଚନା କେବେ ବି ସମ୍ଭବ ନୁହେଁ। ସେ ଆମେରିକା ଉପରେ ସର୍ତ୍ତ ଗୁଡ଼ିକ ବଦଳାଇବାର ଅଭିଯୋଗ ମଧ୍ୟ କରିଛନ୍ତି। ଇରାନୀ ମିଡ଼ିଆ ଅନୁସାରେ ,ବର୍ତ୍ତମାନର ପରିସ୍ଥିତି ଗୁଡ଼ିକରେ ଆଲୋଚନା ସଫଳ ହେବାର କୌଣସି ସମ୍ଭାବନା ନାହିଁ। ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି, ଯେବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନରେ ପୁଣି ଆଲୋଚନାର ଘୋଷଣା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଜାରି ଦୁଇ ସପ୍ତାହର ଯୁଦ୍ଧବିରତି ୨୨ ଅପ୍ରେଲରେ ସମାପ୍ତ ହେବାକୁ ଯାଉଛି।