ନ୍ୟୁୟର୍କ, ୨୭/୦୮ : ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍‌ର ଦ୍ୱିତୀୟ ଦିବସରେ ବିପର୍ଯ୍ୟୟ ଲାଗି ରହିଥିବାବେଳେ କିଛି ମହାନ ଖେଳାଳିଙ୍କ ବିଦାୟ ଘଟିଛି । ଭେନସ ୱିଲିୟମ୍ସ, ଏଲିନା ସ୍ୱିତୋଲିନା, ମାରିନ ସିଲିକ ପ୍ରମୁଖ ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ବିଦାୟ ନେଇଛନ୍ତି । ଟାଇଟଲ ଦାବିଦାର କାର୍ଲୋସ ଅଲକାରାଜ, ମୀରା ଆନ୍ଦ୍ରିଭା, ପୂର୍ବତନ ୱିମ୍ବଲଡନ ଚାମ୍ପିଅନ ଏଲିନା ରିବାକିନା ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । 

ପୁରଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ପ୍ରମୁଖ ଟାଇଟଲ ଦାବିଦାର ତଥା ଦ୍ୱିତୀୟ ସିଡ୍‌ ଅଲକାରାଜ ୬-୪, ୭-୫, ୬-୪ ସେଟ୍‌ରେ ରିଲି ଓପେଲ୍କାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଅଲକାରାଜଙ୍କୁ ୨ଘଣ୍ଟା ୫ ମିନିଟ୍‌ ଲାଗିଥିଲା । ଡିଫେଣ୍ଡିଂ ଚାମ୍ପିଅନ୍‌ ଜାନିକ ସିନର ମଧ୍ୟ ଦେଢ ଘଣ୍ଟା ମଧ୍ୟରେ ପ୍ରଥମ ରାଉଣ୍ଡ ଜିତିଥିଲେ । ସେ ଭିଟ କୋପ୍ରିଭାଙ୍କୁ ୬-୧, ୬-୧, ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ସେହିପରି ପଞ୍ଚମ ସିଡ୍‌ ଜ୍ୟାକ୍‌ ଡ୍ରାପର ୬-୪, ୭-୫, ୬-୭(୭-୯), ୬-୨ ସେଟ୍‌ରେ ଫେଡେରିକୋ ଗୋମେଜଙ୍କୁ ପରାସ୍ତ କରିଥିଲେ । ଦଶମ ସିଡ୍‌ ଲରେଞ୍ଜୋ ମୁସେଟ୍ଟି ୬-୭(୩-୭), ୬-୩, ୬-୪, ୬-୪ ସେଟ୍‌ରେ ଗିଓଭାନି ମପେତ୍ସି ପେରିକାର୍ଡଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ୧୨ତମ ସିଡ୍‌ କାସ୍ପର ରୁଡ୍‌ ୬-୧, ୬-୨, ୭-୬(୭-୫) ସେଟ୍‌ରେ ସେବାଷ୍ଟିଆନ ଅଫନରଙ୍କୁ ପରାସ୍ତ କରିଥିବାବେଳେ ୧୧ତମ ସିଡ୍‌ ହୋଲଗର ରୁନେ ୬-୩, ୭-୬(୭-୪), ୭-୬(୭-୨) ସେଟ୍‌ରେ ବୋଟିକ ଭାନ ଡି ଜାଣ୍ଡସ୍କପଙ୍କୁ, ନବମ ସିଡ୍‌ କାରେନ କାଚାନୋଭ ୬-୭(୫-୭), ୬-୩, ୭-୫, ୬-୧ ସେଟ୍‌ରେ ନିଶେଷ ବାସଭାରେଡ୍ଡୀଙ୍କ, ୧୫ତମ ସିଡ୍‌ ଆନ୍ଦ୍ରେ ରୁବେଲଭ ୬-୪,୬-୪, ୬-୪ ସେଟ୍‌ରେ ଡିନୋ ପ୍ରିଜମିକଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ । ୧୯ତମ ସିଡ୍‌ ଫ୍ରାନସିସ୍କୋ ସେର‌୍ୟୁଣ୍ଡୋଲୋ ୩-୬, ୨-୬, ୭-୫, ୬-୪, ୬-୩ ସେଟ୍‌ରେ ମାଟିଓ ଆର୍ନଲ୍ଡିଙ୍କୁ ପରାସ୍ତ କରିଥିବବେଳେ ୨୭ତମ ସିଡ୍‌ ଡେନିସ୍‌ ସାପୋଭାଲୋଭ ୬-୪, ୬-୪, ୬-୦ ସେଟ୍‌ରେ ମାର୍କସ ଫସକୋଭିକ୍ସଙ୍କୁ ଓ ୨୩ତମ ସିଡ୍‌ ଆଲେକଜାଣ୍ଡର ବବଲିକ୍‌ ୬-୪, ୬-୧, ୬-୪ ସେଟ୍‌ରେ ମାରିନ ସିଲିକଙ୍କୁ ହରାଇଥିଲେ । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ପ୍ରସିଦ୍ଧ ଖେଳାଳି ଭେନସ ୱିଲିୟମ୍ସ ପରାଜିତ ହୋଇ ବିଦାୟ ନେଇଥିଲେ । ସେ ୩-୬, ୬-୨, ୧-୬ ସେଟ୍‌ରେ ୧୧ତମ ସିଡ୍‌ କାରୋଲିନା ମୁଚୋଭାଙ୍କ ଠାର ପରାଜିତ ହୋଇଥିଲେ । ଦ୍ୱିତୀୟ ସିଡ୍‌ ଇଗା ସ୍ୱିଟେକ ୬୦ ମିନିଟ୍‌ ମଧ୍ୟରେ ଏମିଲିଆନ ଆରାଙ୍ଗୋଙ୍କୁ ହରାଇଥିଲେ । ପଞ୍ଚମ ସିଡ୍‌ ମୀରା ଆନ୍ଦ୍ରିଭା ମାତ୍ର ୫୫ମିନିଟ୍‌ ମଧ୍ୟରେ ଆଲିସିଆ ପାର୍କ୍ସଙ୍କୁ ୬-୧, ୬-୦ ସେଟ୍‌ରେ ହରାଇଥିଲେ । ନବମ ସିଡ୍‌ ଏଲିନା ରିବାକିନା ୬୨ମିନିଟ୍‌ ମଧ୍ୟରେ ଜୁଲିଏଟା ପରେଜାଙ୍କୁ ୬-୩, ୬-୦ସେଟ୍‌ରେ ହରାଇଥିଲେ । ୧୫ତମ ସିଡ୍‌ ଡାରିଆ କାସାଟକିନା ୭-୫, ୬-୧ ସେଟ୍‌ରେ ଏମିଲି ରୁସଙ୍କୁ ପରାସ୍ତ କରିଥିବାବେଳେ ୧୯ତମ ସିଡ୍‌ ଏଲିସ ମର୍ଟେନ୍ସ ୬-୧, ୬-୦ ସେଟ୍‌ରେ ଆଲିସା ଆହନଙ୍କୁ, ୧୭ତମ ସିଡ୍‌ ଲୁଡମିଲା ସାମସୋନୋଭା ୨-୬, ୬-୪, ୬-୪ ସେଟ୍‌ରେ ୟୁଏ ୟୁଆନଙ୍କୁ, ୨୯ତମ ସିଡ୍‌ ଆନ୍ନା କାଲିନିସ୍କାୟା ୬-୦, ୫-୭, ୬-୪ ସେଟ୍‌ରେ କ୍ଲର୍ଭି ନଗୋନ୍ୟୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୭ତମ ସିଡ୍‌ ମାର୍କା କୋତ୍ସ୍ୟୁକ ୬-୪, ୬-୪ ସେଟ୍‌ରେ କାଟି ବୋଲ୍ଟରଙ୍କୁ ପରାସ୍ତ କରିଥିବାବେଳେ ୧୮ତମ ସିଡ୍‌ ବିଟ୍ରିଜ ହାଦାଦ ମାୟା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୋନାଏ କାର୍ତାଲଙ୍କୁ ୬-୩, ୧-୬, ୬-୧ ସେଟ୍‌ରେ ହରାଇଥିଲେ । ଦ୍ୱାଦଶ ସିଡ୍‌ ଏଲିନା ସ୍ୱିତୋଲିନା ୨-୬, ୪-୬ ସେଟ୍‌ରେ ହଙ୍ଗେରୀର ଆନ୍ନା ବୋଣ୍ଡରଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ । ସେହିପରି ଫ୍ରାନ୍ସର କାରୋଲିନ୍‌ ଗାର୍ସିଆ ପ୍ରଥମ ରାଉଣ୍ଡ୍‌ରେ କାମିଲା ରଖିମୋଭାଙ୍କ ଠାରୁ ୬-୪, ୪-୬, ୬-୩ ସେଟ୍‌ରେ ପରାଜିତ ହୋଇ ଅବସର ଘୋଷଣା କରିଥିଲେ ।